ନୂଆଦିଲ୍ଲୀ,୧୮/୦୧: କିଏ ଜିତିବ ମ୍ୟାଚ ? କାହାର ହେବ ସିରିଜ୍ ? ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ସିରିଜ ନିର୍ଣ୍ଣାୟକ ତୃତୀୟ ଦିନିକିଆ ଖେଳାଯିବ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସାରିଛନ୍ତି । ତୃତୀୟ ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ନ୍ୟୁଜିଲାଣ୍ଡ ଆଜି ପର୍ଯ୍ୟନ୍ତ ଭାରତରେ କୌଣସି ଦିନିକିଆ ସିରିଜ ଜିତି ନାହିଁ । ଗତ ବର୍ଷ ଭାରତ ଆସି ଟେଷ୍ଟ ସିରିଜକୁ ୩-୦ରେ ମୂଳପୋଛ କରିବା ପରେ ନ୍ୟୁଜିଲାଣ୍ଡର ମନୋବଳ ଢ଼େର ଊଦ୍ଧ୍ୱର୍ରେ ରହିଛି । ଆଜିର ମ୍ୟାଚ ଜିତିବାକୁ କଳବଳ କୌଶଳ ଲଗାଇବ ଦଳ । କିଏ ମ୍ୟାଚ ସହ ସିରିଜ ଜିତୁଛି ତାହା ଉପରେ ଫ୍ୟାନ୍ସଙ୍କ ନଜର 

ଭାରତରେ ଟସ୍ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ନ୍ୟୁଜିଲାଣ୍ଡ ମଧ୍ୟ ଶୃଙ୍ଖଳିତ ଖେଳ ପ୍ରଦର୍ଶନ କରି ଭାରତର ଚିନ୍ତା ବଢ଼ାଇ ଦେଇଛି । ସ୍ପିନରଙ୍କ ବିପକ୍ଷରେ ଭାରତୀୟ ବ୍ୟାଟରଙ୍କ ବିଫଳତା ମଧ୍ୟ ପରାଜୟର ଅନ୍ୟ ଏକ କାରଣ ସାଜିଛି । ନ୍ୟୁଜିଲାଣ୍ଡର ବୋଲିଂ ବିଭାଗରେ ରହିଥିବା ବିଭିନ୍ନତା ଭାରତୀୟ ବ୍ୟାଟରଙ୍କୁ ବାନ୍ଧି ରଖିବାରେ ସଫଳ ହେଉଛି । ତେଣୁ ଆଜି ପ୍ରଥମେ ବ୍ୟାଟିଂ କଲେ ଭାରତକୁ ବିଶାଳ ସ୍କୋର କରିବାକୁ ହେବ । ତେଣୁ ନ୍ୟୁଜିଲାଣ୍ଡ ସ୍ପିନରଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ । ଦ୍ୱିତୀୟରେ ବ୍ୟାଟିଂ ମିଳିଲେ ପ୍ରାରମ୍ଭରୁ ଶୃଙ୍ଖଳିତ ବୋଲିଂ କରି ନ୍ୟୁଜିଲାଣ୍ଡକୁ କମ୍ ସ୍କୋର ମଧ୍ୟରେ ସୀମିତ ରଖିବାକୁ ପଡ଼ିବ । ହୋଲକାର ଷ୍ଟାଡ଼ିୟମ୍‌ରେ ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ । ଏହି ଗ୍ରାଉଣ୍ଡରେ ବୀରେନ୍ଦ୍ର ସେହୱାଗ ୨୧୯ ରନ୍‌ର ଇନିଂସ ଖେଳିଥିଲେ ଓ ଭାରତ ଉକ୍ତ ମ୍ୟାଚ୍ରେ ୪୧୮ ରନ ସଂଗ୍ରହ କରିଥିଲା । ଶେଷ ଦୁଇଟି ମ୍ୟାଚ୍‌ରେ ଭାରତ ଯଥାକ୍ରମେ ୩୯୯ ଓ ୩୮୫ ରନ ସଂଗ୍ରହ କରିଥିଲା । ତେଣୁ ଆଜି ମଧ୍ୟ ବିଶାଳ ସ୍କୋର ସଂଗୃହୀତ ହେବା ଏକ ପ୍ରକାର ନିଶ୍ଚିତ । ଦ୍ୱିତୀୟ ଦିନିକିଆରେ ଶତକୀୟ ପାଳି ଖେଳିଥିବା କେଏଲ ରାହୁଲଙ୍କ ଉପରେ ନଜର ରହିବ ।

​​​​​​​

ସମ୍ଭାବ୍ୟ ଭାରତୀୟ ଏକାଦଶ; ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ରବିନ୍ଦ୍ର ଜାଡେଜା, ନୀତିଶ କୁମାର ରେଡ୍ଡୀ/ଆୟୂଷ ବାଦୋନି, ହର୍ଷିତ ରାଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂହ/ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଏକାଦଶ; ଡେଭନ କନୱେ, ହେନରୀ ନିକୋଲ୍ସ, ୱିଲ ୟଙ୍ଗ, ଡାରିଲ ମିଚେଲ, ମାଇକେଲ ହେ, ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ୍ (ଅଧିନାୟକ), ଜ୍ୟାକ୍ ଫୋଲ୍କସ, କେଲି ଜାମିସନ, କ୍ରିଷ୍ଟିଆନ କ୍ଲାର୍କ, ଆଦିତ୍ୟ ଅଶୋକ/ଜେଡନ ଲେନକ୍ସ ।