ନୂଆଦିଲ୍ଲୀ ୨୯/୦୩: ଭାରତର ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ‘ନାଭିଗେସନ୍ ୱିଥ୍ ଇଣ୍ଡିଆନ୍ କନ୍‌ଷ୍ଟିଲେସନ୍ (ନାଭିକ୍)ର କାର୍ଯ୍ୟକ୍ଷମତା ବାଧାପ୍ରାପ୍ତ ହୋଇଛି । ସବୁଠୁ ବଡ଼ ଚିନ୍ତା ହେଉଛି ଭାରତ ନିଜର ସୁରକ୍ଷା ଓ ରଣନୈତିକ ଉଦ୍ଦେଶ୍ୟ ନିମନ୍ତେ ଏହି ପ୍ରଣାଳୀର ଉପଯୋଗ କରିପାରିବ ନାହିଁ । ଇଣ୍ଡିଆନ ରିଜନାଲ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍-୧ଏଫ୍ (ଆଇଆର୍‌ଏ ନ୍‌ଏସ୍‌ଏସ୍‌୧ଏଫ୍)ର ଆଟମିକ୍ କ୍ଲକ୍ ବା ପରମାଣୁ ଘଡ଼ି ଚଳିତ ମାସ ୧୦ ତାରିଖରେ ଅଚଳ ହୋଇଗଲା । ଫଳରେ କେବଳ ୩ଟି ସାଟେଲାଇଟ୍ କକ୍ଷରେ ରହି ସ୍ଥାନ, ଦିଗ ଓ ସମୟ ସେବା ପ୍ରଦାନ କରୁଛନ୍ତି ।

ଇସ୍ରୋର ପୂର୍ବତନ ବୈଜ୍ଞାନିକ ଅନନ୍ୟା ରେ କହିଛନ୍ତି, ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ଠିକ୍‌ରେ କାମ କରିବା ପାଇଁ ଅତିକମ୍‌ରେ ୪ ସାଟେଲାଇଟ୍ ସହିତ କାର୍ଯ୍ୟକ୍ଷମ ପରମାଣୁ ଘଡ଼ି ଆବଶ୍ୟକ । ସେ କହିଛନ୍ତି, ନାଭିକ୍ ଭଳି ପ୍ରଣାଳୀର ଦୁଇଟି ସଙ୍କେତ ରହିଛି । ଗୋଟିଏ ସାଧାରଣ ଲୋକଙ୍କ ପାଇଁ ମୁକ୍ତ ସଙ୍କେତ । ଅନ୍ୟଟି ପ୍ରତିବନ୍ଧିତ ସୈନ୍ୟ ସଙ୍କେତ, ଯାହା ସୁରକ୍ଷା ସଠିକତା ହାରକୁ ୧୦ ଗୁଣ ବଢ଼ାଏ । ରାଷ୍ଟ୍ରମାନଙ୍କର ସଶସ୍ତ୍ର ବାହିନୀ ଲଜିଷ୍ଟିକ୍, ମ୍ୟାପିଂ ଓ କାର୍ଯ୍ୟ ପରିଚାଳନା ଯୋଜନା ପାଇଁ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ଉପଯୋଗ କରନ୍ତି । ଏହି ସ୍ଥିତିରେ ବିଦେଶୀ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ଉପରେ ନିର୍ଭର କରିବା ସୁରକ୍ଷା ଚିନ୍ତା ବଢ଼ାଇପାରେ, ଖାସ୍‌କରି ଯୁଦ୍ଧ ସମୟରେ ।

ରେ ଆହୁରି କହିଛନ୍ତି, ଯଦି କୌଣସି ଦେଶ ଯୁଦ୍ଧଗ୍ରସ୍ତ ଏବଂ ଅନ୍ୟ ଦେଶର ବୈଷୟିକ ପ୍ରଣାଳୀର ଉପଯୋଗ କରୁଥାଏ, ତେବେ ସେମାନେ ସିଗ୍‌ନାଲରେ ତ୍ରୁଟି କରିପାରନ୍ତି । ନାଭିଗେସନ୍ ତଥ୍ୟକୁ ତ୍ରୁଟିପୂର୍ଣ୍ଣ ରୂପେ ବଦଳାଇ ପାରନ୍ତି । ଯୁଦ୍ଧ ସମୟରେ ଅନ୍ୟ ଦେଶର ସାଟେଲାଇଟ୍ ଉପରେ ନିର୍ଭରଶୀଳତାର ଅର୍ଥ ନିଜ ନିୟନ୍ତ୍ରଣକୁ ଅନ୍ୟ ହାତକୁ ଟେକିଦେବା ।

ଆହୁରି ପଢ଼ନ୍ତୁ...‘ଇସ୍ରୋ’ କରୁଛି ବଡ଼ ପ୍ରସ୍ତୁତି, ମହାକାଶ ଯାନର ନିର୍ମାଣ ହେବ ତିନି ଗୁଣା, ଏବେ ଚନ୍ଦ୍ରଯାନ-୪ କରିବ କମାଲ