ଭୁବନେଶ୍ୱର,୧୩/୦୫: ଓଡ଼ିଶାରେ ହେବାକୁ ଯାଉଛି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ । ଚଳଚ୍ଚିତ୍ରର ବିକାଶ ତଥା ସଂସ୍କୃତିକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଜୁନ୍ ମାସରେ ଏକ ୪ ଦିନିଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ କରୁଛନ୍ତି । ଏନେଇ ମଙ୍ଗଳବାର ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ସଚିବ ଭୂପେନ୍ଦ୍ର ସିଂହ ପୁନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜୁନ୍ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଓଆଇଏଫ୍ଏଫ୍) ଅନୁଷ୍ଠିତ ହେବାର ସମ୍ଭାବନା ରହିଛି ।
ଆଲୋଚନା ଅନୁଯାୟୀ, ମହୋତ୍ସବରେ ୧୩ଟି ଫିଚର୍ ଫିଲ୍ମ ପ୍ରଦର୍ଶିତ ହେବ । ଏହା ସହିତ ଯୁବ ଏବଂ ଉଦୀୟମାନ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଉତ୍ସାହିତ କରିବା ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର, ଆନିମେସନ୍ ଚଳଚ୍ଚିତ୍ର ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ପାଇଁ ଉତ୍ସର୍ଗୀକୃତ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯିବ । ଏଥିରେ ସରକାର ପାଖାପାଖି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ବୋଲି ସୂଚନା ମିଳିଛି । କଟକର ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ୍ ଟେଲିଭିଜନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓଡ଼ିଶା (ବିପିଏଫ୍ଟିଆଇଓ)କୁ ମୁଖ୍ୟ ସ୍ଥାନ ଭାବରେ ପ୍ରସ୍ତାବିତ କରାଯାଇଛି । ଏହି ମହୋତ୍ସବ କଟକ ଏବଂ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଉଦ୍ଘାଟନୀ ଉତ୍ସବ କଟକର ଏକ ପ୍ରମୁଖ ସ୍ଥାନରେ ହେବା ପାଇଁ ଯୋଜନା କରାଯାଇଛି ।
ଉଭୟ ସହରର ଗୋଟିଏ କିମ୍ବା ଦୁଇଟି ପ୍ରମୁଖ ପ୍ରେକ୍ଷାଳୟରେ ଫିଚର୍ ଫିଲ୍ମ ପ୍ରଦର୍ଶିତ ହେବ । କଟକର ଓଡ଼ିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ ଅଡିଟୋରିୟମ୍ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଡିଟୋରିୟମ୍ ସମେତ ସହାୟକ ସ୍ଥାନରେ ମାଷ୍ଟର୍ କ୍ଲାସ୍, ସେମିନାର୍, ପ୍ୟାନେଲ୍ ଆଲୋଚନା, କର୍ମଶାଳା ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ବିପିଏଫ୍ଟିଆଇଓ ମହୋତ୍ସବର ନୋଡାଲ୍ ଏଜେନ୍ସି ଭାବରେ କାର୍ଯ୍ୟ କରିବ । ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍ଡିସି) ଏବଂ କାର୍ଯ୍ୟକ୍ରମର ସୁଗମ ସମ୍ପାଦନ ପାଇଁ ଗଠିତ ଅନ୍ୟାନ୍ୟ କମିଟି ସହିତ ସମନ୍ୱୟ ରଖିବ ।