ଗୌହାଟୀ : ବେଙ୍ଗାଲୁରୁ, ମୁମ୍ବାଇ ପରେ ବିଜୟ ଖାତାରେ ନାଁ ଲେଖିଲା ରାଜସ୍ଥାନ ରୟାଲ୍ସ । ଆଇପିଏଲ ୨୦୨୬ର ତୃତୀୟ ମ୍ୟାଚରେ ଚେନ୍ନାଇକୁ ୮ ଓ୍ବିକେଟରେ ହରାଇଲା ରାଜସ୍ଥାନ । ଯୁବ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ଅର୍ଦ୍ଧଶତକୀୟ ପାଳି । ୧୨୮ ରନର ବିଜୟ ଲକ୍ଷ୍ୟକୁ ସହଜରେ ଜିତି ନେଇଛି ରାଜସ୍ଥାନ । ୧୨ ଓଭର ଗୋଟିଏ ବଲରେ ବିଜୟ ଲକ୍ଷ୍ୟ ପୂରଣ କରିବାରେ ସଫଳ ହୋଇଛି । ଦଳର ଦୁଇ ଓପନର ବୈଭବ ସୂର୍ଯ୍ୟବଂଶୀ ଏବଂ ଜୟସ୍ବାଲ ଦମଦାର ପାଳି ଆରମ୍ଭ କରିଥିଲେ । ସୂର୍ଯ୍ୟବଂଶୀ ୧୭ ବଲରୁ ୫୨ ରନ କରି ଆଉଟ୍ ହୋଇଥିବାବେଳେ ଜୟସ୍ବାଲ  ରନ କରି ଅପରାଜିତ ରହିଥିଲେ ।

୨ ଓ୍ବିକେଟ୍ ହରାଇ ରାଜସ୍ଥାନ ୧୨୮ ରନକୁ ଅତି ସହଜରେ କରି ନେଇଛି । ଦଳର ଅନ୍ୟ ଖେଳାଳିଙ୍କ ମଧ୍ୟରେ ଧ୍ରୁବ ଜୁରେଲ ୯ ବଲରୁ ୧୮ ରନ କରିଥିବାବେଳେ ପରାଗ ୧୧ ବଲରୁ ୧୪ ରନ୍ କରିଛନ୍ତି । ସେପଟେ ସିଏସକେ ପକ୍ଷରୁ କେବଳ କମ୍ବୁଲ ୨ ଓ୍ବିକେଟ୍ ନେବାରେ ସକ୍ଷମ ହୋଇଥିଲେ । ବାକି କୌଣସି ବୋଲର ଓ୍ବିକେଟ୍ ନେଇପାରିନଥିଲେ । ପ୍ରଥମରୁ ଦୁଇ ଓପନର ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳ ଆରମ୍ଭ କରିଥିଲେ । ଲୋସ୍କୋରି ମ୍ୟାଚ ହୋଇଥିବାବେଳେ ରାଜସ୍ଥାନ ଉପରେ କୌଣସି ପ୍ରଭାବ ପଡ଼ିନଥିଲା । 

​​​​​​​

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ ରୟାଲ୍ସ । ସିଏସକେ ବିଶାଳ ସ୍କୋର କରିବ ବୋଲି ଆଶା ରଖିଥିଲେ ଫ୍ୟାନ୍ସ ।ମାତ୍ର ସିଏସକେ ୧୨୭ ରନରେ ଅଲଆଉଟ୍ ହୋଇଥିଲା । ରାଜସ୍ଥାନକୁ ଦେଲା ୧୨୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା । CSKର ୮ ଜଣ ଖେଳାଳି ୨ ଅଙ୍କ ଛୁଇଁ ପାରିନଥିଲେ । ମାତ୍ର ଦଳ ପକ୍ଷରୁ ଜେମି ଓଭରଟନ୍ ସର୍ବାଧିକ ୪୩ ରନ କରିବାରେ ସକ୍ଷମ ହୋଇଥିଲେ । ବାକି ଖେଳାଳିଙ୍କ ମଧ୍ୟରେ କାର୍ତ୍ତିକ ଶର୍ମା ୧୮ ଏବଂ ସର୍ଫରାଜ ଖାନ ୧୭ ରନ୍ କରିଛନ୍ତି । ବାକି ଷ୍ଟାର ଖେଳାଳି ଫ୍ଲପ୍ ହୋଇଛନ୍ତି । ସଞ୍ଜୁ ସାମସନଙ୍କ ଉପରେ ଦଳ ବହୁ ଭରସା ରଖିଥିଲା ମାତ୍ର ସେ ୭ ବଲରୁ ୬ ରନ୍ କରିପାରିଥିଲେ ।

ସେପଟେ ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର, ବର୍ଗର ଏବଂ ରବିନ୍ଦ୍ର ଜାଡେଜା ୨ଟି ଲେଖାଏଁ ଓ୍ବିକେଟ୍ ନେବାରେ ସଫଳ ହୋଇଛନ୍ତି । ବାକି ବୋଲରଙ୍କ ମଧ୍ୟରେ ବ୍ରିଜେସ୍ ଶର୍ମା, ସନ୍ଦିପ ଶର୍ମା ଏବଂ ରବି ବିଷ୍ନୋଇ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେବାରେ ସଫଳ ହୋଇଛନ୍ତି ।

ସେପଟେ ସିଏସକେ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଅଧିନାୟକ ଋତୁରାଜ ଗାଏକ୍ବାଡ ୬ ରନ୍ କରିଥିବାବେଳେ ଯୁବ ତାରକା ଆୟୂଷ ମାତ୍ରେ ଖାତା ଖୋଲିପାରିନଥିଲେ ।