ଲିସବନ: ପର୍ତ୍ତୁଗାଲରେ ତୀବ୍ର ଗ୍ରୀଷ୍ମ ପ୍ରବାହ ଏବଂ ଜଙ୍ଗଲ ନିଆଁର ବିପଦ ହେତୁ ରବିବାର ଠାରୁ ସରକାର ଦେଶବ୍ୟାପୀ ଏମର୍ଜେନ୍ସି ଘୋଷଣା କରାଯାଇଛି। ଆଭ୍ୟନ୍ତରୀଣ ମନ୍ତ୍ରୀ ମାରିଆ ଲୁସିଆ ଆମାରାଲ ଶନିବାର ଏହି ଘୋଷଣା କରିଛନ୍ତି। ଯେଉଁଥିରେ ଦେଶର ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି। ଏହି ସତର୍କତା ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ।
ଉତ୍ତର ଆଫ୍ରିକାରୁ ଆସୁଥିବା ଗରମ ବାୟୁ ପ୍ରବାହ ହେତୁ ଦେଶର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୩୬ରୁ ୪୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷେ କିଛି ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ରାତିରେ ମଧ୍ୟ ତାପମାତ୍ରା ୨୦ ଡିଗ୍ରୀ ଉପରେ ରହିବ, ଯାହାକୁ ସ୍ଥାନୀୟ ପାଣିପାଗ ବିଶେଷଜ୍ଞମାନେ "ଟ୍ରପିକାଲ ନାଇଟ୍ସ" ବୋଲି କହିଛନ୍ତି। ଏହି ଅବସ୍ଥାରେ ପର୍ତ୍ତୁଗାଲର ବିଭିନ୍ନ ଅଞ୍ଚଳରେ ଭୟଙ୍କର ଜଙ୍ଗଲ ନିଆଁର ତାଣ୍ଡବ ଦେଖିବାକୁ ମିଳିଛି।
ନିଆଁ ଲାଗିବାର ଆଶଙ୍କାକୁ କମାଇବା ପାଇଁ ସରକାର ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ନିଆଁ ଜଳାଇବା, ଯନ୍ତ୍ରପାତି ବ୍ୟବହାର ଏବଂ ବାଣ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି। ଅଗ୍ନିଶମ ବାହିନୀ ଏବଂ ସୁରକ୍ଷା ସେବାକୁ ମଧ୍ୟ ଶକ୍ତିଶାଳୀ କରାଯାଇଛି। ନ୍ୟାସନାଲ ଅଥରିଟି ଫର ଇମରଜେନ୍ସି ଆଣ୍ଡ ସିଭିଲ ପ୍ରୋଟେକ୍ସନ (ANEPC) ଅନୁଯାୟୀ, ବର୍ତ୍ତମାନ ଦେଶର ୩୯ଟି ଜଙ୍ଗଲ ନିଆଁ ଜଳୁଛି। ଯେଉଁଥିରୁ ୯ଟି ବଡ଼ ଧରଣର ଜଙ୍ଗଲ ନିଆଁ ଦେଶର ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପିଚାଲିଛି। ପେନାମାକୋର, ଆରୋକା, ସାନ୍ତାରେମ ଏବଂ ପୋଣ୍ଟେ ଦା ବାର୍କା ଅଞ୍ଚଳରେ ସ୍ଥିତି ଅଧିକ ଗୁରୁତର ରହିଛି।
ଏହା ପୂର୍ବରୁ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ୧୦,୭୬୮ ହେକ୍ଟର ଜଙ୍ଗଲ ନଷ୍ଟ ହୋଇସାରିଛି। ଯାହା ଗତ ବର୍ଷ ଲାଗିଥିବା ଜଙ୍ଗଲ ନିଆଁ ତୁଳନାରେ ତିନି ଗୁଣ ଅଧିକ। ଏହି ସଂକଟକୁ ମୁକାବିଲା କରିବା ପାଇଁ ସରକାର ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ସୁରକ୍ଷାକୁ ପ୍ରାଥମିକତା ଦେଉଛନ୍ତି।