ଧର୍ମଶାଳା,୧୪/୧୨: ଧର୍ମଶାଳାରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟ୍ରେ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ବୋଲରମାନେ ଦକ୍ଷିଣ ଆଫ୍ରିକାକୁ ୧୧୭ ରନ୍ରେ ଅଲଆଉଟ୍ କରିଦେଇଥିଲେ। ଜବାବରେ, ଦ୍ବିତୀୟ ଭାରତୀୟ ବ୍ୟାଟରମାନେ ୨୫ ବଲ୍ ବାକି ଥାଇ ଲକ୍ଷ୍ୟ ହାସଲ କରିଛନ୍ତି। ଏହା ସହିତ, ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ୨-୧ରେ ଆଗୁଆ ହୋଇଛି।
୧୧୮ ରନର ଟାର୍ଗେଟକୁ ପିଛା କରି, ଟିମ୍ ଇଣ୍ଡିଆ ପକ୍ଷରୁ ଅଭିଷେକ ଶର୍ମା ଏବଂ ଶୁଭମନ ଗିଲ ବିସ୍ଫୋରକ ଆରମ୍ଭ କରିଥିଲା। ଗିଲ୍ ଏବଂ ଅଭିଷେକ ମିଶି ପାଞ୍ଚ ଓଭରରେ ଭାରତକୁ ୬୦ ରନରେ ପହଞ୍ଚାଇଥିଲେ। ଅଭିଷେକ ଏକ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ କିନ୍ତୁ ଏଡେନ୍ ମାର୍କରାମଙ୍କ ଦ୍ୱାରା କ୍ୟାଚ୍ ଆଉଟ ହୋଇଥିଲେ। ସେ ୧୮ ବଲ୍ ରେ ତିନୋଟି ଛକା ଏବଂ ତିନୋଟି ଚୌକା ମାରି ୩୫ ରନ କରିଥିଲେ। ସେହିପରି ଶୁବମନ ଗିଲ୍ ୫ଟି ଚୌକା ସହାୟତାରେ ୨୮ ବଲ୍ରେ ୨୮ ରନ୍ କରିଥିଲେ। ସେହିପରି ତିଳକ ବର୍ମା ୩୫ ବଲ୍ରେ ୨୫ ରନ୍, ସୁର୍ଯ୍ୟକୁମାର ଯାଦବ ୧୧ ବଲ୍ରେ ୧୨ ରନ୍ ଏବଂ ଶିବମ ଦୁବେ ୪ ବଲ୍ରେ ୧୦ ରନ୍ କରିଥିଲେ।
ସେପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ନିଂଗଡି, ମାର୍କୋ ଜନ୍ସେନ୍ ଏବଂ କୋର୍ବିନ ବୋଶ୍ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା।