- ଆଉ କେତେ ଜୀବନ ଗଲେ ଚେତିବ ପ୍ରଶାସନ ?
- ଲୋକଙ୍କ ପାଖରେ ପହଞ୍ଚୁଛି କଳଙ୍କିଯୁକ୍ତ ପାଣି
- ଜାରି ରହିଛି ପ୍ରତିବାଦ, ତଥାପି ହେଉନି ସମାଧାନ
ନୂଆଦିଲ୍ଲୀ; ୫/୧ : ଦେଶର ସବୁଠାରୁ ସ୍ବଚ୍ଛ ସହରର ଭାବେ ଜଣାଶୁଣା ଥିବା ଇନ୍ଦୋରରେ ବିଷାକ୍ତ ଜଳ ପାଇଁ ୧୦ ଜଣଙ୍କ ଜୀବନ ଯିବା ଘଟଣା ସବୁଠି ଚର୍ଚ୍ଚାର ବିଷୟ ପାଲଟିଥିଲା । ଭାଗୀରଥପୁରାରେ ଘଟିଥିବା ଏହି ଘଟଣାକୁ ନେଇ ହାଇକୋର୍ଟ ମଧ୍ୟ ଭତ୍ସନା କରିଛନ୍ତି । ପ୍ରଶାସନ ଏହି ଘଟଣାକୁ ଯେଭଳି ହାଲୁକା ଭାବେ ନେଇଥିବା ମନେ ହେଉଛି । କୋର୍ଟଙ୍କ ଭତ୍ସନା ପରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା । ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ହୋଇଛି । ମାତ୍ର ଏହିସବୁ ଟ୍ୟାଙ୍କର ଗୁଡ଼ିକର ଅବସ୍ଥା ଏଭଳି ହୋଇଛି ସେଥିରୁ ପାଣି ପିଇଲେ ପୁରି କିଛି ଯେମିତି ଅଘଟଣ ଘଟିବ ସେଭଳି ମନେ ହେଉଛି ।
ଟ୍ୟାଙ୍କର ଗୁଡ଼ିକରେ ଶିଉଳି ଏବଂ କଳଙ୍କି ଭର୍ତ୍ତି ହୋଇଛି । ଶୁଦ୍ଧ ପାନୀୟ ବଦଳରେ ଲୋକଙ୍କ ପାଖରେ ପୁଣି ଦୂଷିତ ଜଳ ପହଞ୍ଚୁଥିବା ଭଳି ଅଭିଯୋଗ ଆସିଛି । ଏନେଇ କଂଗ୍ରେସ ପକ୍ଷରୁ ସରକାରଙ୍କୁ ସମାଲୋଚନା କରି ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରାଯାଇଛି । ସରକାର ଲୋକଙ୍କୁ ଏଭଳି ପାଣି ଯୋଗାଉଛି ବୋଲି ସମାଲୋଚନା କରାଯାଇଛି । ସେପଟେ ସୋନିଆଗାନ୍ଧୀ ନଗର ଅଞ୍ଚଳରେ ପାନୀୟ ଜଳ ପ୍ରବାହିତ ହେଉଥିବା ପାଇପ ପାଖରେ ଖୋଲା ଡ୍ରେନ ଦେଇ ପ୍ରବାହିତ ହେଉଛି । ଅବସ୍ଥା ଏଭଳି ହୋଇଛି ଗନ୍ଧରେ ନାକ ଫାଟି ପଡ଼ୁଛି । ଏହାସହ ଲୋକଙ୍କ ପାଖରେ ପହଞ୍ଚୁଥିବା ପାଣିରୁ କଳଙ୍କି ବାହାରୁଥିବାବେଳେ ଦୁର୍ଗନ୍ଧ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଭାଗୀରଥପୁରାର ୬୯ଟି ବୋରିଂ ପ୍ରଭାବିତ ହୋଇଛି । ଲୋକଙ୍କ ପାଖରେ ଦୂଷିତ ପାଣି ପହଞ୍ଚୁଥିବା ତଥ୍ୟରୁ ଜଣା ପଡ଼ିଛି ।
ସେପଟେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି କି, ପାରି ବିଲ୍ ୩୦୦ ଟଙ୍କା ଦେଉଛୁ । ପାଣି ମାତ୍ର ୧୫ ମିନିଟ୍ ପାଇଁ ଆସୁଛି, ତାହା ପୁଣି ଶୁଦ୍ଧ ନୁହେଁ । ଏଭଳିଭାବେ ଲୋକେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏନେଇ କର୍ପୋରେଟଙ୍କଠାରୁ ଆରମ୍ଭ କରି ବିଧାୟକ ଏବଂ ସରକାରୀ ଅଫିସରଙ୍କୁ ଜଣାଇଥିଲେ ସୁଦ୍ଧା କୌରସି ଫଳାଫଳ ମିଳୁନଥିବା କହିଛନ୍ତି । ସେପଟେ ବିଷାକ୍ତ ପାଣି ପାଇଁ ଜୀବନ ଯିବା ଘଟଣାରେ ସମଗ୍ର ମଧ୍ୟପ୍ରଦେଶରେ ରାଜନୈତିକ ଅସ୍ଥିରତା ଦେଖା ଦେଇଛି । ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ମନ୍ତ୍ରୀ କୈଳାସଙ୍କ କୁଶପୁତ୍ତଳିକା ବିଭିନ୍ନ ସ୍ଥାନରେ ଦାହ କରାଯାଇ ପ୍ରତିବାଦ କରାଯାଉଛି ।