PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଟିଏମରେ ଟଙ୍କା ଭରିବା ନେଇ ଗାଡିରେ ଯାଉଥିବା ବେଳେ ୫୭ ଲକ୍ଷ ଟଙ୍କା ଧରି ଡ୍ରାଇଭର ଫେରାର
  • ||
  • ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ଘଟଣାରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିଲମ୍ବିତ
  • ||
  • କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ମୁକ୍ତାର ଆବ୍ବାସ ନକଭି
  • ||
  • ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ରାଜଧାନୀ ମିଡ଼ିଆ ହାଉସ୍ ସିଇଓ ଥାନାରେ କଲେ ଅଭିଯୋଗ , ଯାତ୍ରା ରାଜିନାମା ଅଗ୍ରୀମ ଟଙ୍କା ଫେରସ୍ତ ନକରିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ରୁଜୁ ହୋଇଛି ମାମଲା, ପାର୍ବତୀ ଗଣନାଟ୍ୟ ଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ ଅଗ୍ରୀମ
  • ||
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ବିଶ୍ୱକପ୍‌ରେ ପାକ୍‌ ବିରୋଧରେ ଭାରତର ଲଗାତାର ସପ୍ତମ ବିଜୟ; ଧୂଳି ଚାଟିଲା ପାକିସ୍ତାନ, ହାରିଲା ୮୯ ରନ୍‌ରେ

India's Rohit Sharma celebrates reaching his century during the ICC Cricket World Cup group stage match at Emirates Old Trafford, Manchester. (Photo by Martin Rickett/PA Images via Getty Images)

ମାଞ୍ଚେଷ୍ଟର,୧୬ା୬ (ଏଜେନ୍ସି): କ୍ରିକେଟ ପ୍ରେମୀ ଅପେକ୍ଷା କରିଥିଲେ ହାଇଭୋଲ୍‌ଟେଜ୍‌ ମ୍ୟାଚକୁ । ମୁକାବିଲା ଥିଲା ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ । କିନ୍ତୁ ଭାରତ ବିପକ୍ଷରେ ବିଶ୍ୱକପରେ ପାକିସ୍ତାନର ବିଜୟ ସ୍ୱପ୍ନ ପୁଣି ଧୂଳିସାତ୍‌ ହୋଇଛି । ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ସବୁଥିରେ ପାକିସ୍ତାନ ଧୂଳି ଚାଟିଛି । ଦଳ ଶୋଚନୀୟ ପରାଜୟ ଆଡକୁ ଯାଉଥିବା ବେଳେ ବର୍ଷା କେବଳ ଏହାକୁ କିଛି ସମୟ ବିଳମ୍ବିତ କରିଥିଲା ଏବଂ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡ୍‌ରେ ପାକିସ୍ତାନକୁ ୮୯ ରନ୍‌(ଡି/ଏଲ୍‌ ନିୟମ) ରେ ହରାଇ ଭାରତ ବିଜୟ ଧାରା ଜାରି ରଖିଛି ।

ଏଥିସହ ପାକିସ୍ତାନ ବିପକ୍ଷରେ ଭାରତ ବିଶ୍ୱକପ୍‌ରେ ସପ୍ତମ ବିଜୟ ହାସଲ କରିଛି । ବାଦଲ ଢଙ୍କା ଆକାଶ ପରିବେଶରେ ଟସ୍‌ ଜିତି ପାକିସ୍ତାନ ଭାରତକୁ ବ୍ୟାଟିଂ କରିବାକୁ ଆହ୍ୱାନ ଦେଇଥିଲା । ପଡ଼ିଆକୁ ଓହ୍ଲାଇଥିଲେ ଦୁଇ ଓପନର । ଶିଖର ଧାୱନଙ୍କ ବଦଳରେ ରୋହିତ ଶର୍ମାଙ୍କ ଯୋଡ଼ି ଥିଲେ ଲୋକେଶ ରାହୁଲ । ଟିମ୍‌ ଇଣ୍ଡିଆର ସମର୍ଥକ ସଂଶୟରେ ଥିଲେ । ପାକ୍‌ ବିରୋଧରେ ପ୍ରଥମ ଥର ଏହି ଯୋଡ଼ି ଓହ୍ଲାଇଛନ୍ତି । କ’ଣ ହେବ? କିନ୍ତୁ ସବୁ ଆଶଙ୍କାକୁ ହଟାଇ ରାହୁଲ ରୋହିତଙ୍କୁ ସାଥ୍‌ ଦେଇଥିଲେ । ଭାରତ ୫ ୱିକେଟ୍‌ ବିନିମୟରେ ସଂଗ୍ରହ କରିଥିଲା ୩୩୬ ରନ୍‌ । ଏହାର ଜବାବରେ ପାକିସ୍ତାନ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୫ ଓଭର ସୁଦ୍ଧା ୬/୧୬୬ ରନ୍‌ ସଂଗ୍ରହ କରିଥିଲା । ବର୍ଷା ଯୋଗୁଁ ଡକ୍‌ ୱର୍ଥ ଲୁଇସ୍‌ ନିୟମ ଅନୁଯାୟୀ ୪୦ ଓଭରରେ ୩୦୨ ରନ୍‌ ଧାର୍ଯ୍ୟ କରାଯାଇଥିବାବେଳେ ପାକିସ୍ତାନ ୨୧୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରୋହିତ ଶର୍ମା ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।

