ନୂଆଦିଲ୍ଲୀ,୨୨/୧୧; ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ । ଗୌହାଟୀ ବର୍ଷାପଡ଼ା ଷ୍ଟାଡିୟମରେ ଖେଳାଯାଉଛି ମ୍ୟାଚ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଦ.ଆଫ୍ରିକା । ଭାରତକୁ ବୋଲିଂ ଆମନ୍ତ୍ରଣ ଦେଇଛି ଭ୍ରମଣକାରୀ ଦଳ । ଭାରତ ପ୍ଲେଇଙ୍ଗ୍ ଇଲେଭେନ୍ରେ ୨ଟି ପରିବର୍ତ୍ତନ କରିଛି । ଶୁବମନ ଗିଲ୍ଙ୍କ ସ୍ଥାନରେ ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲଙ୍କ ସ୍ଥାନରେ ସାଇ ସୁଦର୍ଶନକୁ ସ୍ଥାନ ମିଳିଛି । ସେହପରି ଦ.ଆଫ୍ରିକା ଗୋଟିଏ ଚେଞ୍ଜ କରିଛି । କାର୍ବିନ ବୋସ୍ଙ୍କ ସ୍ଥାନରେ ସେନୁରାନ ମୁଥୁସାମିଙ୍କ ସୁଯୋଗ ଦେଇଛି । ସିରିଜରେ ୧-୦ରେ ଆଗୁଆ ଅଛି ସାଉଥ୍ ଆଫ୍ରିକା । ଆହତ ହୋଇ ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଛନ୍ତି କ୍ୟାପ୍ଟେନ ଶୁଭମନ ଗିଲ । ତାଙ୍କ ସ୍ଥାନରେ ରିଷବ ପନ୍ତ ଦଳର ନେତୃତ୍ୱ ନେଇଛନ୍ତି ।

ପ୍ରଥମ ଟେଷ୍ଟ ହାରି ସାରିଥିବାରୁ ଭାରତ ପାଇଁ ଏହି ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ତେଣୁ ସବୁ ଶକ୍ତି ଖଟାଇ ଏହି ମ୍ୟାଚ ଜିତିବାକୁ ପ୍ରୟାସ କରିବ ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ଅତି କମ୍ରେ ମ୍ୟାଚ୍ ଡ୍ର’ ରଖି ସିରିଜ ବିଜୟ ସହ ସ୍ୱଦେଶ ଫେରିବାକୁ ପ୍ରୟାସ କରିବ । ଫଳରେ ଆଗାମୀ ୫ଦିନ ଧରି ବର୍ଷାପଡ଼ା ଗ୍ରାଉଣ୍ଡ୍ରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିବ ।ଗୌହାଟୀରେ ପ୍ରଥମ କରି ଟେଷ୍ଟ ମ୍ୟାଚ୍‌ ଆୟୋଜନ ହୋଇଛି । ତେଣୁ ପିଚ୍‌ଠୁ ଆରମ୍ଭ କରି ସ୍ଥାନୀୟ ଜଳବାୟୁ ମଧ୍ୟ ଉଭୟ ଦଳ ପାଇଁ ନୂଆ ଅନୁଭୂତି ଆଣିବ । ଦ୍ୱିତୀୟ ଟେଷ୍ଟ ପାଇଁ ପିଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର ।

ଭାରତ ଏକାଦଶ: ଯଶସ୍ୱୀ ଜୈସ୍ୱାଲ୍, କେଏଲ ରାହୁଲ, ସାଇ ସୁଦର୍ଶନ, ଧ୍ରୁବ ଜୁରେଲ, ରିଷଭ ପନ୍ତ(ଅଧିନାୟକ/ୱିକେଟ୍ କିପର), ନୀତିଶ କୁମାର ରେଡ୍ଡୀ, ରବିନ୍ଦ୍ର ଜାଡେଜା, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।

ଦକ୍ଷିଣ ଆଫ୍ରିକା ଏକାଦଶ: ଆଡେନ ମାରକ୍ରମ,ର୍ୟାନ ରିକେଲଟନ, ୱିଆନ ମୁଲ୍ଡର, ସେନୁରାନ ମୁଥୁସାମି, ଟୋନି ଡିଜର୍ଜି, ତେମ୍ବା ବଭୁମା (ଅଧିନାୟକ),ଟ୍ରିଷ୍ଟନ ଷ୍ଟବ୍ସ, କେଲି ଭେରନ,ମାର୍କୋ ଜାନସେନ, ସିମନ ହାର୍ମର, କେଶବମହାରାଜ ।