ମୁଲନପୁର,୩୦/୦୫ : ଚଳିତ ଆଇପିଏଲ୍‌ରେ ଶୁକ୍ରବାର ଖେଳାଯିବ ଏଲିମିନେଟର ମୁକାବିଲା । ମୁମ୍ବାଇ ଇଣ୍ଡିଆନ୍ସ  ଓ ଗୁଜରାଟ ଟାଇଟନ୍ସ ନୂଆ ପିସିଏ ଷ୍ଟାଡ଼ିୟମରେ ସାମ୍ନାସାମ୍ନି ହେବେ । ଏହି  ମ୍ୟାଚ୍‌ରେ ପରାଜିତ ଦଳ ବିଦାୟ ନେବ । ବିଜୟୀ ଦଳ ଦ୍ୱିତୀୟ କ୍ୱାଲିଫାୟରକୁ ଉନ୍ନୀତ ହେବ । ଉଭୟ ଦଳ ପାଇଁ ବିଜୟ ଜରୁରି ଥିବାରୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । 

ଲିଗ୍‌ ପର୍ଯ୍ୟାୟରେ ଗୁଜରାଟ ଟାଇଟନ୍ସ ଚମତ୍କାର ପ୍ରଦର୍ଶନ କରି ଅର୍ଦ୍ଧାଧିକ ସମୟ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରି ରଖିଥିଲା । ଶେଷ ୨ଟି ଲିଗ୍‌ ମ୍ୟାଚ୍‌ରେ ପରାଜିତ ହେବା ଫଳରେ ଦଳକୁ ଶୀର୍ଷ ସ୍ଥାନ ହରାଇବାକୁ ପଡ଼ିଥିଲା । ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଆରମ୍ଭରୁ ନୈରାଶ୍ୟଜନକ ରହିଥିଲା । ପ୍ରଥମ ୫ଟି ମ୍ୟାଚ୍‌ରୁ ଦଳ ୪ଟି ମ୍ୟାଚ୍‌ରେ ପରାଜିତ ହୋଇ ପଏଣ୍ଟ ତାଲିକାର ଅନ୍ତିମ ସ୍ଥାନରେ  ରହିଥିଲା । ମାତ୍ର ଏହାପରେ ଦଳ କ୍ରମାନ୍ୱୟରେ ୬ଟି ମ୍ୟାଚ୍‌ ଜିତି ପ୍ଲେ-ଅଫ୍‌  ଦୌଡ଼ରେ ସାମିଲ ହୋଇଥିଲା । ଶେଷ ୩ଟି  ମ୍ୟାଚ୍‌ରୁ ୨ଟିରେ ପରାଜିତ ହୋଇ ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥ ସ୍ଥାନରେ ରହିଥିଲା । 

ପୂର୍ବ ରେକର୍ଡକୁ ବିଚାରକୁ ନେଲେ ଟାଇଟନ୍ସର ପଲା ଭାରି ରହିବା  ଆଶା କରାଯାଉଛି । ଲିଗ୍‌ ରାଉଣ୍ଡରେ ଟାଇଟନ୍ସ ୨ଥର ଯାକ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ମାତ୍ର ମୁଲନପୁର ପିସିଏ ଗ୍ରାଉଣ୍ଡର ପିଚ୍‌ରେ କୌଣସି ଦଳ ଆଧିପତ୍ୟ ଜାହିର  କରିପାରିବେ ନାହିଁ । ଟାଇଟନ୍ସ ଦଳ ମଧ୍ୟ  ଜୋସ ବଟଲରଙ୍କ ଅନୁପସ୍ଥିତି ଅନୁଭବ  କରିବା ନିଶ୍ଚିତ । ସେ ଲିଗ ରାଉଣ୍ଡ୍‌ରେ ୧୪ଟି  ମ୍ୟାଚ୍‌ରୁ ୫୩୮ ରନ ସଂଗ୍ରହ କରିଥିଲେ।

ଟାଇଟନ୍ସର ବ୍ୟାଟିଂ ବିଭାଗ ମୁଖ୍ୟତଃ  ସାଇ ସୁଦର୍ଶନ ଓ ଶୁଭମନ ଗିଲଙ୍କ ଉପରେ  ନିର୍ଭର କରିବ । ସୁଦର୍ଶନ ଲିଗ୍‌ ରାଉଣ୍ଡ୍‌ରେ  ୬୭୯ ରନ ଓ ଗିଲ୍‌ ୬୪୯ ରନ ସଂଗ୍ରହ  କରିଛନ୍ତି । ବଟଲରଙ୍କ ସ୍ଥାନରେ କୁଶଲ  ମେଣ୍ଡିସଙ୍କୁ ଦଳରେ ସ୍ଥାନ ମିଳିଛି । ସେ  ଆଜି ଆଇପିଏଲ୍‌ ପଦାର୍ପଣ କରିବେ । 