ମାଞ୍ଚେଷ୍ଟରରେ ବର୍ଷା ଭୟ ରହିଥିବାରୁ ଟସ୍‌ ଉପରେ ସମସ୍ତଙ୍କ ନଜର ରହିଥିଲା । ଅପରାହ୍ଣରେ ବର୍ଷା ଆଶଙ୍କା ଥିବାରୁ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନେବାକୁ ଉଭୟ ଦଳର ଅଧିନାୟକ ଲକ୍ଷ୍ୟ ରଖିଥିଲେ । ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଧାୱନଙ୍କ ଅନୁପସ୍ଥିତିରେ ଆକ୍ରମଣ ଦାୟିତ୍ୱ ରୋହିତଙ୍କ ଉପରେ ନ୍ୟସ୍ତ ଥିଲା । ରାହୁଲ କ୍ରିଜ୍‌ରେ ଜମିବା ପାଇଁ ସମୟ ନେଉଥିବାବେଳେ ରୋହିତ ଦିଶାହୀନ ବଲ୍‌କୁ ବାଉଣ୍ଡାରୀ ପଠାଇବାରେ ହେଳା କରିନଥିଲେ । ସେ ୩୪ଟି ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଦଳୀୟ ସ୍କୋର ଧୀରେ ଧୀରେ ଆଗେଇ ଚାଲିଥିଲା । ରୋହିତଙ୍କ ସହ ତାଳ ଦେଇ ରାହୁଲ ଅର୍ଦ୍ଧଶତକ ଅର୍ଜନ କଲେ । ଉଭୟ ୧୩୬ ରନ୍‌ର ଭାଗିଦାରି ଗଠନ କରି ମୂଳଦୁଆ ସୁଦୃଢ଼ କରିଦେଇଥିଲେ । ୨୪ତମ ଓଭରରେ ରାହୁଲଙ୍କୁ ଆଉଟ୍‌ କରି ୱାହାବ ରିୟାଜ ଦଳ ପାଇଁ ପ୍ରଥମ ସଫଳତା ଆଣିଥିଲେ । ରାହୁଲ ୫୭(୩ଟି ଚୌକା ଓ ୨ଟି ଛକା) ରନ୍‌ କରି ଆଉଟ୍‌ ହୋଇଥିଲେ ।

ରୋହିତଙ୍କ ସହ ବିରାଟ କୋହଲି କ୍ରିଜ୍‌ରେ ଯୋଗ ଦେବା ପରେ ଦଳୀୟ ସ୍କୋର ଦ୍ରୁତ ବେଗରେ ଆଗେଇଥିଲା । ରୋହିତ ଆକ୍ରମଣ ଜାରି ରଖି ୮୫ଟି ବଲ୍‌ରୁ ଶତକ ଅର୍ଜନ କରିଥିଲେ । ଦ୍ୱିତୀୟ ୱିକେଟ୍‌ରେ ୯୮ ରନ୍‌ ସଂଗୃହୀତ ହୋଇଥିଲା । ଦଳୀୟ ସ୍କୋର ୨୩୪ ବେଳେ ହାସାନ ଅଲିଙ୍କ ବଲ୍‌କୁ ଫାଇନ୍‌ ଲେଗ୍‌ ଅଞ୍ଚଳକୁ ଖେଳିବାକୁ ଯାଇ ରୋହିତ କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ୧୧୩ଟି ବଲ୍‌ରୁ ୧୪ଟି ଚୌକା ଓ ୩ଟି ଛକା ବଳରେ ୧୪୦ ରନ୍‌ କରିଥିଲେ ।

ବ୍ୟାଟିଂ କ୍ରମରେ ପଦୋନ୍ନତି ପାଇ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ୨୬ (୨ଚୌକା ୧ଛକା) ରନ୍‌ କରିଥିଲେ । ସେ କୋହଲିଙ୍କ ସହ ତୃତୀୟ ୱିକେଟ୍‌ରେ ୫୧ ରନ୍‌ ଯୋଗ କରିଥିଲେ । ପାଣ୍ଡ୍ୟାଙ୍କ ୱିକେଟ୍‌ର ପତନ ପରେ ଭାରତ ସହଳ ମହେନ୍ଦ୍ର ସିଂ ଧୋନି(୧)ଙ୍କ ୱିକେଟ୍‌ ହରାଇଥିଲା । ପରେ ପରେ କୋହଲି ବ୍ୟକ୍ତିଗତ ୭୭(୭) ରନ୍‌ କରି ଆଉଟ୍‌ ହୋଇଥିଲେ । ବିଜୟ ଶଙ୍କର(୧୫) ଓ କେଦାର ଯାଦବ(୯) ଅପରାଜିତ ରହି ଦଳୀୟ ସ୍କୋରକୁ ୩୩୬ରେ ପହଞ୍ଚାଇଥିଲେ । ପାକିସ୍ତାନ ପକ୍ଷରୁ ଅମୀର ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲେ ।

୩୩୭ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ନେଇ ପାକିସ୍ତାନ ବ୍ୟାଟିଂ ଆରମ୍ଭ କରିଥିଲା । ଦୁଇ ଓପନର ଇମାମ ଉଲ୍‌-ହକ୍‌ ଓ ଫଖର ଜମାନ ସତର୍କତାର ସହ ବ୍ୟାଟିଂ କରୁଥିଲେ । ପଞ୍ଚମ ଓଭର ବୋଲିଂ କରୁଥିବାବେଳେ ଭୁବନେଶ୍ୱର କୁମାର ଆହତ ହୋଇଥିଲେ । କୋହଲି ଏହି ଓଭରର ଶେଷ ୨ଟି ବଲ୍‌ ପକାଇବା ପାଇଁ ବିଜୟ ଶଙ୍କରଙ୍କୁ ସୁଯୋଗ ଦେଇଥିଲେ । ପ୍ରଥମ ବଲ୍‌ରେ ଶଙ୍କର ଯୋଡି ଭାଙ୍ଗିଥିଲେ । ସେ ଇମାମ(୭)ଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ବାବର ଆଜମ ଅପରାଜିତ ଜମାନଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ । ଉଭୟ ଭାରତୀୟ ବୋଲରଙ୍କୁ ସାହସର ସହ ସାମ୍ନା କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଦ୍ୱିତୀୟ ୱିକେଟ୍‌ରେ ୧୧୩ ରନ୍‌ ସଂଗୃହୀତ ହୋଇଥିଲା । ଭାରତର ଚିନ୍ତା ବଢି ଯାଇଥିଲା । ୨୪ତମ ଓଭରରେ ବାବର(୪୮)ଙ୍କୁ ଆଉଟ୍‌ କରି ଦଳ ପାଇଁ ଦ୍ୱିତୀୟ ସଫଳତା ଆଣିଥିଲେ । ଏହାପରେ ଆରମ୍ଭ ହୋଇ ଯାଇଥିଲା ବିପର୍ଯ୍ୟୟ । ୬୨ରନ୍‌ କରିଥିବାବେଳେ ଜମାନ ସାଜିଥିଲେ କୁଲଦୀପଙ୍କ ଦ୍ୱିତୀୟ ଶିକାର । ୨୭ତମ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ଉଭୟ ମହମ୍ମଦ ହାଫିଜ(୯) ଓ ସୋହେବ ମଲିକ୍‌(୦)ଙ୍କୁ ପାଭିଲିୟନ ପଠାଇ ଦେଇଥିଲେ । ସର୍ଫରାଜ(୧୨) ମଧ୍ୟ ସହଳ ବିଦାୟ ନେଇଥିଲେ । ୧୬୫ରନ୍‌ରେ ପାକିସ୍ତାନ ୬ଟି ୱିକେଟ୍‌ ହରାଇ ସଂକଟରେ ପଡ଼ିଯାଇଥିଲା । ୩୫ ଓଭର ଶେଷ ସୁଦ୍ଧା ବର୍ଷା ଆରମ୍ଭ ହୋଇ ଯାଇଥିଲା ।

୫୦ ମିନିଟ୍‌ ପରେ ଖେଳ ଆରମ୍ଭ ହୋଇଥିଲା । ଡକ୍‌ ୱର୍ଥ ଲୁଇସ୍‌ ନିୟମ ଅନୁଯାୟୀ ପାକିସ୍ତାନ ସମ୍ମୁଖରେ ବିଜୟ ପାଇଁ ୪୦ ଓଭରରେ ୩୦୨ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଅର୍ଥାତ୍‌ ୩୫ ଓଭର ଖେଳି ସାରିଥିବା ପାକିସ୍ତାନ ଶେଷ ୫ ଓଭରରେ ବିଜୟ ପାଇଁ ୧୩୬ ରନ୍‌ ଆବଶ୍ୟକ କରୁଥିଲା । ପାକିସ୍ତାନ ୬ ୱିକେଟ୍‌ ହରାଇ ୨୧୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଶଦାବ ଖାନ୍‌ ୨୦ ଓ ଇମାଦ ୱାସିମ ୪୬ ରନ କରି ଅପରାଜିତ ରହିଥିଲେ । ଭାରତ ପକ୍ଷରୁ ବିଜୟ ଶଙ୍କର, କୁଲଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।

ସମ୍ବନ୍ଧିତ ଖବର