ମୁଲନପୁର,୩୧/୦୩: ଚଳିତ ଆଇପିଏଲ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ପରସ୍ପରକୁ ଭେଟିବେ । ଉଭୟ ବିଜୟ ସହ ସିଜନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଗତ ବର୍ଷ ଗୁଜରାଟ ଟାଇଟନ୍ସକୁ ତା’ ଘରୋଇ ଗ୍ରାଉଣ୍ଡ୍ରେ ପଞ୍ଜାବ କିଙ୍ଗ୍ସ ପରାସ୍ତ କରିଥିଲା । ଏଥର ପଞ୍ଜାବ କିଙ୍ଗ୍ସର ଘରୋଇ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳାଯିବ । ପୂର୍ବ ପରାଜୟର ପ୍ରତିଶୋଧ ନେବା ପାଇଁ ଗୁଜରାଟ ଟାଇଟନ୍ସ ନିକଟରେ ଏଥର ଉପଯୁକ୍ତ ସୁଯୋଗ ରହିଛି ।
ପଞ୍ଜାବ କିଙ୍ଗ୍ସ ଗତ ସିଜନରେ ୯ଟି ଲିଗ ମ୍ୟାଚ ଜିତି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଥିଲା । ତଥାପି ଘରୋଇ ଗ୍ରାଉଣ୍ଡରେ ପ୍ରଦର୍ଶନ ସାମାନ୍ୟ ଦୁର୍ବଳ ରହିଥିଲା । ମୁଲନପୁର ଗ୍ରାଉଣ୍ଡ୍ରେ ପଞ୍ଜାବ କିଙ୍ଗ୍ସ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ ଖେଳିଛି ଓ ୩ଟି ମ୍ୟାଚରେ ବିଜୟ ହାସଲ କରିଛି । ଏଥର ପଞ୍ଜାବ କିଙ୍ଗ୍ସକୁ ଘରୋଇ ଗ୍ରାଉଣ୍ଡ୍ର ପ୍ରଦର୍ଶନରେ ଉନ୍ନତି ଆଣିବାକୁ ହେବ ।
ପଞ୍ଜାବ କିଙ୍ଗ୍ସର ପ୍ରମୁଖ ଏକାଦଶରେ ସେଭଳି ପରିବର୍ତ୍ତନ ସମ୍ଭାବନା ନାହିଁ । ନିଲାମ ପୂର୍ବରୁ ପଞ୍ଜାବ କିଙ୍ଗ୍ସ ମାତ୍ର ୪ଜଣ ଖେଳାଳିଙ୍କୁ ରିଲିଜ କରିଥିଲା ଓ ୨୧ ଜଣ ଖେଳାଳିଙ୍କୁ ରିଟେନ କରିଥିଲା । ଅର୍ଥାତ ଏଥର ଦଳରେ ବିଶେଷ ପରିବର୍ତ୍ତନ କରିବାର ଯୋଜନା ନାହିଁ । ଯାହା ଫଳରେ ଦଳରେ ସନ୍ତୁଳନ ବଜାୟ ରହିବ । କେବଳ ଜୋସ ଇଂଲିଶ ଦଳରେ ନାହାନ୍ତି । ତାଙ୍କ ସ୍ଥାନରେ କୁପର କନ୍ନଲି ୩ନଂ ସ୍ଥାନରେ ବ୍ୟାଟିଂ କରିପାରନ୍ତି ।
ଅଧିକ ପଢ଼ନ୍ତୁ :- ବୈଭବଙ୍କ ବିସ୍ଫୋରକ ଅର୍ଦ୍ଧଶତକ: CSKକୁ ୮ ଓ୍ବିକେଟରେ ହରାଇଲା RR
ଆଜି ଅଲ୍ରାଉଣ୍ଡର ଅଜମତୁଲ୍ଲା ଓମାରଜାଇଙ୍କ ପ୍ରଦର୍ଶନ ଉପରେ ପଞ୍ଜାବ କିଙ୍ଗ୍ସ ନିର୍ଭର କରିବ । ଆଫଗାନିସ୍ତାନର ଏହି ଅଲ୍ରାଉଣ୍ଡର ଗତ ଆଇପିଏଲ୍ ପରଠୁ କେବଳ ଟି-ଟ୍ୱେଣ୍ଟି ଫର୍ମାଟ୍ରେ ୭୮୫ ରନ ସଂଗ୍ରହ କରିବା ସହ ୫୨ଟି ୱିକେଟ୍ ଅକ୍ତିଆର କରିଛନ୍ତି ।
