ଧର୍ମଶାଳା, ୧୪/୧୨: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆସନ୍ତାକାଲି ଖେଳାଯିବ ତୃତୀୟ ଟି-ଟ୍ୱେଣ୍ଟି ମୁକାବିଲା । ଏଚପିସିଏ କ୍ରିକେଟ୍ ଗ୍ରାଉଣ୍ଡ ଓ ଏହା ନିକଟସ୍ଥ ଧଉଳଧର ପର୍ବତମାଳାର ସୌନ୍ଦର୍ଯ୍ୟ ହଜାର ହଜାର ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରି ରଖିଥିବାବେଳେ ଉଭୟ ଦଳ ଅଗ୍ରଣୀ ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି । ୧-୧ରେ ସିରିଜ ବରାବର ରହିଥିବାରୁ ପରବର୍ତ୍ତୀ ୩ଟି ଯାକ ମ୍ୟାଚ୍ ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।

ଚଣ୍ଡୀଗଡ଼ରେ ପରାଜୟ ପରେ ଭାରତୀୟ ଦଳ ପୁଣି ଥରେ ବିଜୟ ଧାରାକୁ ଫେରିବା ପାଇଁ ବ୍ୟାକୁଳ । ଚଳିତ ବର୍ଷ ଭାରତ ୧୭ଟି ଟି-ଟ୍ୱେଣ୍ଟି ଖେଳିଥିବାବେଳେ ଏଥିରୁ ୧୪ଟି ମ୍ୟାଚ୍ ଜିତିଛି । ମୁଲନପୁରରେ ଭାରତ ତୃତୀୟ ଥର ପାଇଁ ପରାଜୟର ସାମ୍ନା କରିଥିଲା । ଆଉ ମାତ୍ର ୨ମାସ ପରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଥିବାରୁ ଭାରତ ଏହା ପୂର୍ବରୁ ସବୁ ତ୍ରୁଟି ସୁଧାରି ନେବାକୁ ତତ୍ପର । ମାତ୍ର ସ୍ଥାନୀୟ ଥଣ୍ଡା ଜଳବାୟୁ ଭାରତର ସବୁ ରଣନୀତିକୁ ପ୍ରଭାବିତ କରିବା ନିଶ୍ଚିତ ।

ବ୍ୟାଟିଂ ବିଭାଗ ଓ ରଣନୀତିରେ ତ୍ରୁଟି ଯୋଗୁଁ ଭାରତ ଗତ ଟେଷ୍ଟ ସିରିଜ ପରାଜିତ ହୋଇଥିବାବେଳେ ଦିନିକିଆରେ ଗୋଟିଏ ମ୍ୟାଚ୍ ଓ ଟି-ଟ୍ୱେଣ୍ଟି ସିରିଜରେ ଗୋଟିଏ ମ୍ୟାଚ୍ ହାରିଛି । ତଥାପି ଟିମ ମ୍ୟାନେଜମେଣ୍ଟ ତ୍ରୁଟି ସୁଧାରିବାରେ ବିଫଳ ହୋଇଛି । ଶୁଭମନ ଗିଲ୍ ଓ ସୂର୍ଯ୍ୟକୁମାର ଯାଦବ ଫର୍ମ ହରାଇଛନ୍ତି । ମାତ୍ର ଉଭୟ ନେତୃତ୍ୱ ଦାୟିତ୍ୱରେ ଥିବାରୁ ଏକାଦଶରୁ ବାଦ୍ ପଡ଼ୁ ନାହାନ୍ତି ।