ର‌୍ୟାନ୍‌ ରିକେଲଟନ ଓ ୱିଲ ଜ୍ୟାକ୍ସ ଲିଗ୍‌  ରାଉଣ୍ଡ ପରେ ସ୍ୱଦେଶ ଫେରି ଯାଇଛନ୍ତି ।  ଉଭୟଙ୍କ ଅନୁପସ୍ଥିତି ସତ୍ତେ୍ୱ ମୁମ୍ବାଇ  ଇଣ୍ଡିଆନ୍ସର ବ୍ୟାଟିଂ ବିଭାଗ ଅଧିକ ଶୃଙ୍ଖଳିତ  ମନେ ହେଉଛି । ଜ୍ୟାକ୍ସଙ୍କ ସ୍ଥାନରେ ଦଳକୁ  ଆସିଥିବା ଜନି ବେୟାରଷ୍ଟୋ ବେଶ୍‌ ଅଭିଜ୍ଞ  ଓ ସେ ଆଜି ରିକେଲଟନଙ୍କ ସ୍ଥାନରେ  ଓପନ କରିବେ । ମଧ୍ୟ କ୍ରମରେ ବେଭନ  ଜାକବ୍ସ କିମ୍ବା ଚରିଥ ଆଶାଲଙ୍କାଙ୍କ ମଧ୍ୟରୁ  ଜଣଙ୍କୁ ଖେଳିବାକୁ ସୁଯୋଗ ମିଳିବ । ଖାଲି  ସେତିକି ନୁହେଁ, ଜ୍ୟାକ୍ସଙ୍କ ଅନୁପସ୍ଥିତିରେ  ତିଳକ ବର୍ମା ନିଜ ପୂର୍ବ ବ୍ୟାଟିଂ ସ୍ଥାନକୁ  ଫେରିବେ । ଚଳିତ ସିଜନରେ ତିଳକ ୫ନଂ  ସ୍ଥାନରେ ବ୍ୟାଟିଂ କରି ବିଫଳ ହୋଇଛନ୍ତି ।  

ଆଜି ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ  ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ନଜର ରହିବ । ସେ ଇତିମଧ୍ୟରେ ୬୪୦ ରନ ସଂଗ୍ରହ  କରିସାରିଛନ୍ତି । ସେହିପରି ରୋହିତ ଶର୍ମା ଓ  ମହମ୍ମଦ ସିରାଜଙ୍କ ମଧ୍ୟରେ ଏକ ଲଢ଼େଇ ଦେଖିବାକୁ ମିଳିପାରେ । ସିରାଜ ଓ ଅର୍ସଦ ଖାନ ଲିଗ୍‌ ରାଉଣ୍ଡ୍‌ରେ ରୋହିତଙ୍କୁ ଆଉଟ୍‌  କରିଥିଲେ । ସେହିପରି ବୁମରା ଓ ଗିଲଙ୍କ ମଧ୍ୟରେ ଲଢ଼େଇକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।  

ପଞ୍ଜାବ କିଙ୍ଗ୍‌ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ  ମଧ୍ୟରେ ଅନୁଷ୍ଠିତ ପ୍ରଥମ କ୍ୱାଲିଫାୟର  ମୁକାବିଲାକୁ ଦେଖିଲେ ପିଚ୍‌ ବୋଲରଙ୍କୁ  ଅଧିକ ସହାୟତା କରିବ । ମାତ୍ର ଆଜି ଆଉ ଏକ ପିଚ୍‌ରେ ଖେଳାଯିବ । ମୋଟ୍‌  ଉପରେ କହିବାକୁ ଗଲେ ବୋଲରମାନେ  ରାଜୁତି କରିବେ । ତେଣୁ ବଡ଼ ସ୍କୋର ସମ୍ଭାବନା ନାହିଁ।

ସମ୍ଭାବ୍ୟ ଦ୍ୱାଦଶ

ମୁମ୍ବାଇ ଇଣ୍ଡିଆନ୍ସ: ଜନି ବେୟାରଷ୍ଟୋ,  ରୋହିତ ଶର୍ମା, ତିଳକ ବର୍ମା, ସୂର୍ଯ୍ୟକୁମାର  ଯାଦବ, ଚରିଥ ଆଶାଲଙ୍କା/ବେଭନ  ଜାକବ୍ସ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ),  ନମନ ଧିର, ମିଚେଲ ସାଣ୍ଟନର, ଦୀପକ  ଚହର, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମରା,  କରଣ ଶର୍ମା । 

ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ୍‌  (ଅଧିନାୟକ), ସାଇ ସୁଦର୍ଶନ, କୁଶଲ  ମେଣ୍ଡିସ, ସେରଫାନ ରଦରଫୋର୍ଡ,  ଶାହରୁଖ ଖାନ, ରାହୁଲ ତେୱାତିଆ, ରସିଦ  ଖାନ, ଗେରାଲ୍ଡ କୋଏଜି, ଅର୍ସଦ ଖାନ, ସାଇ  କିଶୋର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।