ଗୁଜରାଟ ଟାଇଟନ୍ସ ଗତ ସିଜନରେ ୯ଟି ଲିଗ ମ୍ୟାଚ ଜିତି ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଥିଲା । ପ୍ଲେ-ଅଫ (ଏଲିମିନେଟର ମୁକାବିଲା)ରେ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ପରାଜିତ ହୋଇ ବିଦାୟ ନେଇଥିଲା । ଏଥର ମଧ୍ୟ ଦଳର ଶ୍ରେଷ୍ଠ ଏକାଦଶରେ ବଡ଼ ପରିବର୍ତ୍ତନ ସମ୍ଭାବନା ନାହିଁ । କେବଳ ବ୍ୟାଟିଂ କ୍ରମର ୪ନଂ ସ୍ଥାନକୁ ନେଇ ଉତ୍ସୁକତା ରହିବ । ଗତ ସିଜନରେ ସେରଫାନ ରଦରଫୋର୍ଡ ଏହି ସ୍ଥାନରେ ବ୍ୟାଟିଂ କରିଥିଲେ । ଏଥର ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ସଦସ୍ୟ । ତାଙ୍କ ସ୍ଥାନରେ ଟାଇଟନ୍ସ ଦଳ ଗତ ନିଲାମରେ ଇଂଲଣ୍ଡର ଟମ ବାଣ୍ଟନଙ୍କୁ କିଣିଥିଲା । ସେ ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି । ଏହା ବ୍ୟତୀତ ନ୍ୟୁଜିଲାଣ୍ଡର ଗ୍ଲେନ ଫିଲିପ୍ସ ମଧ୍ୟ ୪ନଂ ସ୍ଥାନରେ ବ୍ୟାଟିଂ କରିବା ସମ୍ଭାବନା ରହିଛି । ଗତ ସିଜନରେ ସେ ଟାଇଟନ୍ସ ଦଳର ସଦସ୍ୟ ଥିଲେ ହେଁ ଆହତ ହୋଇ ବାଦ ପଡ଼ିଥିଲେ ।
ଟାଇଟନ୍ସର ବ୍ୟାଟିଂ ବିଭାଗ ସୁଦୃଢ଼ ରହିଥିବାବେଳେ ବୋଲିଂ ବିଭାଗ ବେଶ୍ ଶକ୍ତିଶାଳୀ । ରସିଦ ଖାନ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ, କାଗିସୋ ରାବାଡା ଓ ଜାସନ ହୋଲ୍ଡର ବୋଲିଂ ବିଭାଗ ସମ୍ଭାଳିବେ । ତେବେ ରାବାଡ଼ା ଓ ହୋଲ୍ଡରଙ୍କ ମଧ୍ୟରୁ ଜଣଙ୍କୁ ଏକାଦଶରେ ସୁଯୋଗ ମିଳି ପାରିବ ।
ମୁଲନପୁର ଗ୍ରାଉଣ୍ଡ୍ର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିଥିଲେ ହେଁ ପ୍ରାରମ୍ଭରୁ ନୂଆ ବଲ୍ ସୁଇଂ ହେଉଥିବାର ରେକର୍ଡ ରହିଛି । ଏଠାରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଅଧିକ ମ୍ୟାଚ ଜିତିଛନ୍ତି । ଆଜି ଟସ ସେଭଳି ଗୁରୁତ୍ୱ ରଖୁ ନଥିଲେ ହେଁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ସମ୍ଭାବନା ଅଧିକ।
ସମ୍ଭାବ୍ୟ ଏକାଦଶ
ପଞ୍ଜାବ କିଙ୍ଗ୍ସ: ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ, ଶ୍ରେୟାସ ଆୟର (ଅଧିନାୟକ), ନେହାଲ ୱଧେରା, ମିଚେଲ ଓଏନ/କୁପର କନ୍ନଲି, ମାର୍କସ ଷ୍ଟଇନିସ, ଶଶାଙ୍କ ସିଂହ, ଅଜମତୁଲ୍ଲା ଓମାରଜାଇ, ହରପ୍ରୀତ ବ୍ରାର, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ ।
ଗୁଜରାଟ ଜାଏଣ୍ଟ୍ସ: ଶୁଭମନ ଗିଲ୍ (ଅଧିନାୟକ), ବି ସାଇ ସୁଦର୍ଶନ, ଜୋସ ବଟଲର, ଟମ ବାଣ୍ଟନ/ଗ୍ଲେନ ଫିଲିପ୍ସ, ୱାସିଂଟନ ସୁନ୍ଦର/କୁମାର କୁଶାଗ୍ର, ଏମ ଶାହରୁଖ ଖାନ, ରାହୁଲ ତେୱାତିଆ, ରସିଦ ଖାନ, କାଗିସୋ ରାବାଡା/ଜାସନ ହୋଲ୍ଡର, ଆର ସାଇ କିଶୋର, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ।