ମାଲକାନଗିରି, ୨୨।୭ : ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ରାଜଧାନୀ ଭୁବନେଶ୍ଵର ଯିବା ଲାଗି ଆଉ ବସରେ ବସି ୧୫ ଘଣ୍ଟାର ଲମ୍ବା ଯାତ୍ରା କରିବାକୁ ପଡିବ ନାହିଁ । କାରଣ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ମାଲକାନଗିରି ବିମାନ ବନ୍ଦର । ବୁଧବାର ମାଲକାନଗିରି ବିମାନ ବନ୍ଦରରେ ଇଣ୍ଡିଆ ଅନ ଏୟାରର ପ୍ରଥମ ଯାତ୍ରୀବାହୀ ବିମାନ ପରୀକ୍ଷା ମୂଳକ ଭାବେ ଅବତରଣ କରିଛି ।
ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥା ସହ ଆନୁସାଙ୍ଗୀକ ବ୍ୟବସ୍ଥାର ତଦାରଖ କରିବା ପାଇଁ ମାଲକାନଗିରି ବିମାନ ବନ୍ଦରରେ ପହଞ୍ଚିଛନ୍ତି ବେସାମରିକ ବିମାନ ଚଳାଚଳ ବିଭାଗର ୨ ଜଣ ବରିଷ୍ଠ ଅଧିକାରୀ ମନୋଜ କୁମାର ଦାସ ଓ ନିରଜ କୁମାର ନାୟକ । ବିମାନ ବନ୍ଦରର ରନୱେ, ଟର୍ମିନାଲ, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଆଡଭାନ୍ସ ଲାଇଫ ସପୋର୍ଟ ସହ ବିମାନ ବନ୍ଦର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ବିମାନ ଅବତରଣ କରିବାର ତିନି ଘଣ୍ଟା ପୂର୍ବରୂ ସମସ୍ତ ବିଭାଗ ପ୍ରସ୍ତୁତ ରହିଥିଲେ । ଇଣ୍ଡିଆ ଅନ ଏୟାର ର ୯ ଆସନ ବିଶିଷ୍ଟ ବିମାନ ମାଲକାନଗିରି ଏୟାରପୋର୍ଟ ରେ ପହଞ୍ଚିବା ପରେ ଦମକଳ ବାହିନୀ ପକ୍ଷରୁ ୱାଟର କେନନ ଦିଆଯାଇ ବିମାନଟିକୁ ସ୍ବାଗତ କରାଯାଇଛି । ଟ୍ରାଏଲ ରନ ସଫଳ ହୋଇଥିବା ପାଇଲଟ କହିଛନ୍ତି । ଖୁବ ଶୀଘ୍ର ସାଧାରଣ ଯାତ୍ରୀ ମାଲକାନଗିରି ରୁ ବିମାନରେ ବସି ଯାତ୍ରୀ କରିପାରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।