ଭୁବନେଶ୍ୱର,୨୮/୦୨: ମାର୍ଚ୍ଚ ୬ରୁ ୯ ଯାଏ  ସ୍ଥାନୀୟ ବରମୁଣ୍ଡା ପଡ଼ିଆ ଠାରେ ତୃତୀୟ ଅନ୍ତର୍ଜାତୀୟ  ଖଣି ଓ ଭିତ୍ତିଭୂମି ଏକ୍ସପୋ ଅନୁଷ୍ଠିତ ହେବ ।  ରାଜ୍ୟପାଳ ହରିବାବୁ କମ୍ଭମପାଟି ଏହି କାର୍ଯ୍ୟକ୍ରମକୁ  ଉଦ୍‌ଘାଟନ କରିବେ । ୪ ଦିନ ଧରି ଚାଲିବାକୁ  ଥିବା ଏହି ମେଗା ଇଭେଣ୍ଟରେ ଦେଶ ବିଦେଶର  ଖଣି, ନିର୍ମାଣ, ଭିତ୍ତିଭୂମି ଶିଳ୍ପ ଅଂଶୀଦାରମାନେ  ଯୋଗଦେବେ ବୋଲି ଆୟୋଜକ ଫ୍ୟୁଚରେକ୍ସ ଗ୍ରୁପ  ପକ୍ଷରୁ ସୂଚନା ମିଳିଛି । ଉଦ୍ଭାବନ ସହଯୋଗ ଏବଂ  ବ୍ୟବସାୟିକ ସୁଯୋଗ ସୃଷ୍ଟିକୁ ନଜରରେ ରଖି ଏହି  କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

୧୦୦ ଦେଶର  ପ୍ରତିନିଧି, ୩୦୦ରୁ ଊଦ୍ଧ୍ୱର୍ ବିଶ୍ୱସ୍ତରୀୟ କମ୍ପାନି ଏଠାରେ  ଯୋଗଦେବେ । ୭ ହଜାରରୁ ଊଦ୍ଧ୍ୱର୍ ପଞ୍ଜୀକରଣ ଏବେ  ସୁଦ୍ଧା ହସ୍ତଗତ ହୋଇଛି । ୩୫ରୁ ଊଦ୍ଧ୍ୱର୍ ବିଶିଷ୍ଟ ବକ୍ତା  କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ମୋଟ ୫ ଲକ୍ଷ  ବର୍ଗଫୁଟ ପରିମିତ ସ୍ଥାନରେ ଏହି ସମ୍ମିଳନୀ ଅନୁଷ୍ଠିତ  ହେବ । ଏ ଉପଲକ୍ଷେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ  ନାଲ୍‌କୋର ପୂର୍ବତନ ସିଏମ୍‌ଡି ତପନ କୁମାର ଚାନ୍ଦ  ଖଣି କ୍ଷେତ୍ରର ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା  କରିଥିଲେ । ଆୟୋଜକ ଫ୍ୟୁଚରେକ୍ସ ଗ୍ରୁପର ଏମ୍‌ଡି  ସ୍ୱାମୀ ପ୍ରେମ୍‌ ଅନ୍ୱେଶୀ କହିଲେ, ଚଳିତ ବର୍ଷ ଏହି  ସମ୍ମିଳନୀରେ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ  ସମାଧାନ ପ୍ରଦର୍ଶନ କରିବେ ଅଂଶୀଦାର । କାର୍ଯ୍ୟକ୍ରମର  ସହଯୋଗୀ ଭାବେ ପିଏଚ୍‌ଡି ଚାମ୍ବର ଅଫ୍‌ କମର୍ସ,  ସ୍କିଲ୍‌ କାଉନସିଲ ଅଫ୍‌ ମାଇନିଂ ଏବଂ ଓସ୍‌ମି ରହିଛନ୍ତି ।