ନୂଆଦିଲ୍ଲୀ,୧୨/୦୯: ଗୋଟିଏ ପଟେ ଲୋକମାନେ ଜିଏସ୍ଟିକୁ ନେଇ ଖୁସି ଥିବା ବେଳେ ଆଗାମୀ ପର୍ବପର୍ବାଣୀରେ କିଣାକିଣି କରିବାକୁ ଯୋଜନା କରୁଛନ୍ତି, ଅନ୍ୟପଟେ, ଏଥର ସିପିଆଇ ସଂଖ୍ୟା ସାଧାରଣ ଲୋକଙ୍କ ପାଇଁ ଏତେ ଖାସ୍ ନାହିଁ। ଭାରତର ଖୁଚୁରା ମୁଦ୍ରାସ୍ଫୀତି, ଅର୍ଥାତ୍ ସାମଗ୍ରୀର ମୂଲ୍ୟ ବୃଦ୍ଧି, ଜୁଲାଇରେ ସର୍ବନିମ୍ନ ସ୍ତର ୧.୫୫% ରୁ ଅଗଷ୍ଟରେ ୨.୦୭% କୁ ବୃଦ୍ଧି ପାଇଛି। ଏହାର ଅର୍ଥ ହେଉଛି ଅଗଷ୍ଟରେ ଖାଦ୍ୟ ସାମଗ୍ରୀ ମହଙ୍ଗା ହୋଇଛି। ଏହାର କାରଣ ହେଉଛି ଗତ କିଛି ମାସ ମଧ୍ୟରେ କମ ମୁଦ୍ରାସ୍ଫୀତିର ପ୍ରଭାବ ଅଗଷ୍ଟରେ ଫିକା ପଡ଼ିଯାଇଛି।
ଭାରତ ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ୪୦ ଜଣ ଅର୍ଥନୀତିଜ୍ଞଙ୍କୁ ନେଇ ଏକ ରଏଟର୍ସ ସର୍ଭେ ଆକଳନ କରିଥିଲା ଯେ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ୨.୧୦% କୁ ବୃଦ୍ଧି ପାଇବ। କିନ୍ତୁ ମୁଦ୍ରାସ୍ଫୀତି ଏବେ ବି ଆରବିଆଇର ୪% ଲକ୍ଷ୍ୟ ଅପେକ୍ଷା ବହୁତ କମ୍। ଅର୍ଥାତ୍ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି କିନ୍ତୁ ଏପର୍ଯ୍ୟନ୍ତ ନିୟନ୍ତ୍ରଣରେ ଅଛି।
କାହିଁକି ବଢ଼ିଥିଲା ମୁଦ୍ରାସ୍ଫିତି?
ମୁଦ୍ରାସ୍ଫୀତି ବୃଦ୍ଧି ପଛରେ ମୁଖ୍ୟ କାରଣ ଥିଲା ପନିପରିବା, ମାଂସ ଏବଂ ମାଛ, ତେଲ, ଅଣ୍ଡା ଏବଂ ବ୍ୟକ୍ତିଗତ ଯତ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି। ଏହା ସ୍ପଷ୍ଟ କରଛି ଯେ, ଯେତେବେଳେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଏ, ଏହା ସିଧାସଳଖ ପରିବାରର ବଜେଟ୍ ଉପରେ ପ୍ରଭାବ ପକାଏ। ପନିପରିବା, ମାଂସ, ତେଲ ଏବଂ ଅଣ୍ଡା ଭଳି ଦୈନନ୍ଦିନ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁଁ ଖାଦ୍ୟ ମୂଲ୍ୟ ବୃଦ୍ଧି ପାଏ।
ଗ୍ରାମ ଓ ସହରାଞ୍ଚଳରେ ମୁଦ୍ରାସ୍ପିତୀର ପାର୍ଥକ୍ୟ:
ଅଗଷ୍ଟ ମାସରେ ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ୧.୬୯% ଥିଲା, ଯାହା ଜୁଲାଇରେ ୧.୧୮% ଥିଲା। ଏହି ପରିପ୍ରେକ୍ଷିରେ ସହରାଞ୍ଚଳରେ ମୁଦ୍ରାସ୍ଫୀତି ୨.୪୭% ରେ ପହଞ୍ଚିଛି, ଯାହା ଜୁଲାଇରେ ୨.୧୦% ରୁ ଅଧିକ ଅଟେ। ଖାଦ୍ୟ ମୁଦ୍ରାସ୍ଫୀତି ବିଷୟରେ କହିବାକୁ ଗଲେ, ଗ୍ରାମାଞ୍ଚଳରେ ଏହା -୦.୭୦% ଏବଂ ସହରଗୁଡ଼ିକରେ -୦୫୮% ଥିଲା। ଅଗଷ୍ଟରେ ଗୃହ ମୁଦ୍ରାସ୍ଫୀତି ସାମାନ୍ୟ ହ୍ରାସ ପାଇ ୩.୦୯% ହୋଇଥିବା ବେଳେ ଶିକ୍ଷା ମୁଦ୍ରାସ୍ଫୀତି ୩.୬୦% ଏବଂ ସ୍ୱାସ୍ଥ୍ୟ ମୁଦ୍ରାସ୍ଫୀତି ୪.୪୦% ରହିଛି। ସେହି ସମୟରେ, ପରିବହନ ଏବଂ ଯୋଗାଯୋଗ ଖର୍ଚ୍ଚ ମଧ୍ୟ ହ୍ରାସ ପାଇଛି। ଇନ୍ଧନ ଏବଂ ଆଲୋକ ମୁଦ୍ରାସ୍ଫୀତି ହାର ମଧ୍ୟ ୨.୪୩% କୁ ହ୍ରାସ ପାଇଛି।