ନୂଆଦିଲ୍ଲୀ,୧୪/୦୭; ଆଉ କିଛି ସମୟର ଅପେକ୍ଷା । ଏଜବାଷ୍ଟନରେ ଖେଳାଯିବ ଭାରତ ବନାମ ଇଂଲଣ୍ଡ ପ୍ରଥମ ଦିନିକିଆ । ସିରିଜ ଜିତି ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଟି-୨୦ରେ ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ହାତରୁ ଲଗାତାର ଲଜ୍ଜାଜନକ ପରାଜୟ ପରେ, ଭାରତ ଏବେ କେବଳ ଦିନିକିଆ ସିରିଜ ଜିତିବା ନୁହେଁ ବରଂ ନିଜର ହଜିଯାଇଥିବା ବିଶ୍ୱସନୀୟତା ଫେରି ପାଇବାର ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି । ଏହି ସିରିଜ ୨୦୨୭ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳ ପାଇଁ ଏକ ଫାଇନାଲ୍ ଠାରୁ କମ୍ ନୁହେଁ । ଦୁଇ ସପ୍ତାହ ପୂର୍ବେ ଭାରତୀୟ ଦଳକୁ ସୀମିତ ଓଭର କ୍ରିକେଟରେ ସବୁଠାରୁ ବିପଜ୍ଜନକ ଦଳ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଉଥିଲା । କିନ୍ତୁ ୧୪ ଦିନରେ ପରିସ୍ଥିତି ବଦଳିଯାଇଛି । ପ୍ରଥମେ ଆୟର୍ଲାଣ୍ଡ ଏବଂ ପରେ ଇଂଲଣ୍ଡଠାରୁ ଟି-ଟ୍ୱେଣ୍ଟି ସିରିଜ ହାରିବା ଭାରତୀୟ ଫ୍ୟାନ୍ସଙ୍କୁ ଚକିତ କରିଥିଲା । ବ୍ୟାଟିଂ ଅସ୍ଥିର ଥିଲା, ବୋଲିଂ ଦୁର୍ବଳ ଥିଲା ଏବଂ ଫିଲ୍ଡିଂ ମଧ୍ୟ ଖରାପ ସ୍ଥିତିରେ ରହିଥିଲା । ଫର୍ମାଟ୍ ବଦଳିଛି କିନ୍ତୁ ପ୍ରଶ୍ନ ସମାନ । ଟିମ୍ ଇଣ୍ଡିଆ କଣ ବିଦେଶ ମାଟିରେ କମବ୍ୟାକ୍ କରିପାରିବ କି ?

ଟି-ଟ୍ୱେଣ୍ଟି ଆଘାତ ଏବେ ତାଜା- ବ୍ୟାକ୍ ଟୁ ବ୍ୟାକ୍ ଟି-ଟ୍ୱେଣ୍ଟି ସିରିଜ ପରାଜୟ ଭାରତର ମନୋବଳ ଭାଙ୍ଗି ଦେଇଛି । ଏବେ ବି ଟି-ଟ୍ୱେଣ୍ଟି ଆଘାତ ତାଜା ଅଛି । ୨ ବର୍ଷ ଧରି ଭାରତ ଟି-ଟ୍ୱେଣ୍ଟି କ୍ରିକେଟରେ ପ୍ରାଧାନ୍ୟ ବିସ୍ତାର କରିଥିଲା । ଇଂଲଣ୍ଡ ଗସ୍ତରେ ନମ୍ବର ୱାନରୁ ଖସି ଦ୍ୱିତୀୟ ସ୍ଥାନରେ ରହିଛି ଟିମ୍ ଇଣ୍ଡିଆ । ଟି-ଟ୍ୱେଣ୍ଟି ପରାଜୟର ପ୍ରଶ୍ନଗୁଡିକ ଏବେ ଦିନିକିଆରେ ଖୋଜିବ ଭାରତ । ବଡ଼ ଷ୍ଚାର କ୍ରିକେଟରଙ୍କ କମବ୍ୟାକ ହେଉଛି । ବିରାଟ କୋହଲି, ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମରା ଫେରୁଛନ୍ତି । ରୋହିତଙ୍କ ଉପସ୍ଥିତି ଡ୍ରେସିଂ ରୁମରେ ଆତ୍ମବିଶ୍ୱାସ ବଢାଇଛି । ଶୁଭମନ ଗିଲ୍ ନିଜକୁ ପ୍ରମାଣିତ କରିବାର ସୁଯୋଗ ରହିଛି । କେଏଲ ରାହୁଲ ମଧ୍ୟକ୍ରମକୁ ମଜବୁତ କରିବେ ।

ଯଶପ୍ରୀତ ବୁମରାଙ୍କ କମବ୍ୟାକ୍- ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ ପରେ ପ୍ରଥମ ଥର ପାଇଁ ଏହି ଫର୍ମାଟରେ ଖେଳିବାକୁ ଯାଉଛନ୍ତି । ୯୬୮ ଦିନ ପରେ ଭାରତ ପାଇଁ ମୈଦାନକୁ ଓହ୍ଲାଇବେ ବୁମରା । ୨୦୨୩ ଦିନିକିଆ ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ଫାଇନାଲ ଖେଳିଥିଲେ । କିନ୍ତୁ କେବଳ ବଡ଼ ନାମ ରଖିଲେ ମ୍ୟାଚ୍ ଜିତିହୁଏ ନାହିଁ । ପ୍ରଦର୍ଶନ କରିବାକୁ ପଡିବ ।

