ନୂଆଦିଲ୍ଲୀ,୧୪/୦୪; ପ୍ରତି ବର୍ଷ ଭଳି ଏଥର ମଧ୍ୟ ଚଳିତ ଆଇପିଏଲରେ କିଛି ଯୁବ ଖେଳାଳି ଦମ୍ଦାର ପ୍ରଦର୍ଶନ ବଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ଏଥର ଲକ୍ଷ୍ନୌ ପକ୍ଷରୁ ପଦାର୍ପଣ କରିଥିବା ମୁକୁଲ ଚୌଧୁରୀ କୋଲକାତା ବିପକ୍ଷରେ ୨୭ଟି ବଲରୁ ଅପରାଜିତ ୫୪ ରନର ଇନିଂସ ଖେଳି କ୍ରିକେଟ୍ ପ୍ରେମୀଙ୍କୁ ଚକିତ କରି ଦେଇଥିଲେ । ଠିକ ସେହିପରି ହାଇଦ୍ରାବାଦ ପକ୍ଷରୁ ପଦାର୍ପଣ କରିଥିବା ପେସ୍ ବୋଲର ସାକିବ ହୁସେନ ୪ଟି ୱିକେଟ୍ ନେଇ ବିରଳ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ସନରାଇଜର୍ସ ହାଇଦ୍ରାବାଦର ସାକିବ ହୁସେନ ଆଇପିଏଲ ଡେବ୍ୟୁରେ ୨୪ ରନ୍ ଦେଇ ୪ ୱିକେଟ ନେଇ ଘାତକ ସାବାସ୍ୟ ହୋଇଛନ୍ତି । ତାଙ୍କର ଏହି ସାନଦାର ପ୍ରଦର୍ଶନ ବଳରେ ରାଜସ୍ଥାନ ବିଜୟଧାରାରେ ବ୍ରେକ୍ ଲାଗିଛି ।

ରାଇଫଲ୍ ଧରିବାକୁ ଯାଇ କ୍ରିକେଟର ହୋଇଗଲେ- ବିହାର ପକ୍ଷରୁ ଖେଳୁଥିବା ୨୧ ବର୍ଷିୟ ପେସ୍‌ ବୋଲର ସାକିବ ରାଜସ୍ଥାନ ବ୍ୟାଟରଙ୍କୁ ଘାଇଲା କରିଥିଲେ । ଜୈସ୍ୱାଲ, ଡୋନୋଭାନ ଫେରେରା, ଜୋଫ୍ରା ଆର୍ଚର ଓ ରବି ବିଷ୍ଣୋଇଙ୍କୁ ଆଉଟ୍‌ କରିଥିଲେ । ୨୦୨୪ ସିଜନରେ ତାଙ୍କୁ କୋଲକାତା କିଣିଥିଲେ ହେଁ ଖେଳିବାକୁ ସୁଯୋଗ ଦେଇ ନଥିଲା । ଗତ ସିଜନରେ ସନରାଇଜର୍ସ ତାଙ୍କୁ କିଣିଥିଲା ଓ ତାଙ୍କ ବୋଲିଂକୁ ସୁଧାରିଥିଲା  । ଏହାର ଉଚିତ ଫଳ ସନରାଇଜର୍ସ ହାଇଦ୍ରାବାଦକୁ ମିଳିଛି । ଡେବ୍ୟୁ ମ୍ୟାଚରେ ୨୪ ରନ୍ ଦେଇ ୪ ୱିକେଟ ନେଇ ସମସ୍ତଙ୍କୁ ଚକିତ କରିଛନ୍ତି ସାକିବ ହୁସେନ । ସାକିବ ହୁସେନଙ୍କ କ୍ରିକେଟର ହେବା ଯାତ୍ରାର କାହାଣୀ ସଂଘର୍ଷରେ ପରିପୂର୍ଣ୍ଣ । ସେ ଦିନେ ଦେଶ ପାଇଁ ରାଇଫଲ୍ ଧରିବାର ସ୍ୱପ୍ନ ଦେଖୁଥିଲେ । ସେ ଭାରତୀୟ ସେନାରେ ଯୋଗ ଦେବାକୁ ଚାହୁଁଥିଲେ । କିନ୍ତୁ ଯେକୌଣସି ବାଧାବିଘ୍ନର ସମ୍ମୁଖୀନ ହେଉନା କାହିଁକି, ଜଣେ କ୍ରିକେଟର ହେବା ତାଙ୍କ ପାଇଁ ଭାଗ୍ୟରେ ଥିଲା  । ପୂର୍ବ କ୍ରିକେଟ ଇର୍ଫାନ ପଠାଣ ଏକ୍ସରେ ସାକିବଙ୍କୁ ନେଇ ଏହି ସୂଚନା ଦେଇଛନ୍ତି ।

