ଭୁବନେଶ୍ୱର,୧୯/୧୦: ଓଡ଼ିଶାକୁ ଆସିବ ନିବେଶ । ଦେଶର ପ୍ରତିଷ୍ଠିତ ଶିଳ୍ପସଂସ୍ଥା ଓଡ଼ିଶା ଆସିବେ । ପୁଞ୍ଜି ଖଟାଇବେ । ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳ୍ପପତିଙ୍କ ସହ ଆଲୋଚନା ବେଳେ ଏମିତି ପ୍ରତିଶ୍ରୁତି ମିଳିଛି । ବେଦାନ୍ତ ରାଜ୍ୟରେ ଆଉ ୧ ଲକ୍ଷ କୋଟି ନିବେଶ କରିବାକୁ ଘୋଷଣା କରିଛି । ଏଥିରେ ୨ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରାଜ୍ୟର ଆର୍ଥିକ ବିକାଶକୁ ଆଗକୁ ନେବାରେ ଏହା ବେଶ ସହାୟକ ହେବ । ମୁଖ୍ୟମନ୍ତ୍ରୀ ଶନିବାର ନିବେଶକ ସମ୍ମିଳନୀରେ ବହୁ ପୁଞ୍ଜିପତିଙ୍କୁ ଭେଟିବେ । ଓଡ଼ିଶାକୁ ଆସି ପୁଞ୍ଜି ଖଟାଇବାକୁ ପ୍ରସ୍ତାବ ଦେବେ । ଆସନ୍ତା ଜାନୁଆରୀରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡ଼ିଶା କନକ୍ଲେଭ୍ ପାଇଁ ନିବେଶକଙ୍କୁ ନିମନ୍ତ୍ରଣ ମଧ୍ୟ କରିବେ ।

ରାଜ୍ୟକୁ ଅଧିକରୁ ଅଧିକ ପୁଞ୍ଜି ଟାଣିବାକୁ ରୋଡ ସୋ କରିବାକୁ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗସ୍ତରେ ଅଛନ୍ତି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଓ ଜେଏସଡବ୍ଲ୍ୟୁର ସଜନ ଜିନ୍ଦଲଙ୍କୁ ଭେଟିଥିଲେ । ରାଜ୍ୟରେ ଶିଳ୍ପାୟନ ଓ ନିବେଶ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଶିଳ୍ପପତିଙ୍କ ସହ ଆଲୋଚନା ପରେ ବେଦାନ୍ତ ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ପୁଞ୍ଜି ଖଟାଇବାକୁ ଘୋଷଣା କରିଛି ।
ଅକ୍ଷୟ ଶକ୍ତି ଦ୍ୱାରା ପରିଚାଳିତ ସବୁଜ ଆଲୁମିନିୟମ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇ ବାର୍ଷିକ ୬ ନିୟୁତ ଟନ୍ ଆଲୁମିନିୟମ ରିଫାଇନାରୀ ଓ ୩ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନିୟମ କାରଖାନା ପ୍ରତିଷ୍ଠାରେ କଂପାନୀ ଏହି ପୁଞ୍ଜିନିବେଶ କରିବ । ଅଟୋ, ଶକ୍ତି, ବିର୍ନିମାଣ ଏବଂ ରେଲୱେ ଭଳି କ୍ଷେତ୍ରରେ ଆଲୁମିନିୟମର ଚାହିଦା ବଢ଼ି ବଢ଼ି ଚାଲିଛି ।
ବେଦାନ୍ତ ଦର୍ଶାଇଛି, ୨୦୩୦ ସୁଦ୍ଧା ଓଡ଼ିଶା ଅନ୍ୟତମ ବିକଶିତ ରାଜ୍ୟରେ ପରିଣତ ହେବା ଦିଗରେ ଅଗ୍ରସର ହେଉଥିବା ବେଳେ ବେଦାନ୍ତ ଝାରସୁଗୁଡ଼ା ଭଳି ରାୟଗଡ଼ାକୁ ଏକ ଉଚ୍ଚ ବିକଶିତ ଅଞ୍ଚଳ ଭାବେ ଗଢ଼ିବାକୁ ଲକ୍ଷ୍ୟ ରଖିଛି । ଓଡ଼ିଶା ସରକାରଙ୍କ ସହଯୋଗରେ ବେଦାନ୍ତ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ଦକ୍ଷତା ବିକାଶ କେନ୍ଦ୍ର ଓ ନନ୍ଦଘର ପ୍ରତିଷ୍ଠା କରି ରାଜ୍ୟବାସୀଙ୍କୁ ଉପକୃତ କରିବ । ଓଡ଼ିଶାରେ ଏହି ସର୍ବବୃହତ୍ ଲକ୍ଷେ କୋଟିର ପୁଞ୍ଜିନିବେଶ ୧୦୦୦ ଏମ୍ଏସ୍ଏମ୍ଇ ପାଇଁ ସୁଯୋଗ ସୃଷ୍ଟି ଆଣିବା ସହ ୨ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ । ଆଲୁମିନିୟମ ଭବିଷ୍ୟତର ଭିତ୍ତିଭୂମି ହୋଇଥିବାରୁ ୨୦୩୦ ସୁଦ୍ଧା ଆଲୁମିନିୟମର ଚାହିଦା ସମାନ ଭାବରେ ବୃଦ୍ଧି ପାଇବ । ଏହାକୁ ଦୃଷ୍ଟିରେ ରଖି କଂପାନୀ ପକ୍ଷରୁ ନିବେଶ ସହ ବିକାଶକୁ ମଧ୍ୟ ଅଗ୍ରାଧିକାର ମିଳିବ ।

ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କହିଲେ, ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ପରିକଳ୍ପନା ପ୍ରତି ଓଡ଼ିଶାର ନୂତନ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ । ୨୦୩୦ ସୁଦ୍ଧା ଓଡ଼ିଶାକୁ ଅଧ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଥିବାରୁ ଆମେ ନୂଆ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ସାରା ବିଶ୍ୱକୁ ଆମନ୍ତ୍ରଣ କରୁଛୁ । ଜାନୁଆରୀ ୨୦୨୫ରେ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଉତ୍କର୍ଷ ଓଡ଼ିଶା ଆୟୋଜନ କରୁଛୁ । ଆଜି ପ୍ରି-ଇଭେଣ୍ଟ ରୋଡ୍ ସୋ' ସମୟରେ ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ସହ ଫଳପ୍ରଦ ଆଲାଚନା କରିଛୁ । ନୂଆ ଆଲୁମିନା ପ୍ରକଳ୍ପରେ ୧ ଲକ୍ଷ କୋଟି ଟଙ୍କାର ବିନିଯୋଗ ସୁଯୋଗ ରହିଛି ଯାହା ରାଜ୍ୟବାସୀଙ୍କ ପାଇଁ ଅଧିକ ନିଯୁକ୍ତି ସୃଷ୍ଟି କରିବ । ଏହି ପ୍ରକଳ୍ପଗୁଡିକର ବିକାଶ ଦିଗରେ ରାଜ୍ୟ ସରକାର ପୂର୍ଣ୍ଣ ସହଯୋଗ କରିବେ ବାଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ବେଦାନ୍ତ ଅଧ୍ୟକ୍ଷ ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ ବେଦାନ୍ତର ଅଭିବୃଦ୍ଧିରେ ଓଡ଼ିଶା ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆମର ପୁଞ୍ଜିନିବେଶ ରାଜ୍ୟର ସାମଗ୍ରିକ ଅଭିବୃଦ୍ଧି ଏବଂ ବୃହତ ଶିଳ୍ପାୟନ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଓଡ଼ିଶାର କୋଟି କୋଟି ଲୋକଙ୍କ ଜୀବନର ଗୁଣବତ୍ତା ବୃଦ୍ଧି କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ।
ମୁଖ୍ୟମନ୍ତ୍ରୀ ଜେଏସ୍ଡବ୍ଲ୍ୟୁର ଶ୍ରୀ ଜିନ୍ଦଲଙ୍କ ସହ ମଧ୍ୟ ପ୍ରସ୍ତାବିତ ଇଭି ଓ ବ୍ୟାଟେରୀ ପ୍ରକଳ୍ପ ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ । ଗୋଦରେଜ୍ ଗ୍ରୁପ୍ ଅଧ୍ୟକ୍ଷ ନାଦୀର ଗୋଦରେଜ୍, ୱେଲସ୍ପୁନର ବିଜୟ ଗୋଏଙ୍କା ଏବଂ ବାଲକ୍ରିଷ୍ଣ ଗୋଏଙ୍କାଙ୍କ ସହ ଅନ୍ୟ ଶିଳ୍ପପତିଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।
ଉଲ୍ଲେଖଯୋଗ୍ୟ, ଉତ୍କର୍ଷ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଅଧିକ ପୁଞ୍ଜି ଟାଣିବାକୁ ଗୋଟିଏ ପରେ ଗୋଟିଏ ରୋଡ ସୋ’ରେ ସାମିଲ ହୋଇ ନିବେଶକଙ୍କୁ ଓଡ଼ିଶା ଆମନ୍ତ୍ରଣ କରୁଛନ୍ତି ।
ଏହାପୂର୍ବରୁ ନୂଆଦିଲ୍ଲୀରେ ନିବେଶ ରୋଡ ଶୋ’ରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ପୁଞ୍ଜିପତି ଓ ବାଣିଜ୍ୟିକ କମିଶନରଙ୍କ ସହ ବୈଠକରେ ସାମିଲ ହୋଇଥିଲେ । ମୋହନ ଅପିଲ୍ କରିଥିଲେ, ଓଡ଼ିଶା ଆସ । ନିବେଶ କର । ଜମି, ଖଣିଜ ସମ୍ପଦ, ମାନବ ସମ୍ବଳ କିଛି ଅଭାବ ନାହିଁ । ଓଡ଼ିଶାରେ ନିବେଶ ହେଉଛି ଭବିଷ୍ୟତ ପାଇଁ ନିବେଶ । ରାଜ୍ୟ ସରକାର ସବୁପ୍ରକାର ସହଯୋଗ କରିବେ । ଶିଳ୍ପାୟନକୁ ନୂଆ ଉଚ୍ଚତାକୁ ନେବାକୁ ରାଜ୍ୟ ନିଷ୍ପତ୍ତି ନେଇଛି । ଆପଣମାନଙ୍କୁ ସ୍ୱାଗତ କରିବାକୁ ଓଡ଼ିଶା ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ‘ଇଣ୍ଡିଆ କେମ୍ ୨୦୨୪’ ସମ୍ମିଳନୀରେ ଯୋଗ ଦେଇଥିଲେ । ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରିଥିଲେ ।