ନୂଆଦିଲ୍ଲୀ, ୭।୭: ପ୍ରତିରକ୍ଷା ଓ ରଣନୀତିକ ସମ୍ପର୍କ କ୍ଷେତ୍ରରେ ଏସିଆ ମହାଦେଶରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ‘ବ୍ରହ୍ମୋସ’କୁ ନେଇ ଏକ ବଡ଼ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ମଙ୍ଗଳବାର ସକାଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଭୋ ସୁବିଆନ୍ତୋଙ୍କ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି ।
ଦୁଇ ଦିନିଆ ସରକାରୀ ଗସ୍ତରେ ଇଣ୍ଡୋନେସିଆର ରାଜଧାନୀ ଜାକାର୍ତ୍ତାରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେଠାରେ ଅତ୍ୟନ୍ତ ଭବ୍ୟ ଓ ସ୍ୱାଗତ କରାଯାଇଥିଲା । ବିମାନବନ୍ଦରରେ ରାଷ୍ଟ୍ରପତି ପ୍ରବୋଭୋ ନିଜେ ଉପସ୍ଥିତ ରହି ପିଏମ୍ ମୋଦୀଙ୍କୁ ଆଲିଙ୍ଗନ କରି ଆନ୍ତରିକତାର ସହ ସ୍ୱାଗତ ଜଣାଇଥିଲେ । ଏହାପରେ ଦୁଇ ପ୍ରମୁଖ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପ୍ରତିରକ୍ଷା, ବାଣିଜ୍ୟ ଏବଂ ସାମୁଦ୍ରିକ ସୁରକ୍ଷା ସହ ଜଡ଼ିତ ଅନେକ ବଡ଼ ରାଜିନାମାକୁ ଚୂଡ଼ାନ୍ତ ରୂପ ଦିଆଯାଇଛି ।
ଏହା ବି ପଢ଼ନ୍ତୁ... E20 petrol implementation review: ଗ୍ରାହକଙ୍କ ଆକ୍ରୋଶର ଶିକାର ହେଉଛନ୍ତି ଡିଲର, ଇ-୨୦ ପେଟ୍ରୋଲ କାର୍ଯ୍ୟକାରିତାର ପୁନର୍ବିଚାର ଦାବି
ଇଣ୍ଡୋନେସିଆ ସଂସଦରେ ଗର୍ଜିବେ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ଦ୍ୱିତୀୟ ଦିନକୁ ରଣନୀତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଆଜିର ମୁଖ୍ୟ ଆକର୍ଷଣଗୁଡ଼ିକ ହେଲା:
ସଂସଦକୁ ସମ୍ବୋଧନ: ରାଷ୍ଟ୍ରପତି ପ୍ରବୋଭୋଙ୍କ ସହ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡୋନେସିଆର ସଂସଦ ‘କୋମ୍ପ୍ଲେକ୍ସ ପାର୍ଲେମେନ ରିପବ୍ଲିକ ଇଣ୍ଡୋନେସିଆ’ ଗସ୍ତ କରିବେ । ସେଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗଦେଇ ସେ ସଂସଦର ସଦସ୍ୟମାନଙ୍କୁ ସମ୍ବୋଧିତ କରିବେ । ବିଶେଷଜ୍ଞଙ୍କ ମତରେ, ପିଏମ୍ ମୋଦୀଙ୍କ ଏହି ସମ୍ବୋଧନ ଭାରତ-ଇଣ୍ଡୋନେସିଆ ଗଣତାନ୍ତ୍ରିକ ସଂହତି ଏବଂ ଦୁଇ ଦେଶର ଶତାବ୍ଦୀ ପୁରୁଣା ଐତିହାସିକ ସମ୍ପର୍କକୁ ଏକ ନୂଆ ଦିଶା ପ୍ରଦାନ କରିବ ।
ପ୍ରବାସୀ ଭାରତୀୟଙ୍କ ସହ ଭେଟଘାଟ: ଦିନର ଶେଷ ଭାଗରେ ଜାକାର୍ତ୍ତାରେ ରହୁଥିବା ପ୍ରବାସୀ ଭାରତୀୟ ସମୁଦାୟ ପକ୍ଷରୁ ଏକ ବିଶାଳ ନାଗରିକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେଇ ଭାରତର ଦ୍ରୁତ ବିକାଶ ଯାତ୍ରା, ବିଶ୍ୱ ମାନଚିତ୍ରରେ ଭାରତର ବଢ଼ୁଥିବା ଦକ୍ଷତା ଏବଂ ଦୁଇ ଦେଶ ମଧ୍ୟରେ ଥିବା ସାଂସ୍କୃତିକ ତଥା ‘ପିପୁଲ-ଟୁ-ପିପୁଲ’ ଅର୍ଥାତ୍ ଜନତାଙ୍କ ସହ ଜନତାଙ୍କ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ବକ୍ତବ୍ୟ ରଖିବେ ।