​​​​​​​ମା' ଙ୍କ ଅଳଙ୍କାର ବିକି ଜୋତା କିଣିଥିଲେ- ଡିସେମ୍ବର ୧୪, ୨୦୦୪ରେ ବିହାରର ଗୋପାଳଗଞ୍ଜରେ ଜନ୍ମଗ୍ରହଣ କରିଥିବା ସାକିବ ହୁସେନଙ୍କ ବାପା ଜଣେ ଚାଷୀ ।  ଆଣ୍ଠୁ ଯନ୍ତ୍ରଣା ଯୋଗୁଁ ସେ ଚାଷ ଛାଡିବାକୁ ବାଧ୍ୟ ହୋଇଥିଲେ, ଯାହା ପରିବାରର ଆର୍ଥିକ ପରିସ୍ଥିତିକୁ ଆହୁରି ଖରାପ କରିଦେଇଥିଲା । ଆର୍ଥିକ ସମସ୍ୟାରେ ଘେରି ହୋଇରହିଥିଲା ପରିବାର । ଅଭାବ ଜୀବନ ବିତୁଥିଲା । ସାକିବ ତାଙ୍କ ବୋଲିଂ ଦକ୍ଷତା ହାସଲ କରିବା ପାଇଁ ଆବଶ୍ୟକ ଜୋତା କିପରି କିଣିପାରିବେ ? ତାଙ୍କ ମାଆ ଅଳଙ୍କାର ବିକ୍ରି କରି ତାଙ୍କୁ ଜୋତା କିଣିଥିଲେ ଯାହାଦ୍ୱାରା ସେ କ୍ରିକେଟ୍ ଖେଳିପାରିବେ ।


ଏହା ବି ପଢନ୍ତୁ...ଡେବ୍ୟୁ ମ୍ୟାଚରେ ରାଜସ୍ଥାନର ବ୍ୟାଟ୍ସମ୍ୟାନଙ୍କୁ ଧୂଳି ଚଟାଇଥିବା ପ୍ରଫୁଲ୍ କିଏ ? ପ୍ରଥମ ଓଭରରେ ନେଲେ ୩ ଓ୍ବିକେଟ୍ ...  

ସେହିପରି ହାଇଦ୍ରାବାଦରେ ଅନ୍ୟ ଜଣେ ପେସ୍ ବୋଲର ପ୍ରଫୁଲ ହିଙ୍ଗେ ପ୍ରଥମ ଓଭରରେ ୩ଟି ୱିକେଟ୍‌ ନେଇ କ୍ରିକେଟ୍‌ ପ୍ରେମୀଙ୍କୁ ସ୍ତବ୍ଧ କରି ଦେଇଥିଲେ । ସେ ପ୍ରଥମ ଓଭର ବୋଲିଂ କରିବାକୁ ସୁଯୋଗ ପାଇଥିଲେ । ଏହି ଓଭରରେ ସେ ଫର୍ମରେ ରହିଥିବା ବୈଭବ ସୂର୍ଯ୍ୟବଂଶୀ, ଧ୍ରୁବ ଜୁରେଲ ଓ ଲହୁଆନ-ଦ୍ରେ ପ୍ରିଟୋରିୟସଙ୍କୁ ଆଉଟ କରିଥିଲେ । ଏପରିକି କେହି ରନ୍‌ ଖାତା ଖୋଲି ପାରି ନଥିଲେ । ଦ୍ୱିତୀୟ ଓଭରରେ ସେ ରାଜସ୍ଥାନ ଅଧିନାୟକ ରିୟାନ ପରାଗଙ୍କୁ ପାଭିଲିୟନ ପଠାଇ ଦେଇଥିଲେ । ଆଇପିଏଲ ଇତିହାସରେ ପ୍ରଥମ ବୋଲର ଭାବେ ସେ ପ୍ରଥମ ଓଭରରେ ୩ଟି ୱିକେଟ୍‌ ଅକ୍ତିଆର କରିଛନ୍ତି । ହିଙ୍ଗେଙ୍କୁ ହାଇଦ୍ରାବାଦ ୩୦ଲକ୍ଷ ଟଙ୍କାରେ କିଣିଥିଲା । ୨୦୨୪ରେ ସେ ବିଦର୍ଭ ପକ୍ଷରୁ ପଦାର୍ପଣ କରିଥିଲେ । ଇତି ମଧ୍ୟରେ ସେ ୧୦ଟି ରଣଜୀ ଟ୍ରଫି ମ୍ୟାଚ ଖେଳି ୨୭ଟି ୱିକେଟ୍‌ ଅକ୍ତିଆର କରିଛନ୍ତି । ଗତ ବିଦର୍ଭ ପ୍ରୋ ଟି-ଟ୍ୱେଣ୍ଟି ଲିଗ୍‌ରେ ହିଙ୍ଗେଙ୍କ ପ୍ରଦର୍ଶନ ବଳରେ ନେକୋ ମାଷ୍ଟର୍ସ ବ୍ଲାଷ୍ଟର୍ସ ଚାମ୍ପିଅନ୍‌ ହୋଇଥିଲା । ସେ କମିନ୍ସଙ୍କୁ ଆଦର୍ଶ ମାନୁଥିବା ନିକଟରେ ପ୍ରକାଶ କରିଥିଲେ । ଉମେଶ ଯାଦବଙ୍କ ପରାମର୍ଶ ତାଙ୍କ ବୋଲିଂରେ ଉନ୍ନତି ଆଣିଛି ।