ନୂଆଦିଲ୍ଲୀ, ୧୬/୦୪ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଦେଶର କୃଷି ଅର୍ଥନୀତି ଓ ଖାଦ୍ୟ ନିରାପତ୍ତା ଉପରେ ବଡ଼ ପ୍ରଭାବ ପକାଇବ । ଆଗାମୀ ଖରିଫ ଋତୁରେ ଦୁର୍ବଳ ମୌସୁମୀ, ଏଲ୍ନିନୋ ସ୍ଥିତି ଏବଂ ସାର ଯୋଗାଣ ସଙ୍କଟ ଯୋଗୁ ଉତ୍ପାଦନ ବୃହତ୍ ମାତ୍ରାରେ ପ୍ରଭାବିତ ହୋଇପାରେ । ରେଟିଂ ଏଜେନ୍ସି ଇକ୍ରା ରିପୋର୍ଟ ମୁତାବକ, ମୌସୁମୀ ସ୍ୱାଭାବିକ ସ୍ତରରୁ କମ୍ ରହିବା ଖରିଫ୍ ଚାଷକୁ କ୍ଷତି ପହଞ୍ଚାଇବ । ଫଳରେ କୃଷି ଉତ୍ପାଦନ କମିବ । ଏହା ଦ୍ୱାରା କୃଷି କ୍ଷେତ୍ରକୁ ନଗଦ ପ୍ରବାହ ପ୍ରଭାବିତ ହେବା ସହ ଖାଦ୍ୟ ସାମଗ୍ରୀ ଦର ତେଜିବ ।
ଏଲ୍ନିନୋ ଆଶଙ୍କା
ସରକାର କହିଛନ୍ତି ଯେ, ଖରିଫ କୃଷି ଲାଗି ପର୍ଯ୍ୟାପ୍ତ ସାର ମହଜୁଦ ରହିଛି । ଦେଶର ମୋଟ କୃଷି ଉତ୍ପାଦନରେ ଖରିଫ କୃଷି ସାମଗ୍ରୀର ଅଂଶ ୬୦% ରହିଥାଏ । ସରକାର ପଟାସ ଏବଂ ଫସ୍ଫେଟ୍ ସାରର ଏନ୍ବିଏସ୍ ଦରକୁ ଅନୁମୋଦନ ଦେଇଛନ୍ତି । ୨୦୨୪ ଖରିଫ ଋତୁ ପାଇଁ ଏହି ସବ୍ସିଡି ୪୧,୫୩୩ କୋଟି ଟଙ୍କା ରହିଛି । ଭାରତୀୟ ପାଣିପାଗ ବିଭାଗ ଏହାର ପ୍ରଥମ ଅନୁମାନରେ କହିଛି ଯେ, ମୌସୁମୀ ସ୍ୱାଭାବିକ ସ୍ତର ଠାରୁ ନିମ୍ନରେ ରହିବ । ଦକ୍ଷିଣ ପଶ୍ଚିମ ମୌସୁମୀ ଦୀର୍ଘ ସମୟ ହାରାହାରି (ଏଲ୍ପିଏ)୯୨% ରହିଛି । ସେହିଭଳି ବିଶ୍ୱ ପାଣିପାଗ ଏଜେନ୍ସି ମୁତାବକ, ୨୦୨୬ ଜୁନ ଏବଂ ଅଗଷ୍ଟ ମଧ୍ୟରେ ଏଲ୍ନିନୋ ଆସିବାର ଆଶଙ୍କା ରହିଛି । ଏହା ଦକ୍ଷିଣ ପଶ୍ଚିମ ମୌସୁମୀକୁ ପ୍ରଭାବିତ କରିପାରେ । ଯାହା କୃଷି ଉତ୍ପାଦନ ଉପରେ ରିସ୍କ ଆଣିବ ।
ମଧ୍ୟପ୍ରାଚ୍ୟରୁ ସାର ଆମଦାନି ଠପ୍
