କଟକ ୦୭/୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜର ୩ଟି ଯାକ ମ୍ୟାଚରେ ଡ୍ୟୁ ଫ୍ୟାକ୍ଟର ବା କାକାର ପଡିବା ଯୋଗୁଁ ମ୍ୟାଚରେ ଅନେକ ଗୁଡିଏ ସମସ୍ୟା ଦେଖା ଦେଇଥିଲା । ବିଶେଷ କରି ଆଉଟ୍ ଫିଲ୍ଡରେ ଅତ୍ୟଧିକ କାକର ପଡିବା ଯୋଗୁଁ ଦ୍ୱିତୀୟ ପାଳିରେ ଫିଲ୍ଡିଂ ଓ ବୋଲିଂ କରୁଥିବା ଟମ୍ର ପ୍ରଦର୍ଶନରେ ପ୍ରଭାବ ପଡ଼ିଥିଲା । ଦୁଇଦିନ ପରେ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବ ଭାରତ- ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମୁକାବିଲା । ମହାନଦୀ କୂଳରେ ରହିଥିବା ବାରବାଟୀ ଷ୍ଟାଡିୟମ୍ରେ କାକର ବା ଡ୍ୟୁ ଫ୍ୟାକ୍ଟର ନିଶ୍ଚିତ ଭାବେ ମ୍ୟାଚରେ ପ୍ରଭାବ ପକାଇବା ଆଶଙ୍କା ରହିଛି । ଏଭଳି ଆଶଙ୍କାକୁ ଏଡାଇବାକୁ ଓଡ଼ିଶା କ୍ରିକେଟ ଆସୋସିଏସନ୍ ତରଫରୁ ବିଦେଶରୁ ସ୍ୱତନ୍ତ୍ର ଆଣ୍ଟି ଡ୍ୟୁ କେମିକାଲ୍ ଅଣାଯାଇଛି ।
ଆଜିଠୁ ମଙ୍ଗଳବାର ପର୍ଯ୍ୟନ୍ତ ତିନି ଦିନ ଧରି ଏହି କେମିକାଲ୍ ବାରବାଟୀ ପଡିଆର ଆଉଟ୍ ଫିଲ୍ଡରେ ପକାଯିବ ବୋଲି ଓସିଏର ମୁଖ୍ୟ ପିଚ୍ କ୍ୟୁରେଟର୍ ଡ. ଅଞ୍ଜନ କୁମାର ଖୁଣ୍ଟିଆ ପ୍ରକାଶ କରିଛନ୍ତି । ଶ୍ରୀ ଖୁଣ୍ଟିଆଙ୍କ ମତାନୁସାରେ, ଏହି କେମିକାଲ୍ ବିଦେଶରୁ ମଗାଯାଇଛି । ପୁନେର ଜଣେ ଡିଷ୍ଟ୍ରିବ୍ୟୁଟର୍ ଓସିଏକୁ ଯୋଗାଇ ଦେଇଛନ୍ତି । ସାଧାରଣତଃ ଗଲ୍ଫ ଖେଳ ପାଇଁ ରହିଥିବା ପଡିଆ ଗୁଡିକରେ ଏହି କେମିକାଲ୍ ବ୍ୟବହାର କରାଯାଏ । ପ୍ରଥମଥର ବାରବାଟୀ ଷ୍ଟାଡିୟମ୍ରେ ବିଦେଶର ଏହି ଆଣ୍ଟି ଡ୍ୟୁ କେମିକାଲ୍ ଛିଞ୍ଚନ କରାଯିବ।
ଆଜିଠୁ ମ୍ୟାଚ୍ ଦିନ (ମଙ୍ଗଳବାର) ପର୍ଯ୍ୟନ୍ତ ଏହି କେମିକାଲ ପକାଯିବ । ଏହି କେମିକାଲ୍ ଆଉଟ୍ ଫିଲ୍ଡର ଘାସ ଉପରେ ଲାଗିରହିବ । ଯାହାଫଳରେ କାକର ଗୁଡିକ ଘାସ ଉପରେ ଲାଗି ରହିବନାହିଁ, ପଡିବା ମାତ୍ରେ ତଳକୁ ଖସିଯିବ । ଏହାଛଡ଼ା ମ୍ୟାଚର ବ୍ରେକ୍ରେ ସୁପର୍ ସୋପର୍ ବ୍ୟବହାର କରାଯିବ । ଦରି ଓ ରସିରେ ଆଉଟ୍ ଫିଲ୍ଡ ବାରମ୍ବାର ସଫା କରାଯିବ । ଏନେଇ ବାରବାଟୀ ଷ୍ଟାଡିୟମ୍ରେ କ୍ୟୁରେଟରମାନଙ୍କ ବାଦ୍ ୮୦ଜଣ ଫିଲ୍ଡ ଷ୍ଟାଫ୍ ନିୟୋଜିତ ରହିବେ ।