ନୂଆଦିଲ୍ଲୀ,୧୫/୦୭: ଟି-ଟ୍ୱେଣ୍ଟି ସିରିଜ ପରାଜୟକୁ ଭୁଲି ଭାରତୀୟ ଦଳ ବିଜୟ ସହ ଦିନିକିଆ ସିରିଜ ଆରମ୍ଭ କରିଛି । ମଙ୍ଗଳବାର ଏଜବାଷ୍ଟନରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଦଳ ୬ ୱିକେଟ୍‌ରେ ଇଂଲଣ୍ଡକୁ ପରାସ୍ତ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୭.୫ ଓଭରରେ ୨୫୮ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଜବାବରେ ଭାରତ ୪୫.୨ ଓଭରରେ ୪ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଅଲରାଉଣ୍ଡ୍ ପ୍ରଦର୍ଶନ କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଅକ୍ଷର ପଟେଲ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ଭାରତର ଏହି ପ୍ରଥମ ଦିନିକିଆ ବିଜୟ ଟି-ଟ୍ୱେଣ୍ଟି ସିରିଜ୍ ପରାଜୟ ଦୁଃଖକୁ ଟିକେ କମ୍‌ କରିଛି ।

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ଇଂଲଣ୍ଡ ପାଇଁ ମହଙ୍ଗା ପଡ଼ିଥିଲା । ଯଶପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା ଓ ଗୁରନୂର ବ୍ରାରଙ୍କୁ ନେଇ ଗଠିତ ଭାରତୀୟ ପେସ୍ ବାହିନୀର ମୁକାବିଲା କରିବାରେ ଘରୋଇ ଦଳ ବିଫଳ ହୋଇଥିଲା । ବେନ ଡକେଟ୍ ଓ ଜାକବ ବେଥେଲ ସତର୍କତାର ସହ ବ୍ୟାଟିଂ କରି ୬୧ ରନ ସଂଗ୍ରହ କରିଥିଲେ । ବେଥେଲ ୧୪ ରନ କରି ପ୍ରଥମେ ଆଉଟ୍ ହୋଇଥିଲେ । ଏହାପରେ ଇଂଲଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୦୭ରନ୍ରେ ୬ଟି ୱିକେଟ୍ ହରାଇଥିଲା ।

ଡକେଟ୍ କିଛି ଦର୍ଶନୀୟ ସଟ୍ ଖେଳିଥିଲେ ହେଁ ୪୩ (୪ଚୌକା, ୨ଛକା) ରନ କରି ଆଉଟ୍ ହୋଇଥିଲେ । ସେହିପରି ହ୍ୟାରୀ ବ୍ରୁକ୍ ୧, ଜୋସ ବଟଲର ୫ ରନ କରିଥିବାବେଳେ ସାମ କୁରାନ ଖାତା ଖୋଲି ପାରି ନଥିଲେ । ୱିଲ ଜ୍ୟାକ୍ସ ୨୦ ରନ କରି ବିଦାୟ ନେଇଥିଲେ । ପ୍ରଥମ ୱିକେଟ୍ ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ଜୋ ରୁଟ୍ଙ୍କ ସହ ଲାଏମ ଡାଓସନ ମିଶି ସ୍ଥିତି ସୁଧାରିଥିଲେ । ଉଭୟ ଲଢୁଆ ବ୍ୟାଟିଂ କରି ପଞ୍ଚମ ୱିକେଟ୍ରେ ୧୨୧ ରନ ଯୋଗ କରିଥିଲେ । ଦଳୀୟ ସ୍କୋର ୨୨୮ ବେଳେ ଡାଓସନ ବ୍ୟକ୍ତିଗତ ୬୮ (୬ଚୌକା, ୧ଛକା) ରନ କରି ଆଉଟ୍ ହୋଇଥିଲେ । ପରବର୍ତ୍ତୀ ୩୦ ରନ୍ରେ ଦଳ ଶେଷ ୩ଟି ୱିକେଟ୍ ହରାଇ ମୋଟ୍ ୨୫୮ ରନ କରି ଅଲ ଆଉଟ୍ ହୋଇ ଯାଇଥିଲା । ରୁଟ୍ ୭୬ ରନ କରି ଅପରାଜିତ ରହିଥିଲେ ।

ଭାରତ ପକ୍ଷରୁ ଅକ୍ଷର ପଟେଲ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ । ପ୍ରସିଦ୍ଧ କ୍ରିଷ୍ଣା ଓ ଗୁରନୂର ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଜବାବରେ ଭାରତ ୪୮ ରନ୍ରେ ଉଭୟ ଭେଟେରାନ ରୋହିତ ଶର୍ମା (୧୧) ଓ ବିରାଟ କୋହଲି (୫)ଙ୍କୁ ହରାଇ ସଂକଟରେ ପଡ଼ି ଯାଇଥିଲା । ଅନ୍ୟ ଓପନର ଶୁଭମନ ଗିଲଙ୍କ ସହ ଶ୍ରେୟାସ ଆୟର ମିଶି ସ୍ଥିତି ସୁଧାରିଥିଲେ । ଉଭୟ ଦର୍ଶନୀୟ ସଟ୍ମାନ ଖେଳି ଦଳୀୟ ସ୍କୋରକୁ ୧୪୯ରେ ପହଞ୍ଚାଇଥିଲେ । ୨୫.୪ତମ ଓଭରରେ ଗିଲ୍ ଆହତ ହୋଇଥିଲେ । ବ୍ୟକ୍ତିଗତ ୮୦ (୧୧ଚୌକା, ୧ଛକା) ରନ କରି ସେ ରିଟାୟାର୍ଡ ହର୍ଟ ହୋଇ ପାଭିଲିୟନ ଫେରିଥିଲେ ।

ଏହା ବି ପଢନ୍ତୁ...IND vs ENG: ରୋହିତ-କୋହଲିଙ୍କ କମ୍ବ୍ୟାକ୍ କାଫି ନୁହେଁ...ଏ ୪ଟି ପ୍ରଶ୍ନ ବଢାଉଛି ଟିମ୍ ଇଣ୍ଡିଆ ଟେନ୍ସନ୍ 

ପରେ ପରେ ଆୟର ୩୫ ଓ କେଏଲ ରାହୁଲ ୧ ରନ କରି ବିଦାୟ ନେଇଥିଲେ । ୧୬୦ ରନ୍ରେ ଦଳ ୪ଟି ୱିକେଟ୍ ହରାଇଥିଲା । ଏହାପରେ ୱାସିଂଟନ ସୁନ୍ଦର ଓ ଅକ୍ଷର ପଟେଲ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଇଂଲଣ୍ଡ ଏହି ଯୋଡି ଭାଙ୍ଗି ପାରିନଥିଲା । ଉଭୟ ଅର୍ଦ୍ଧଶତକ ଅର୍ଜନ କରିବା ସହ ୨୬ଟି ବଲ୍ ବାକି ଥାଇ ଦଳକୁ ବିଜୟୀ କରାଇଥିଲେ । ଅକ୍ଷର ୫୭ (୫ଚୌକା, ୧ଛକା) ଓ ସୁନ୍ଦର ୫୨ (୪ଚୌକା, ୧ଛକା) ରନ କରିଥିଲେ ।