କ୍ବିନ୍ସଲାଣ୍ଡ: ଚତୁର୍ଥ ଟି-୨୦ରେ କମାଲ କଲା ଭାରତ । ଘରୋଇ ଅଷ୍ଟ୍ରେଲିଆକୁ ୪୮ ରନ୍‌ରେ ମାତ୍‌ ଦେଲା ସୂର୍ଯ୍ୟ ସେନା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ୍‌ ୧୬୭ ରନ୍‌ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୧୧୯ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି । ଭାରତ ପକ୍ଷରୁ ଓ୍ବାଶିଂଟନ ସୁନ୍ଦର ସର୍ବାଧିକ ୩ଟି ଓ୍ବିକେଟ ନେଇଛନ୍ତି । ସେହିଭଳି ଅକ୍ଷର ପଟେଲ ଏବଂ ଶିବମ ଦୁବେ ଦୁଇଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି । ଅର୍ଶଦୀପ ସିଂହ, ଜସପ୍ରୀତ ବୁମରା ଏବଂ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି । ଚତୁର୍ଥ ଟି-୨୦ ବିଜୟ ସହ ଭାରତ ସିରିଜ୍‌ରେ ୨-୧ରେ ଆଗୁଆ ରହିଛି ।

ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍ ଜିତିଛି। କାରାରା ଓଭାଲରେ ଖେଳାଯାଇଥିବା ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ୪୮ ରନ୍‌ରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୮ ୱିକେଟ୍ ହରାଇ ୧୬୭ ରନ୍ କରିଥିଲା। ପିଚ୍ ବ୍ୟାଟିଂ ପାଇଁ ସହଜ ନଥିଲା ଏବଂ ଏହା ଅଷ୍ଟ୍ରେଲିଆ ପାଇଁ ମଧ୍ୟ ଅସୁବିଧାର କାରଣ ହୋଇଥିଲା। ଦଳ ଲଗାତାର ୱିକେଟ୍ ହରାଇଥିଲା ଏବଂ ୧୯ତମ ଓଭରରେ ୧୧୯ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା। ଘରୋଇ ଗ୍ରାଉଣ୍ଡରେ ଟି-୨୦ରେ ଏହା ଅଷ୍ଟ୍ରେଲିଆର ଦ୍ୱିତୀୟ ସର୍ବନିମ୍ନ ସ୍କୋର। ୫ ମ୍ୟାଚ୍‌ ସିରିଜ୍‌ରେ ଭାରତ ୨-୧ରେ ଆଗୁଆ ରହିଛି। ଭାରତୀୟ ଦଳ ଏବେ ସିରିଜ୍‌ ଜିତିବା ପାଇଁ ଚେ​ଷ୍ଟା କରିବ ।

ଟସ୍ ହାରି ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳର ଆରମ୍ଭ ବହୁତ ଭଲ ଥିଲା। ଅଭିଷେକ ଶର୍ମା ଏବଂ ଶୁଭମନ ଗିଲଙ୍କ ପ୍ରାରମ୍ଭିକ ଯୋଡ଼ି ୬.୪ ଓଭରରେ ୫୬ ରନର ଭାଗୀଦାରି କରିଥିଲେ। ଅଭିଷେକ ୨୧ ବଲରେ ୨୮ ରନ କରିବା ପରେ ପାଭିଲିୟନ ଫେରିଥିଲେ। ସେ ୧ ଛକା ଏବଂ ୩ ଚୌକା ମାରିଥିଲେ । ଏହିଠାରୁ ଶିବମ ଦୁବେ ଶୁଭମନ ଗିଲଙ୍କ ସହ ଦ୍ୱିତୀୟ ୱିକେଟ ପାଇଁ ୩୨ ରନର ଭାଗୀଦାରି କରି ଦଳକୁ ମଜଭୁତ କରିବାକୁ ଚେଷ୍ଟା କରିଥିଲେ। ଦୁବେ ୧୮ ବଲରେ ୨୨ ରନ କରିବା ପରେ ପାଭିଲିୟନ ଫେରିଥିଲେ।

ଏହା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଗିଲଙ୍କ ସହିତ ତୃତୀୟ ୱିକେଟ ପାଇଁ ୩୩ ରନ ସଂଗ୍ରହ କରି ଦଳକୁ ଏକ ମଜଭୁତ ସ୍ଥିତିକୁ ନେଇଥିଲେ । ଗିଲ୍ ୩୯ ବଲ୍‌ରେ ୧ ଛକା ଏବଂ ୪ ଚୌକା ସହିତ ୪୬ ରନ ସଂଗ୍ରହ କରିବା ପରେ ଆଉଟ୍ ହୋଇଥିଲେ । ସୂର୍ଯ୍ୟ କୁମାର ୧୦ ବଲ୍‌ରେ ୨୦ ରନ ସଂଗ୍ରହ କରିଥିଲେ। ପରେ ତିଲକ ବର୍ମା(୫) ଏବଂ ଜିତେଶ ଶର୍ମା(୩) ଆଉଟ୍ ହୋଇଥିଲେ। ୱାଶିଂଟନ ସୁନ୍ଦର ୭ ବଲ୍‌ରେ ୨ ଚୌକା ସହିତ ୧୨ ରନର ଇନିଂସ ଖେଳିଥିଲେ। ଶେଷ ଓଭରଗୁଡ଼ିକରେ ଅକ୍ଷର ପଟେଲ ୧୧ ବଲ୍‌ରେ ୨୧ ରନର ଅପରାଜିତ ଇନିଂସ ଖେଳି ଭାରତକୁ ୧୬୭ ରନରେ ପହଞ୍ଚାଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ନାଥନ୍ ଏଲିସ୍ ଏବଂ ଆଡାମ ଜାମ୍ପା ୩ଟି ଲେଖାଏଁ ୱିକେଟ୍ ନେଇଥିଲେ । ଜାଭିୟର ବାର୍ଟଲେଟ୍ ଏବଂ ମାର୍କସ୍ ଷ୍ଟୋଇନିସ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା। ଏହାପରେ ଅଷ୍ଟ୍ରେଲିଆ ମେଲବର୍ଣ୍ଣରେ ପରବର୍ତ୍ତୀ ମ୍ୟାଚ୍ ୪ ୱିକେଟରେ ଜିତିଥିଲା।  ଟିମ୍ ଇଣ୍ଡିଆ ତୃତୀୟ ମ୍ୟାଚ୍ ୫ ୱିକେଟରେ ଜିତି ସିରିଜ୍ ୧-୧ରେ ବରାବର କରିଥିଲା । 

