ନୂଆଦିଲ୍ଲୀ,୧୦/୧୨; ବିଶ୍ୱ ଚାମ୍ପିଅନ୍ ଟିମ୍ ଇଣ୍ଡିଆ ଖୁବ୍‌ଶୀଘ୍ର ମୈଦାନକୁ ଓହ୍ଲାଇବ । ପ୍ରଥମ ଥର ପାଇଁ  ଆଇସିସି ମହିଳା ବିଶ୍ୱକପ୍ ଜିତିଥିବା ଭାରତୀୟ କ୍ରିକେଟ୍ ଦଳ ଡିସେମ୍ବର ଶେଷ ଆଡ଼କୁ ଶ୍ରୀଲଙ୍କା ବିପକ୍ଷରେ ଏକ ଟି-ଟ୍ୱେଣ୍ଟି ସିରିଜ୍ ଖେଳିବ। ବିସିସିଆଇ ଚୟନ କମିଟି ଏହି ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି । ହରମନପ୍ରୀତ କୌରଙ୍କ ନେତୃତ୍ୱରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ଏକ ୧୫ ଜଣିଆ ଦଳ ଚୟନ କରାଯାଇଛି । ଏଥିରେ ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଅଛନ୍ତି । ଏହି ସିରିଜ୍ ଡିସେମ୍ବର ୨୧ ତାରିଖରୁ ଆରମ୍ଭ ହେବ ।

ବ୍ରେକ୍ ପରେ କମବ୍ୟାକ୍, ମନ୍ଧାନା ସାମିଲ- ନଭେମ୍ବର ୨ ତାରିଖରେ ବିଶ୍ୱକପ୍ ଫାଇନାଲ୍ ଜିତିଥିବା ଭାରତୀୟ ଦଳ ସେବେଠୁ ବିରତି ନେଇଛି । କିଛି ଖେଳାଳି ଘରୋଇ କ୍ରିକେଟରେ ସକ୍ରିୟ ଥିଲେ ମଧ୍ୟ, ଅଧିକାଂଶ ପ୍ଲେୟାର ବିଶ୍ରାମ ନେଇଛନ୍ତି । ଏବେ, ଦଳର ବ୍ରେକ୍ ଖୁବଶୀଘ୍ର ଶେଷ ହେବ କାରଣ ଶ୍ରୀଲଙ୍କା ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତ ଗସ୍ତ କରୁଛି । ଯାହା ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆର ପ୍ରଥମ ସିରିଜ୍ ହେବ ।

ଏହି ଦଳରେ ଦିନିକିଆ ବିଶ୍ୱକପ୍ ବିଜୟୀ ଦଳର ଅଧିକାଂଶ ଖେଳାଳି ମଧ୍ୟ ସାମିଲ ଅଛନ୍ତି । ତଥାପି, ସବୁଠାରୁ ପ୍ରମୁଖ ନାମ ହେଉଛି ସ୍ମୃତି ମନ୍ଧାନା । ସେ ନଭେମ୍ବର ୨୩ ତାରିଖରେ ପଲାଶ ମୁଛଲଙ୍କୁ ବିବାହ କରିବାର ଥିଲା ହେଲେ ତାର ଟଳିଯାଇଛି । ବଡ଼ ବ୍ୟକ୍ତିଗତ ସମସ୍ୟା ପରେ ମନ୍ଧାନା ତୁରନ୍ତ ପଡ଼ିଆକୁ ଫେରିବେ କି ବିରତି ନେବେ ତାହା ଉପରେ ଧ୍ୟାନ କେନ୍ଦ୍ରିତ ହୋଇଥିଲା । ତଥାପି, ଟିମ୍ ଇଣ୍ଡିଆର ଉପ-ଅଧିନାୟିକା ଦଳରେ ସାମିଲ ହୋଇଛନ୍ତି ।

ଟିମ୍ ଇଣ୍ଡିଆ- ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା (ଉପ-ଅଧିନାୟକ), ଦୀପ୍ତି ଶର୍ମା, ସ୍ନେହ ରାଣା, ଜେମିମା ରୋଡ୍ରିଗ୍ସ, ଶେଫାଳୀ ବର୍ମା, ହାରର୍ଲିନ ଦେଓଲ, ଅମନଜୋତ୍ କୌର, ଅରୁନ୍ଧତୀ ରେଡ୍ଡୀ, କ୍ରାନ୍ତି ଗୌଡ଼, ରେଣୁକା ସିଂ, ରିଚା ଘୋଷ, ଜି. କାମାଲିନୀ, ଶ୍ରୀଚରଣୀ, ବୈଷ୍ଣବୀ ଶର୍ମା ।

 

ଟି୨୦ ସିରିଜ୍ ସୂଚୀ
ଡିସେମ୍ବର ୨୧ - ପ୍ରଥମ ଟି-ଟ୍ୱେଣ୍ଟି, ବିଶାଖାପାଟଣନମ

ଡିସେମ୍ବର ୨୩ - ଦ୍ୱିତୀୟ ଟି-ଟ୍ୱେଣ୍ଟି, ବିଶାଖାପାଟଣନମ

ଡିସେମ୍ବର ୨୬- ତୃତୀୟ ଟି-ଟ୍ୱେଣ୍ଟି, ଥିରୁଅନନ୍ତପୁରମ୍ 

ଡିସେମ୍ବର ୨୮ - ଚତୁର୍ଥ ଟି-ଟ୍ୱେଣ୍ଟି , ଥିରୁଅନନ୍ତପୁରମ୍  

ଡିସେମ୍ବର ୩୦ - ପଞ୍ଚମ ଟି-ଟ୍ୱେଣ୍ଟି, ଥିରୁଅନନ୍ତପୁରମ୍ 

​​​​​​​