​​​​​​​ନୂଆଦିଲ୍ଲୀ, ୩୦।୧: ଭାରତ ଚଳିତ ମାସ ୩୧ ତାରିଖରେ ଦ୍ୱିତୀୟ ସଂସ୍କରଣର ଭାରତ-ଆରବ ବୈଦେଶିକ ମନ୍ତ୍ରୀ ବୈଠକ ଆୟୋଜନ କରୁଛି । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆରବ ଲିଗ୍‌ର ସଦସ୍ୟ ଦେଶର ବୈଦେଶିକ ମନ୍ତ୍ରୀ ଏବଂ ଆରବ ଲିଗ୍‌ର ମହାସଚିବ ସାମିଲ ହେବେ । ଏହି ବୈଦେଶିକ ମନ୍ତ୍ରୀ ବୈଠକ ପୂର୍ବରୁ ଶୁକ୍ରବାର ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଚତୁର୍ଥ ଭାରତ-ଆରବ ବରିଷ୍ଠ ଅଧିକାରୀ ସମ୍ମିଳନୀ (SOM) ଆୟୋଜିତ ହେଉଛି । ଆରବ ଲିଗ୍(LAS) ୧୯୪୫ ମାର୍ଚ୍ଚ ୨୨ ତାରିଖରେ କାଇରୋରେ ସ୍ଥାପିତ ହୋଇଥିଲା । ପ୍ରାରମ୍ଭରେ ମିଶର, ଇରାକ, ଜର୍ଡାନ, ଲେବାନନ, ସୌଦି ଆରବ ଓ ସିରିଆ ଏହାର ସଦସ୍ୟ ଥିଲେ । ସେତେବେଳେ ୭ଟି ଦେଶ ସହ ଆରମ୍ଭ ହୋଇଥିବା ଏହି ସଂଗଠନର ବର୍ତ୍ତମାନ ୨୨ଟି ସଦସ୍ୟ ଦେଶ ରହିଛନ୍ତି, ଯେଉଁଥିରେ ଉତ୍ତର ଆଫ୍ରିକା ଓ ମଧ୍ୟ ପୂର୍ବର ଦେଶମାନେ ସାମିଲ । ସିରିଆକୁ ପୁନଃ ସଦସ୍ୟତା ମିଳିଛି । LASର କିଛି ପର୍ଯ୍ୟବେକ୍ଷକ ଦେଶ ମଧ୍ୟ ରହିଛନ୍ତି, ଯେଉଁମାନଙ୍କ ମଧ୍ୟରେ ଭାରତ, ଆର୍ମେନିଆ, ବ୍ରାଜିଲ, ଚାଦ, ଏରିଟ୍ରିଆ, ଗ୍ରୀସ ଓ ଭେନିଜୁଏଲା ଅଛନ୍ତି ।

ଆରବ ଲିଗ୍‌ର ଗଠନରେ ବିଶେଷ ମନ୍ତ୍ରୀସ୍ତରୀୟ କମିଟି, ସାଧାରଣ ସଚିବାଳୟ ଓ ବିଶେଷୀକୃତ ସଂସ୍ଥା ଅନ୍ତର୍ଭୁକ୍ତ । ସଦସ୍ୟ ଦେଶମାନଙ୍କ ବୈଦେଶିକ ମନ୍ତ୍ରୀମାନେ ଯୋଗଦେଇଥିବା କାଉନସିଲ ହେଉଛି ଏହାର ପ୍ରମୁଖ ରାଜନୈତିକ ଅଙ୍ଗ, ଯାହା ପ୍ରତିବର୍ଷ ଦୁଇଥର ବୈଠକ କରେ । ପ୍ରତ୍ୟେକ ସଦସ୍ୟ ଦେଶର ଗୋଟିଏ ମତ ଥାଏ ଏବଂ ନିଷ୍ପତ୍ତି ସେମାନଙ୍କ ପାଇଁ ବାଧ୍ୟତାମୂଳକ ହୁଏ, ଯେଉଁମାନେ ସପକ୍ଷରେ ଭୋଟ୍ ଦେଇଥାନ୍ତି । ତେବେ ନିଷ୍ପତ୍ତି ପାଳନ କରିବା ପାଇଁ LAS ପାଖରେ କୌଣସି ବାଧ୍ୟତାମୂଳକ ବ୍ୟବସ୍ଥା ନଥିବାରୁ ଏହାକୁ ଆଭ୍ୟନ୍ତରୀଣ ମତଭେଦ ପାଇଁ ସମାଲୋଚନା କରା ହେଉଛି । ଆରବ ଲିଗ୍ ଆଫ୍ରିକାନ୍ ୟୁନିୟନ (AU), ୟୁରୋପିୟନ୍ ୟୁନିୟନ (EU), ASEAN ଓ ଦକ୍ଷିଣ ଆମେରିକୀୟ ଦେଶମାନଙ୍କ ସଂଘ ସହ ବହୁପକ୍ଷୀୟ ସମ୍ପର୍କ ରଖିଛି । ଆରବ ଲିଗ୍ ଚୀନ୍ ସହିତ ସହ ରୁଷିଆ, ବ୍ରାଜିଲ ଓ ଫ୍ରାନ୍ସ ସହ ମଧ୍ୟ ରାଜନୈତିକ ଓ କୂଟନୈତିକ ସମ୍ପର୍କ ରଖିଆସୁଛି । ଏହି ବହୁପକ୍ଷୀୟ ସମ୍ପର୍କମାନେ ଆରବ ଦେଶମାନଙ୍କ ସହ ବିଭିନ୍ନ ଆନ୍ତର୍ଜାତୀୟ ମଞ୍ଚରେ ସହଯୋଗକୁ ଆହୁରି ମଜବୁତ କରୁଛି ।