ଅଷ୍ଟ୍ରେଲିଆର ମାଥ୍ୟୁ ସର୍ଟ ଏବଂ ଅଧିନାୟକ ମିଚେଲ ମାର୍ଶ ଦଳକୁ ଦମଦାର ଆରମ୍ଭ ଦେଇଥିଲେ । ୪ ଓଭର ପରେ ଦଳର ସ୍କୋର ୩୫ ରନ ଥିଲା। ମାର୍ଶ ଏବଂ ସର୍ଟ ତୃତୀୟ ଓଭରରେ ଅର୍ଶଦୀପ ସିଂହଙ୍କ ବିରୋଧରେ ୧୫ ରନ କରିଥିଲେ।  ପଞ୍ଚମ ଓଭରରେ ଅକ୍ଷର ପଟେଲ ସର୍ଟଙ୍କୁ ଏଲବିଡବ୍ଲୁ କରିଥିଲେ। ଜୋଶ ଇଂଲିଶ ମଧ୍ୟ ୧୨  ରନ କରି ଅକ୍ଷରଙ୍କ ଶିକାର ହୋଇଥିଲେ। ଇଂଲିଶ ଆଉଟ ହେଲା ବେଳକୁ, ନବମ ଓଭରରେ ଅଷ୍ଟ୍ରେଲିଆର ସ୍କୋର ୬୮ ରନ ଥିଲା। ସେଠାରୁ, ୱିକେଟ ପତନର ଏକ ଧାରା ଆରମ୍ଭ ହୋଇଥିଲା।

ଭଲ ବ୍ୟାଟିଂ କରୁଥିବା ଅଧିନାୟକ ମିଚେଲ ମାର୍ଶ ୩୦ ରନ କରି ଆଉଟ ହୋଇଥିଲେ। ଟିମ୍ ଡେଭିଡ୍ ଭଲ ଫର୍ମରେ ଥିଲେ । ଶିବମ୍ ଦୁବେଙ୍କ ବଲରେ ଏକ ଶକ୍ତିଶାଳୀ ଛକା ମାରିଥିଲେ । କିନ୍ତୁ ପରବର୍ତ୍ତୀ ବଲରେ ଆଉଟ ହୋଇଥିଲେ। ପ୍ରଥମ ସ୍ପେଲରେ ମହଙ୍ଗା ପଡ଼ିଥିବା ଅର୍ଶଦୀପ ସିଂହ ତାଙ୍କ ଦ୍ୱିତୀୟ ସ୍ପେଲରେ ଜୋଶ ଫିଲିପଙ୍କୁ ଆଉଟ କରି ଏକ ୱିକେଟ ନେଇଥିଲେ। ବରୁଣ ଚକ୍ରବର୍ତ୍ତୀ ତାଙ୍କ ସ୍ପେଲର ଶେଷ ବଲରେ ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ବୋଲ୍ଡ କରି ଅଷ୍ଟ୍ରେଲିଆର  ଆଶା ଧୂଳିସାତ କରିଥିଲେ। ଅଷ୍ଟ୍ରେଲିଆକୁ ଶେଷ ପାଞ୍ଚ ଓଭରରେ ୬୮ ରନ ଆବଶ୍ୟକ ଥିଲା । 

୧୭ତମ ଓଭରରେ ୱାଶିଂଟନ ସୁନ୍ଦର ଲଗାତାର  ମାର୍କସ ଷ୍ଟୋଇନିସ୍ ଏବଂ ଜାଭିୟର ବାର୍ଟଲେଟଙ୍କୁ ଆଉଟ୍ କରିଥିଲେ। ଷ୍ଟୋଇନିସ୍ ୧୯ ବଲରୁ ୧୭ ରନ୍ କରିଥିଲେ। ୱାଶିଂଟନ ସୁନ୍ଦର ୧୯ତମ ଓଭରରେ ଆଡାମ ଜାମ୍ପାଙ୍କୁ ଆଉଟ୍ କରି ଅଷ୍ଟ୍ରେଲିଆର ଇନିଂସକୁ ୧୦ ବଲ୍ ପୂର୍ବରୁ ଶେଷ କରିଦେଇଥିଲେ।