ନୂଆଦିଲ୍ଲୀ, ୧୬/୦୪ : ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଚାଲିଛି । ଏହାର ପ୍ରଭାବ ଭାରତୀୟ ଅର୍ଥନୀତିର ଆକାର ଉପରେ ପଡ଼ିଛି । ଏହା ବର୍ତ୍ତମାନ ୫ ନମ୍ବର ରାଙ୍କରୁ ଖସି ୬ ନମ୍ବରକୁ ଆସିଯାଇଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍) ଅନୁସାରେ, ଏବେ ବ୍ରିଟେନ ପୁଣି ଥରେ ଭାରତଠାରୁ ଆଗକୁ ଚାଲିଯାଇ ପଞ୍ଚମ ସ୍ଥାନ ଅକ୍ତିଆର କରିଛି । ଭାରତର ଜିଡିପିରେ ଏହି ହ୍ରାସ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁ ହୋଇଛି । ଏ ବର୍ଷ ଆରମ୍ଭରେ ଟଙ୍କାର ବିନିମୟ ମୂଲ୍ୟ ଥିଲା ୮୯.୯୧, ଯାହା ଏବେ ୯୩.୩୮ ସ୍ତରକୁ ଆସିଯାଇଛି । ଭାରତର ଜିଡିପି ୨୦୨୫- ୨୬ ଆର୍ଥିକବର୍ଷରେ ୩.୯୨ ଟ୍ରିଲିୟନ ଡଲାର ଏବଂ ୨୦୨୬-୨୭ରେ ୪.୧୫ ଟ୍ରିଲିୟନ ଡଲାର ରହିବାର ଅନୁମାନ ଅଛି । ସେହିଭଳି ୨୦୨୫ରେ ବ୍ରିଟେନର ଜିଡିପି ୪ ଟ୍ରିଲିୟନ ଡଲାର ଏବଂ ୨୦୨୬ରେ ୪.୨୬ ଟ୍ରିଲିୟନ ଡଲାର ରହିବାର ପୂର୍ବାନୁମାନ କରିଛି ଆଇଏମ୍ଏଫ୍ ।
ଭାରତର ର୍ୟାଙ୍କିଙ୍ଗ୍ କମିବାର ୨ଟି ବଡ଼ କାରଣ ରହିଛି । ସରକାର ଜିଡିପିର ମୂଳବର୍ଷକୁ ୨୦୧୧-୧୨ ବଦଳରେ ୨୦୨୨-୨୩ କରିଦେଇଛନ୍ତି । ଏହି ପରିବର୍ତ୍ତନ ଏବଂ ନୂଆ ପାଟର୍ଣ୍ଣ ଯୋଗୁ ଅର୍ଥନୀତିର ଆକାରରେ ୨.୮%ରୁ ୩.୮% ପର୍ଯ୍ୟନ୍ତ ହ୍ରାସ ଘଟିଛି । ସେହିଭଳି ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ଦେଖାଦେଇଥିବା ହ୍ରାସ ବି ଅର୍ଥନୀତିର ଆକାରକୁ କମାଇବାରେ ବଡ଼ ଭୂମିକା ଗ୍ରହଣ କରିଛି । ଡଲାରରେ ହିସାବ କରାଯାଉଥିବା ଜିଡିପି କମିଯାଇଛି । ଅନ୍ୟପକ୍ଷରେ, ବ୍ରିଟିଶ ପାଉଣ୍ଡ୍ ମଜଭୂତ ହୋଇଛି, ଯାହାଦ୍ୱାରା ବ୍ରିଟେନ ଅର୍ଥନୀତିର ମୂଲ୍ୟ ବୃଦ୍ଧି ପାଇଛି । ଆଇଏମ୍ଏଫ୍ ଅନୁସାରେ, ଭାରତୀୟ ଅର୍ଥନୀତିର ଆକାରରେ ଦେଖାଦେଇଥିବା ହ୍ରାସ କ୍ଷଣସ୍ଥାୟୀ । ଭାରତ ୨୦୨୭-୨୮ ସୁଦ୍ଧା ଏକ ଲମ୍ବା ଲମ୍ଫ ପ୍ରଦାନ କରିବ ଏବଂ ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥବ୍ୟବସ୍ଥା ପାଲଟିବ ।
ଏହି ଖବରଟିକୁ ପଢନ୍ତୁ- Food Crisis : ଏଲ୍ନିନୋ ଆଶଙ୍କା... ମଧ୍ୟପ୍ରାଚ୍ୟରୁ ସାର ଆମଦାନି ଠପ୍, ହ୍ରାସ ପାଇବ ଖରିଫ ଉତ୍ପାଦନ