ଦକ୍ଷିଣ ଆଫ୍ରିକାରେ ୨ଟି ଶତକ ଅର୍ଜନ କରିଥିବା ସଞ୍ଜୁ ସାମସନ ବସି ବସି ଫେରୁଛନ୍ତି । ସହଳ ୱିକେଟ୍ ପଡ଼ିଲେ ଜଣେ ନିମ୍ନ ଭାଗ ବ୍ୟାଟରଙ୍କୁ ଆଗୁଆ ବ୍ୟାଟିଂ ପଠାଇବାର କାରଣ ମଧ୍ୟ ଏପର୍ଯ୍ୟନ୍ତ ଜାଣି ହେଉ ନାହିଁ । ଦକ୍ଷିଣ ଆଫ୍ରିକା ଶୃଙ୍ଖଳିତ ଖେଳ ଜାରି ରଖିଥିବାରୁ ଭାରତକୁ କଡ଼ା ଟକ୍କର ଦେଉଛି । ଅଲ୍ରାଉଣ୍ଡର ମାର୍କୋ ଜାନସେନ ଭାରତୀୟ ଦଳର ନିଦ ହଜାଇ ସାରିଛନ୍ତି କହିଲେ ଭୁଲ ହେବ ନାହିଁ । ଉଭୟ ବ୍ୟାଟିଂ ଓ ବୋଲିଂରେ ଟେଷ୍ଟ ସିରିଜରୁ ଏପର୍ଯ୍ୟନ୍ତ ତାଙ୍କ ଆଧିପତ୍ୟ ଜାରି ରହିଛି ।

ରବିବାର ଉଭୟ ଦଳ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ରହିଛି । ଭାରତ ଗିଲଙ୍କ ସ୍ଥାନରେ ସାମସନଙ୍କୁ ଖେଳାଇ ପାରେ । ସେହିପରି ଅର୍ଶଦୀପ ସିଂହଙ୍କ ସ୍ଥାନରେ ହର୍ଷିତ ରାଣା ଏକାଦଶକୁ ଫେରିବା ଆଶା କରାଯାଉଛି । ଦକ୍ଷିଣ ଆଫ୍ରିକା ମଧ୍ୟ ଜର୍ଜ ଲିଣ୍ଡେଙ୍କ ସ୍ଥାନରେ ପେସ୍ ବୋଲିଂ ଅଲରାଉଣ୍ଡର କର୍ବିନ ବସ୍କଙ୍କୁ ଏକାଦଶରେ ସାମିଲ କରିବା ସମ୍ଭାବନା ରହିଛି ।

ଧର୍ମଶାଳା ପିଚ୍‌ରେ ବଡ଼ ସ୍କୋର ହେବା ଏକ ପ୍ରକାର ନିଶ୍ଚିତ । ତଥାପି ଥଣ୍ଡା ଜଳବାୟୁରେ ପେସ୍ ବୋଲରମାନେ ପ୍ରଭାବ ପକାଇବେ । ଏଠାରେ ଖେଳାଯାଇଥିବା ୫ଟି ଟି-ଟ୍ୱେଣ୍ଟିରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୪ଟି ମ୍ୟାଚ୍ ପରାଜିତ ହୋଇଛନ୍ତି । ତେଣୁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ସମ୍ଭାବ୍ୟ ଦଳ

ଭାରତ: ଶୁଭମନ ଗିଲ୍/ସଞ୍ଜୁ ସାମସନ, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ଜିତେଶ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ/ ୱାସିଂଟନ ସୁନ୍ଦର, ଅର୍ଶଦୀପ ସିଂହ/ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା ।

ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ ଡି କକ୍, ଆଡେନ ମାରକ୍ରମ (ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ/ରିଜା ହେଣ୍ଡରିକ୍ସ, ଡିୱାଲ୍ଡ ବ୍ରେଭିସ, ଡେଭିଡ ମିଲର, ଡୋନାଭାନ ଫେରେରା, ମାର୍କୋ ଜାନସେନ, ଜର୍ଜ ଲିଣ୍ଡେ/କେଶବ ମହାରାଜ, ଲୁଙ୍ଗି ଏନ୍‌ଗିଡ଼ି/ କର୍ବିନ ବସ୍କ, ଓଟିନେଲ ବାର୍ଟମାନ, ଆନରିଚ ନର୍ଜ/ଲୁଥୋ ସିପମ୍ଲା ।