ଆରବ ଲିଗ୍ (LAS) ବିଶ୍ୱର ୨୦ରୁ ଅଧିକ ଦେଶରେ ତାର ମିଶନ ସ୍ଥାପନ କରିଛି । ଯୁକ୍ତରାଷ୍ଟ୍ର, ରୁଷିଆ, ଚୀନ୍, ଫ୍ରାନ୍ସ, ବ୍ରିଟେନ୍, ବ୍ରାଜିଲ ଓ ଜର୍ମାନୀ ସହ ଭାରତରେ ମଧ୍ୟ ଆରବ ଲିଗ୍‌ର ଏକ ମିଶନ୍ ରହିଛି । ବର୍ତ୍ତମାନ ଆରବ ଲିଗ୍‌ର ମହାସଚିବ ଭାବେ ଆହମଦ୍ ଆବୁଲ୍ ଘେଇତ୍ କାର୍ଯ୍ୟରତ ଅଛନ୍ତି । ଭାରତ ଓ ଆରବ ଲିଗ୍‌ର ସମ୍ପର୍କ କାହିଁ କେଉଁ କାଳରୁ ଚାଲିଆସୁଛି । ବାଣିଜ୍ୟ, ଶିକ୍ଷା ଓ କୂଟନୈତିକ ସମ୍ପର୍କ ମାଧ୍ୟମରେ ଦୁଇ ପକ୍ଷ ମଧ୍ୟରେ ଦୀର୍ଘକାଳୀନ ସମ୍ପର୍କ ଗଢ଼ିଉଠିଛି । ଭାରତ ଓ ଆରବ ଲିଗ୍‌ ମଧ୍ୟରେ ମାର୍ଚ୍ଚ ୨୦୦୨ ମସିହାରେ ଏକ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇ ସଂସ୍ଥାଗତ ସଂଳାପକୁ ଆକାର ଦିଆଯାଇଥିଲା । ପରେ ଡିସେମ୍ବର ୨୦୦୮ରେ ଆରବ-ଭାରତ ସହଯୋଗ ଫୋରମ୍ ସ୍ଥାପନ ପାଇଁ ଏକ ସହଯୋଗ ଏମ୍‌ଓୟୁ ସ୍ୱାକ୍ଷର ହୋଇଥିଲା, ଯାହାକୁ ଡିସେମ୍ବର ୨୦୧୩ରେ ପୁନଃ ସମୀକ୍ଷା କରାଯାଇଥିଲା । ଡିସେମ୍ବର ୨୦୧୦ରେ କାଇରୋରେ ଅବସ୍ଥିତ ଭାରତୀୟ ରାଜଦୂତଙ୍କୁ ଆରବ ଲିଗ୍‌ ପାଇଁ ଭାରତର ସ୍ଥାୟୀ ଭାବେ ନିଯୁକ୍ତ କରାଯାଇଥିଲା ।

ଭାରତ-ଆରବ ବୈଦେଶିକ ମନ୍ତ୍ରୀର ପ୍ରଥମ ବୈଠକ ଜାନୁଆରୀ ୨୦୧୬ରେ ବାହାରିନର ମନାମାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମନାମା ଘୋଷଣା ଓ କାର୍ଯ୍ୟନିର୍ବାହୀ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା । ଭାରତ-ଆରବ ବୈଦେଶିକ ମନ୍ତ୍ରୀ  ବୈଠକ ପ୍ରତି ଦୁଇ ବର୍ଷକୁ ଥରେ ଏବଂ ବରିଷ୍ଠ ଅଧିକାରୀମାନଙ୍କ ବୈଠକ (SOM) ପ୍ରତିବର୍ଷ ଆୟୋଜିତ ହୁଏ । ଏପର୍ଯ୍ୟନ୍ତ ୩ଟି SOM ଅନୁଷ୍ଠିତ ହୋଇଛି, ଯେଉଁଥିରେ ଜାନୁଆରୀ ୨୦୨୧ରେ ହୋଇଥିବା ଏକ ଭର୍ଚ୍ଚୁଆଲ୍ ବୈଠକ ମଧ୍ୟ ଅନ୍ତର୍ଭୁକ୍ତ । ଅର୍ଥନୀତି କ୍ଷେତ୍ରରେ, ଷଷ୍ଠ ଭାରତ-ଆରବ ପାର୍ଟନରସିପ୍ ସମ୍ମିଳନୀ ଜୁଲାଇ ୨୦୨୩ରେ ନୂଆଦିଲ୍ଲୀରେ ଆୟୋଜିତ ହୋଇଥିଲା । ଏହାର ସପ୍ତମ ସଂସ୍କରଣ ଆରବ ପକ୍ଷ ଦ୍ୱାରା ଆୟୋଜନ କରାଯିବାକୁ ଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ... ନାଇଜର ରାଜଧାନୀରେ ଥିବା ବିମାନବନ୍ଦର ଉପରେ ବଡ଼ ଆକ୍ରମଣ; ୨୦ ମୃତ, ୧୧ ଗିରଫ