ନୂଆଦିଲ୍ଲୀ,୦୧/୦୯: ଚଳିତବର୍ଷ ଜୁନ୍‌ରେ ଆମେରିକାକୁ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟାରେ  ହ୍ରାସ ଦେଖାଦେଇଛି । ଦୁଇ ଦଶନ୍ଧିରେ ପ୍ରଥମ ଥର ପାଇଁ ଏହି ହ୍ରାସ ଘଟିଛି । ଆମେରିକାର ବାଣିଜ୍ୟ ବିଭାଗର ଜାତୀୟ ଭ୍ରମଣ ଏବଂ ପର୍ଯ୍ୟଟନ  କାର୍ଯ୍ୟାଳୟ(ଏନ୍‌ଟିଟିଓ) ତଥ୍ୟ ଅନୁସାରେ, ୨୦୨୫  ଜୁନ୍‌ରେ ଆମେରିକାକୁ ୨.୧ ଲକ୍ଷ ଭାରତୀୟ ଭ୍ରମଣ  କରିଛନ୍ତି, ଯାହାକି ୨୦୨୪ ଜୁନ୍‌ରେ ୨.୩ ଲକ୍ଷ  ରହିଥିଲା । ଏ କ୍ଷେତ୍ରରେ ୮% ହ୍ରାସ ଘଟିଛି । ଏହି  ହ୍ରାସ କେବଳ ଭାରତ କ୍ଷେତ୍ରରେ ଦେଖିବାକୁ  ମିଳିନାହିଁ । 

ଏନ୍‌ଟିଟିଓ ତଥ୍ୟ ଅନୁସାରେ, ପୂର୍ବବର୍ଷ  ତୁଳନାରେ ଚଳିତବର୍ଷ ଜୁନ୍‌ରେ ଆମେରିକାକୁ  ମୋଟ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାରେ ୬.୨%  ହ୍ରାସ ଘଟିଛି । ମେ’ରେ ଏ କ୍ଷେତ୍ରରେ ୭%,  ମାର୍ଚ୍ଚରେ ୮% ଏବଂ ଫେବ୍ରୁଆରୀରେ ୧.୯% ହ୍ରାସ  ଘଟିଥିଲା । ଜାନୁଆରୀ ଏବଂ ଏପ୍ରିଲରେ ଏଥିରେ  ଯଥାକ୍ରମେ ୦.୭% ଏବଂ ୧.୩% ବୃଦ୍ଧି ଘଟିଥିଲା ।  ଆମେରିକାର ପର୍ଯ୍ୟଟନ କ୍ଷେତ୍ର ପାଇଁ ଭାରତ ଚତୁର୍ଥ  ବୃହତ୍‌ ବଜାର । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ  କାର୍ଯ୍ୟକାଳରେ ଭିସା ନୀତି ଯୋଗୁ ସେଠାକୁ ଭାରତୀୟ  ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି ।