ନୂଆଦିଲ୍ଲୀ,୨୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଋଷ-ୟୁକ୍ରେନ୍ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି।ବ୍ରିକ୍ସ ଶିଖର ସମ୍ମିଳନୀ ପରେ କଜାନରେ ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ଙ୍କ ସହ ହୋଇଥିବା ଦ୍ବିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଏହା ସ୍ପଷ୍ଟ କରିଛନ୍ତି ଯେ, ଋଷ ଓ ୟୁକ୍ରେନ୍ ମଧ୍ୟ ଚାଲୁଥିବା ସଂଘର୍ଷର ଶାନ୍ତିପୂର୍ଣ୍ଣ ସାମାଧାନ ବାହାର କରାଯିବା ଦରକାର। ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତ ଶାନ୍ତି ଓ ସ୍ଥିରତାର ଶୀଘ୍ର ସ୍ଥାପନା କରିବା ପାଇଁ ପୁରା ସମର୍ଥନ କରିଥାଏ। ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଆମର ସବୁ ଚେଷ୍ଟା ମାନବିକତାକୁ ପ୍ରାଥମିକତା ଦେଇଥାଏ। ଭାରତ ଭବିଷ୍ୟତରେ ସବୁ ପ୍ରକାର ସହଯୋଗ ପାଇଁ ପ୍ରସ୍ତୁତ ରହିଛି।’
ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ତିନି ମାସରେ ଋଷକୁ ଦ୍ବିତୀୟ ଯାତ୍ରା। ସେ କହିଛନ୍ତି, ଗତ ତିନି ମାସରେ ମୁଁ ଦୁଇଥର ଋଷ ଯାତ୍ରା କରିବା ଆମର ନିକଟତା ସମନ୍ବୟ ଓ ଗଭୀର ମିତ୍ରତାକୁ ଦର୍ଶାଉଛି। ଜୁଲାଇରେ ମସ୍କୋରେ ହୋଇଥିବା ଆମର ବାର୍ଷିକ ଶିଖର ସମ୍ମିଳନୀ ସବୁ କ୍ଷେତ୍ରରେ ଆମର ସହଯୋଗକୁ ମଜବୁତ କରିଛି।’ ମୋଦି ଏହା ମଧ୍ୟ କହିଛନ୍ତି ଯେ, ୧୫ ବର୍ଷରେ ବ୍ରିକ୍ସ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିଛି ଓ ଏବେ ଦୁନିଆର ବହୁ ଦେଶ ଏଥିରେ ସାମିଲ ହେବାକୁ ଚାହାନ୍ତି। ସେ କହିଛନ୍ତି, ମୁଁ କାଲି ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେବାକୁ ଅପେକ୍ଷା କରିଛି।
ଦ୍ବିପାକ୍ଷିକ ଯାତ୍ରା ବେଳେ ପୁଟିନ୍ ମୋଦିଙ୍କ ଜୁଲାଇ ଯାତ୍ରା ବିଷୟରେ କହିଥିଲେ, ମୋତେ ମନେଅଛି ଆମେ ଜୁଲାଇରେ ପରସ୍ପରକୁ ଭେଟିଥିଲେ ଓ ବହୁ ପ୍ରସଙ୍ଗ ଉପରେ ଭଲ ଭାବରେ ଚର୍ଚ୍ଚା ହୋଇଥିଲେ। ଆମେ ବହୁବାର ଟେଲିଫୋନ୍ରେ ଏନେଇ ଆଲୋଚନା କରିଥିଲୁ। ମୁଁ ଆପଣଙ୍କ ପାଖରେ କୃତଜ୍ଞ ଯେ, ଆପଣ କଜାନ ଆସିବାର ନିମନ୍ତ୍ରଣ ସ୍ବୀକାର କଲେ।’