ନୂଆଦିଲ୍ଳୀ ; ୯/୧ : ଭାରତ-ପାକିସ୍ତାନ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଯେବେ ମୁହାଁମୁହିଁ ହୁଏ ସେବେ ଚର୍ଚ୍ଚାର ବିଷୟ ପାଲଟେ । ସେ କ୍ରିକେଟ ମଇଦାନ ହେଉ ଅବା ବାକ୍ ଯୁଦ୍ଧ । କ୍ରିକେଟରେ ଭାରତଠାରୁ ଗତ କିଛି ଟୁର୍ଣ୍ଣାମେଣ୍ଟ ପରାଜୟର ଧାର ଜାରି ରଖିଛି ପାକିସ୍ତାନ । ଲଗାତାର ଭାରତଠାରୁ ହାରିବା ପରେ ମଧ୍ୟ ପାକିସ୍ତାନୀ ଖେଳାଳିଙ୍କ ମୁହଁତୋଡ କମିନାହିଁ । ଟି-୨୦ ବିଶ୍ବକପ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତକୁ ନେଇ ବଡ଼ ବୟାନ ଦେଇଛନ୍ତି ସାହିନଶାହା ଆଫ୍ରିଦ୍ ।

୨୦୨୬ ଟି-୨୦ ବିଶ୍ବକପ ଭାରତ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଯାଉଛି । ପାକିସ୍ତାନ ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳିବ । ଏହାରି ଭିତରେ ବାଂଲାଦେଶ ମଧ୍ୟ ଭେନ୍ୟୁ ବଦଳାଇବା ପାଇଁ ଦ୍ବିତୀୟଥର ଲାଗି ଆଇସିସିକୁ ଚିଠି ଲେଖିଛି । ବିସିସିଆଇ ସିଧା ସିଧା ମନା କରି ଦେଇଥିବାବେଳେ ଏହାରି ଭିତରେ ଜାରିଶୁଣି କେଁ ପୁରାଉଛି ପାକିସ୍ତାନ । ସୋସିଆଲ ମିଡିଆରେ ଭାରତ ବିପକ୍ଷରେ ବିଭିନ୍ନ ଭିଡିଓ ସବୁ ବନାଉଛି । ତେବେ ଏହାରି ଭିତରେ ପାକିସ୍ତାନର ଦ୍ରୁତ ବୋଲର ସାହିନଶାହା ଆଫ୍ରିଦ୍ କହିଛନ୍ତି କି, ସୀମାପାର୍ ଲୋକମାନେ କ୍ରିକେଟକୁ ନେଇ ରାଜନୀତି କରୁଛନ୍ତି । ସେମାନେ କ୍ରିକେଟର ସୀମାକୁ ଉଲଙ୍ଘନ କରୁଛନ୍ତି । ଆମର ଧ୍ୟାନ କେବଳ କ୍ରିକେଟ ଉପରେ ଏହାର ଜବାବ ଆମେ ମ୍ୟାଚରେ ଦେବୁ ।

କହି ରଖୁଛୁ କି, ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ସିରିଜ୍ ଖେଳାଯାଉନାହିଁ । କେବଳ ଆଇସିସିର ଇଭେଣ୍ଟରେ ଏହି ଦୁଇ ପାରମ୍ପରିକ ଶତ୍ରୁତା ଥିବା ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଉଛି । ଲଗାତାର ଭାରତ ବିଜୟଧାରା ଜାରି ରଖିଛି । ଏସିଆ କପରେ ପାକିସ୍ତାନକୁ ରୋମାଞ୍ଚକ ମ୍ୟାଚରେ ଭାରତ ହରାଇଥିଲା । ଏବେ ପୁଣି ଟି-୨୦ ବିା୍ବକପ ଆସୁଥିବାବେଳେ ପାକିସ୍ତାନକୁ ଭାରତ ଆସନ୍ତା ୧୫ ତାରିଖରେ ଭେଟିବ । ଏହି ମ୍ୟାଚ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ । ମ୍ୟାଚ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଜାରି ରହିଛି । ଭାରତ ପୁଣିଥରେ ଏହି ମ୍ୟାଚ ଜିତି ପାକିସ୍ତାନର ମୁହଁ ବନ୍ଦ କରିବ ବୋଲି ଫ୍ୟାନ୍ସମାନେ ଆଶା ରଖିଛନ୍ତି ।

ଟି-୨୦ରେ ପାକିସ୍ତାନ ବିପକ୍ଷରେ ଭାରତର ରେକର୍ଡ

ଟି-୨୦ କ୍ରିକେଟରେ ଭାରତ ଏବେ ଦମଦାର ପ୍ରଦର୍ଶନ ଜାରି ରଖିଛି । ଯଦି ପାକିସ୍ତାନ ବିପକ୍ଷରେ ଭାରତର ରେକର୍ଡ କଥା କହିବା ତାହେଲେ ଉଭୟ ଦଳ ୧୬ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଭାରତ ୧୩ଥର ଜିତିଥିବାବେଳେ ପାକିସ୍ତାନ ମାତ୍ର ୩ଥର ଜିତିଛି । ଏଥି ମଧ୍ୟରୁ ଭାରତ ସିଧାସଳଖ ଭାବେ ୧୨ଥର ଜିତିଛି । ଗୋଟିଏ ମ୍ୟାଚ ଟାଇ ହୋଇଥିବାବେଳେ ବଲ ଆଉଟରେ ଭାରତ ଜିତିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ୨୦୨୨ ମସିହା ପରଠାରୁ ପାକିସ୍ତାନ ଭାରତଠାରୁ ଗୋଟିଏ ବି ଟି-୨୦ ମ୍ୟାଚ୍ ଜିତିନାହିଁ । ଏଣୁ ଭାରତ ଟି-୨୦ ବିଶ୍ବକପରେ ଏହି ବିଜୟଧାରା ଜାରି ରଖିବା ସହ ରେକର୍ଡକୁ ବଜାୟ ରଖିବ ବୋଲି କୁହାଯାଉଛି ।