୧. ତୁରନ୍ତ ଲୟ ଫେରି ପାଇବେ କି ବିରାଟ-ବୁମରା ? ବିରାଟ କୋହଲି ଏବଂ ଯସପ୍ରୀତ ବୁମରା ଦୀର୍ଘ ସମୟ ପରେ ଦିନିକିଆ କ୍ରିକେଟକୁ ଫେରିଛନ୍ତି। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ ସେମାନେ କୌଣସି ପ୍ରସ୍ତୁତି ବିନା ସେମାନଙ୍କର ପରିଚିତ ଲୟକୁ ଫେରିପାରିବେ କି ? ଶୀର୍ଷ ଖେଳାଳିମାନଙ୍କଠାରୁ ବଡ଼ ଇନିଂସ ଏବଂ ମ୍ୟାଚ୍ ବିଜୟୀ ସ୍ପେଲ୍ ଆଶା କରାଯାଏ । କିନ୍ତୁ ଲମ୍ବା ବ୍ରେକ୍ ପରେ ଗତି ଫେରି ପାଇବା ସହଜ ନୁହେଁ ।

୨. ସିରାଜଙ୍କ ବିନା ଦ୍ରୁତ ବୋଲିଂ କେତେ ଶକ୍ତିଶାଳୀ ହେବ ? ଏହି ଗସ୍ତରେ ମହମ୍ମଦ ସିରାଜ ଭାରତୀୟ ପେସ୍ ଆକ୍ରମଣର ଅଂଶ ନୁହଁନ୍ତି। ତେଣୁ, ନୂତନ ବଲ୍ ର ଦାୟିତ୍ୱ ଜସପ୍ରିତ ବୁମରାହ ଏବଂ ଅର୍ଶଦୀପ ସିଂହଙ୍କ ଉପରେ ରହିବ। ଅର୍ଶଦୀପ ସାମ୍ପ୍ରତିକ ମ୍ୟାଚ୍ ଗୁଡିକରେ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଦେଖି ନାହାନ୍ତି । ଯଦି ପ୍ରାରମ୍ଭିକ ଓଭରଗୁଡିକରେ ୱିକେଟ୍ ନ ନିଆଯାଏ, ତେବେ ଇଂଲଣ୍ଡର ଶକ୍ତିଶାଳୀ ବ୍ୟାଟିଂ ଭାରତକୁ ଅଡୁଆରେ ପକାଇପାରେ ।

ଏହା ବି ପଢନ୍ତୁ...IND vs ENG: ଗମ୍ଭୀର-କୋହଲିଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ! ପ୍ରାକ୍ଟିସ୍ ସେସନ୍ରେ ନୂଆ ବିବାଦ

୩. ହାର୍ଦ୍ଦିକଙ୍କ ସ୍ଥାନ କିଏ ନେବ ? ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନୀତିଶ କୁମାର ରେଡ୍ଡିଙ୍କ ଅନୁପସ୍ଥିତି ଦଳର ସନ୍ତୁଳନକୁ ବିପର୍ଯ୍ୟସ୍ତ କରିଛି। ହାର୍ଦ୍ଦିକ କେବଳ ଜଣେ ବ୍ୟାଟସମ୍ୟାନ୍ କିମ୍ବା ବୋଲର ନୁହଁନ୍ତି, ବରଂ ଜଣେ ଖେଳାଳି ଯିଏ ଉଭୟ ଭୂମିକା ଗ୍ରହଣ କରିପାରିବେ। ତାଙ୍କ ଅନୁପସ୍ଥିତିରେ, ଭାରତ ସାମ୍ନାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଜଣେ ଅତିରିକ୍ତ ବ୍ୟାଟର କିମ୍ବା ଜଣେ ଅତିରିକ୍ତ ବୋଲରଙ୍କୁ ଖେଳାଇବେ କି ନାହିଁ । ଅଧିନାୟକ ଶୁଭମନ ଗିଲ୍ ଏବଂ ଦଳ ପରିଚାଳନା ପାଇଁ ସଠିକ୍ ମିଶ୍ରଣ ବାଛିବା କଷ୍ଟକର ହେବ ।

୪. ଚାପ ସମ୍ଭାଳି ପାରିବେ ତ ଗିଲ୍ ? କ୍ୟାପ୍ଟେନ୍ ଶୁଭମନ ଗିଲଙ୍କ ପାଇଁ, ଏହା କେବଳ ତାଙ୍କ ବ୍ୟାଟିଂର ପରୀକ୍ଷା ନୁହେଁ, ବରଂ ତାଙ୍କ ଅଧିନାୟକତ୍ୱର ମଧ୍ୟ ପରୀକ୍ଷା । ଟି-୨୦ ସିରିଜରେ ଲଗାତାର ପରାଜୟ ପରେ, ତାଙ୍କ ରଣନୀତି ଏବଂ ନିଷ୍ପତ୍ତି ନେବା ଉପରେ ପ୍ରଶ୍ନ ଉଠିଥିଲା । ଏବେ ସେ ଦିନିକିଆରେ ଏକ ଅଭିଜ୍ଞ ଇଂଲଣ୍ଡ ଦଳକୁ ସାମ୍ନା କରିବେ । ଡିଫେଣ୍ଡ, ବୋଲିଂ ପରିବର୍ତ୍ତନ ଏବଂ ଚାପରେ ନିଆଯାଇଥିବା ନିଷ୍ପତ୍ତି ନିର୍ଣ୍ଣୟ କରିବ ଯେ ଗିଲ୍ ଜଣେ ଅଧିନାୟକ ଭାବରେ କେତେ ପରିପକ୍ୱ ହୋଇଛନ୍ତି ।