ଏହାବାଦ ଆମେରିକା ଇରାନ ଯୁଦ୍ଧ ଯୋଗୁ ଦେଶର କୃଷକମାନେ ବଡ଼ ମାତ୍ରାରେ ପ୍ରଭାବିତ ହେବା ନେଇ ଆକଳନ କରାଯାଇଛି । କାରଣ ମଧ୍ୟପ୍ରାଚ୍ୟରୁ ଦେଶକୁ ୨୬% ସାର ଆସିଥାଏ । ପଶ୍ଚିମ ଏସିଆ ଦେଶଗୁଡ଼ିକରୁ ଭାରତ ଏକ ଚତୁର୍ଥାଂଶ ସାର ଆଣିଥାଏ । ବର୍ତ୍ତମାନର ଯୁଦ୍ଧ ଯୋଗୁ ଯୋଗାଣ ପ୍ରଭାବିତ ହେବା ନେଇ କେୟାରଏଜ ରେଟିଂ ପ୍ରକାଶ କରିଛି । ଭାରତ ଏବେ ସାର ଚାହିଦା ପୂରଣ କରିବା ଲାଗି ବିକଳ୍ପ ଉତ୍ସ ଉପରେ ନିର୍ଭର କରୁଛି । ସେହିଭଳି ଖରିଫ କୃଷିରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କୃଷକଙ୍କ ଲାଗି ଉପାଦେୟ ହୋଇପାରିବ ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରିଛି ।
ଆହୁରି ପଢନ୍ତୁ- Iran-Us war : ଖାଦ୍ୟ ସୁରକ୍ଷା ଆହ୍ୱାନ, ଜୀବନ ଜୀବିକା ଦୁର୍ବଳ... ଯୁଦ୍ଧ ପ୍ରଭାବରେ ମାନବ ବିକାଶ ଅଗ୍ରଗତି ହରାଇବ ଭାରତ
ବିକଳ୍ପ ଦେଶରୁ ସଂଗ୍ରହ କରିବାକୁ ଯୋଜନା
ଆର୍ଥିକ ବର୍ଷ ୨୦୨୫-୨୬ର ଫେବ୍ରୁଆରୀ ସୁଦ୍ଧା ଦେଶ ୨୨୨.୮୪ ଲକ୍ଷ ଟନ୍ ସାର ଆମଦାନି କରିଛି । ଏଥିରେ ୟୁରିଆ ୯୭.୯୯ ଲକ୍ଷ ମେଟ୍ରିକ ଟନ, ଡିଏପି ୬୧.୬୭ ଲକ୍ଷ ଟନ, ଏନ୍ପିକେ ୩୫.୪ ଲକ୍ଷ ଟନ, ପଟାସ ୨୭.୭୨ ଲକ୍ଷ ଟନ୍ ରହିଛି । ଭାରତର ଚୀନ ଠାରୁ ସାର ଆମଦାନି ୩ ବର୍ଷର ସର୍ବୋଚ୍ଚ ସ୍ତର ୨୧.୨୪ ଲକ୍ଷ ଟନ୍ ରହିଛି । ରୁଷରୁ ଆସିଛି ୧୩.୯୯ ଲକ୍ଷ ମେଟ୍ରିକ ଟନ ସାର । ଦେଶର ସାର ଉତ୍ପାଦନ କ୍ଷମତା ୩୧୪ ଲକ୍ଷ ମେଟ୍ରିକ ଟନ୍କୁ ବଢ଼ିଛି । ୨୦୨୫-୨୬ ଅବଧିରେ ଦେଶର ସାର ଚାହିଦା ୭୦.୭ ନିୟୁତ ମେଟ୍ରିକ ଟନ୍ ଛୁଇଁଛି । ଭାରତ ରୁଷ, ବେଲାରୁଷ, ସାଉଦି ଆରବ, ଜୋର୍ଡାନ, ୟୁଏଇ, ଓମାନ, କତାର, ଚୀନ, ଇଣ୍ଡୋନେସିଆ, ମାଲେସିଆ, ମରୋକୋ, ଇଜିପ୍ଟ, ଆଲଜେରିଆ, ଟୋଗୋ, କାନାଡା ଏବଂ ଅଷ୍ଟ୍ରେଲିଆ ଭଳି ଦେଶରୁ ସାର ଆମଦାନି କରିଥାଏ । ଯୁଦ୍ଧ ସ୍ଥିତିରେ ଭାରତ ମରୋକୋ, କାନାଡା, ଇଣ୍ଡୋନେସିଆ, ମାଲେସିଆ, ଆଲଜେରିଆ, ଇଜିପ୍ଟ ଏବଂ ଟୋଗୋ ଭଳି ଦେଶ ଗୁଡ଼ିକୁ ସାର ଆମଦାନିର ବିକଳ୍ପ ଭାବେ ବିଚାର କରୁଛି ।