ନୂଆଦିଲ୍ଲୀ ୧୯/୦୭: ଆସାମର ତିନସୁକିଆ ଜିଲ୍ଲାର ମାକୁମ କୋଇଲା କ୍ଷେତ୍ରରୁ ଜୀବାଶ୍ମୀକୃତ କିଆ ପତ୍ର ଆବିଷ୍କୃତ ହୋଇଛି । ସୁଗନ୍ଧିତ ମହକ ପାଇଁ ପରିଚିତ ଏହି ଉଦ୍ଭିଦର ଉପଯୋଗ ମିଠା, ପରଫ୍ୟୁମ୍, ପାରମ୍ପରିକ ଔଷଧ ଓ ମନ୍ଦିର ରୀତିନୀତିରେ ହୋଇଥାଏ । ଅତିକମ୍‌ରେ ୨.୪ କୋଟି ବର୍ଷ ଧରି ଭାରତୀୟ ଉପମହାଦେଶରେ ଏହାର ଅସ୍ତିତ୍ୱ ରହିଛି । ଏହି ଉଦ୍ଭିଦ ମାନବ ସଭ୍ୟତାଠାରୁ ମଧ୍ୟ ଖୁବ୍ ପ୍ରାଚୀନ, ଏପରିକି ହିମାଳୟର ଅଭ୍ୟୁଦୟଠୁ ମଧ୍ୟ ପୁରୁଣା ବୋଲି ସଦ୍ୟ ଆବିଷ୍କାର ଦର୍ଶାଇଛି ।

ଅନ୍ତର୍ଜାତୀୟ ପତ୍ରିକା ଜିଓବାୟୋସରେ ଆବିଷ୍କାର ପ୍ରକାଶ ପାଇଛି । ଡିପାର୍ଟମେଣ୍ଟ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଅଧୀନସ୍ଥ ଲକ୍ଷ୍ନୌର ସ୍ୱୟଂଚାଳିତ ଅନୁଷ୍ଠାନ ବୀରବଲ ସାହନୀ ଇନଷ୍ଟିଚ୍ୟୁଟ୍ ଅଫ୍ ପାଲିଓସାଇନ୍ସେସ୍‌ର ଗବେଷକ ହର୍ଷିତା ଭାଟିୟା ଓ ଗୌରବ ଶ୍ରୀବାସ୍ତବ ଏହି ବହୁପ୍ରାଚୀନ ଜୀବାଶ୍ମୀକୃତ ପତ୍ର ଆବିଷ୍କାର କରିଛନ୍ତି । ଜୀବାଶ୍ମର ମର୍ଫୋଲୋଜିକାଲ ଓ ମାଇକ୍ରୋସ୍କୋପିକ୍ ବୈଶିଷ୍ଟ୍ୟର ଅଧ୍ୟୟନରୁ ଜଣାପଡ଼ିଲା, ଏହା ପାଣ୍ଡାନାସି ବା କଣ୍ଟକିତ-ପାଇନ କିସମର । ଆଧୁନିକ କିଆ ଏହି ସମୂହର ।

ଜୀବାଶ୍ମୀକୃତ ପତ୍ର ଓ ଆଧୁନିକ କିଆର ସମାନ ବୈଶିଷ୍ଟ୍ୟ ରହିଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଲେ । ଏହାର ଲମ୍ବା ଖଣ୍ଡା ଆକୃତିର ପତ୍ର, ସମାନ୍ତରାଳ ଶିରା, ଇଂରାଜୀ ଅକ୍ଷର ଏମ୍ ଆକୃତିର ଛକି ଭଳି ବିଭାଗ ଏବଂ ପତ୍ର ଧାରରେ ମୁନିଆ କଣ୍ଟା ଦର୍ଶାଉଛି ଯେ କୋଟି କୋଟି ବର୍ଷ ମଧ୍ୟରେ ଏହି କିସମର ଉଦ୍ଭିଦରେ ଖୁବ୍ କମ୍ ପରିବର୍ତ୍ତନ ହୋଇଛି ।

ଆହୁରି ପଢ଼ନ୍ତୁ...National Film Awards: ୭୨ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନ: ‘ଆର୍ଟିକଲ-୩୭୦' ଶ୍ରେଷ୍ଠ ଚଳଚ୍ଚିତ୍ର, ‘ଶ୍ରୀକାନ୍ତ' ଶ୍ରେଷ୍ଠ ହିନ୍ଦୀ ଫିଲ୍ମ

ଏହି ଆବିଷ୍କାର ୟୁରୋପ ଓ ଉତ୍ତର ଆମେରିକାର ପୁରାତନ ଜୀବାଶ୍ମ ସହିତ ଏସିଆ ଓ ଅଷ୍ଟ୍ରେଲିଆର ନୂଆ ଜୀବାଶ୍ମକୁ ଯୋଡ଼ି କଣ୍ଟାଯୁକ୍ତ ପାଇନ ଉଦ୍ଭିଦ ସମୂହର ବିକାଶ ମଧ୍ୟରେ ଥିବା ପ୍ରମୁଖ ବ୍ୟବଧାନକୁ ଦୂର କରିଛି । ବୈଶ୍ୱିକ ଜଳବାୟୁ ପରିବର୍ତ୍ତନ ସମୟରେ ପ୍ରାଚୀନ ଉଷ୍ଣମଣ୍ଡଳୀୟ ଉଦ୍ଭିଦଙ୍କ ପାଇଁ ଭାରତୀୟ ଉପମହାଦେଶ ଏକ ଗୁରୁତ୍ୱପୂର୍ଣ୍ଣ ଆଶ୍ରୟସ୍ଥଳ ଥିଲା ବୋଲି ଅଧ୍ୟୟନରୁ ଜଣାପଡ଼ିଥିବା ବୈଜ୍ଞାନିକମାନେ କହିଛନ୍ତି । ପାଣ୍ଡାନସ ଏବେ କେବଳ ଉଷ୍ଣମଣ୍ଡଳୀୟ କ୍ଷେତ୍ର ମଧ୍ୟରେ ସୀମିତ ଥିବାବେଳେ ଏହାର ପ୍ରାଚୀନ କିସମ ଦିନେ ଉତ୍ତର ଗୋଲାର୍ଦ୍ଧରେ ବ୍ୟାପକ ବିସ୍ତାର କରିଥିଲା ।