ନୂଆଦିଲ୍ଲୀ, ୯।୭: ମଧ୍ୟ-ପ୍ରାଚ୍ୟରେ ସ୍ଥିତି ସମ୍ପୂର୍ଣ୍ଣ ଅନିୟନ୍ତ୍ରିତ ହୋଇପଡ଼ିଛି । ଆମେରିକାର ଆକ୍ରମଣ ପରେ ଏବେ ଇରାନ ପାଲଟା ଜବାବ ଦେଇଛି । ଉପସାଗରୀୟ ଦେଶ ଗୁଡ଼ିକରେ ଥିବା ଆମେରିକାର ସାମରିକ ଘାଟିକୁ ଟାର୍ଗେଟ୍ କରି ଇରାନ ପକ୍ଷରୁ ଜୋରଦାର ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । 'ଅଲ୍ ଜଜିରା'ର ରିପୋର୍ଟ ଅନୁଯାୟୀ, କୁଏତ୍, କତାର ଏବଂ ବହରିନରେ ଥିବା ଆମେରିକୀୟ ସେନା ଶିବିର ଉପରେ ଏହି ମିସାଇଲ୍ ଏବଂ ଡ୍ରୋନ୍ ଆକ୍ରମଣ ହୋଇଛି । କୁଏତ୍ ସେନାର ଜେନେରାଲ ଷ୍ଟାଫ୍ ସୂଚନା ଦେଇଛନ୍ତି ଯେ, ସେମାନଙ୍କ ଏୟାର ଡିଫେନ୍ସ ସିଷ୍ଟମ ଶତ୍ରୁପକ୍ଷର ମିସାଇଲ୍ ଏବଂ ଡ୍ରୋନ୍କୁ ଆକାଶରେ ହିଁ ଧ୍ୱଂସ କରୁଛି । ଦେଶର 'କୁନା' ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ସୁରକ୍ଷାକୁ ଦୃଷ୍ଟିରେ ରଖି ସାରା ଦେଶରେ ଯୁଦ୍ଧକାଳୀନ ସାଇରେନ୍ ବଜାଯାଇଛି ।
ଏହା ବି ପଢ଼ନ୍ତୁ... Iran-America war : ମହାଯୁଦ୍ଧ ମୁହାଁ ଇରାନ-ଆମେରିକା, ଟ୍ରମ୍ପ କହିଲେ ଚୁକ୍ତି ଶେଷ, ମୋତେ ହତ୍ୟା କରିବାକୁ ଚାହୁଁଛି ଇରାନ୍…
କତାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନାଗରିକମାନଙ୍କ ପାଇଁ ଜରୁରୀକାଳୀନ ସୁରକ୍ଷା ଆଲର୍ଟ ଜାରି କରାଯାଇଛି । ଲୋକଙ୍କୁ ଘର ଭିତରେ ରହିବାକୁ ଏବଂ କାଚ କବାଟ, ଝରକାଠାରୁ ଦୂରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ କିଛି ସମୟ ପରେ ସେଠାରେ ବିପଦ ଟଳିଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ରିପୋର୍ଟ ଅନୁସାରେ, ବହରିନରେ ଅବସ୍ଥିତ ଆମେରିକା ନୌସେନାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଫିପ୍ଥ ଫ୍ଲିଟ୍ ର ମୁଖ୍ୟାଳୟକୁ ଇରାନ ଟାର୍ଗେଟ୍ କରିଛି । ବାହାରିନ ଗୃହ ମନ୍ତ୍ରଣାଳୟ ଲୋକଙ୍କୁ ସତର୍କ ରହିବାକୁ ଚେତାବନୀ ଦେଇଛି, କିନ୍ତୁ ଏହା ଇରାନର ଆକ୍ରମଣ କି ନୁହେଁ ସେନେଇ ସ୍ପଷ୍ଟ କରିନାହିଁ । ସେଠାରେ ଦୁଇ ଦୁଇ ଥର ଆଲର୍ଟ ସାଇରେନ୍ ଶୁଣିବାକୁ ମିଳିଛି ।
ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା କାରଣରୁ ମଧ୍ୟ-ପ୍ରାଚ୍ୟରେ ଏକ ବଡ଼ ଧରଣର ଯୁଦ୍ଧ ଭଡ଼କିବା ଆଶଙ୍କା ପ୍ରକାଶ ପାଇଛି । ଏହାକୁ ରୋକିବା ପାଇଁ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ସକ୍ରିୟ ହୋଇଛନ୍ତି । ସାଉଦି ଆରବର ପ୍ରସିଦ୍ଧ ସମ୍ବାଦପତ୍ର 'ଅଲ୍ ଆରବିଆ'ର ସୂତ୍ର ଅନୁଯାୟୀ, ଜେନେରାଲ ମୁନିର ଯୁଦ୍ଧ ସ୍ଥିତିକୁ ଟାଳିବା ପାଇଁ ଏବଂ ଉତ୍ତେଜନା ହ୍ରାସ କରିବା ପାଇଁ ଇରାନର ଶୀର୍ଷ ନେତାମାନଙ୍କ ସହ କ୍ରମାଗତ ଭାବେ ଆଲୋଚନା ଚଳାଇଛନ୍ତି । ମହମ୍ମଦ ବାକର ଗାଲିବାଫ୍ କହିଛନ୍ତି "ଆକ୍ରମଣ କଲେ, ପରିଣାମ ଭୋଗିବ ଆମେରିକା" ଇରାନ ସଂସଦର ବାଚସ୍ପତି ତଥା ପ୍ରମୁଖ ଆଲୋଚକ ମହମ୍ମଦ ବାକର ଗାଲିବାଫ୍ ୱାଶିଂଟନକୁ କଡ଼ା ଚେତାବନୀ ଦେଇଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, "ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ, ଯଦି ଆମେରିକା ଆମ ଉପରେ ଆକ୍ରମଣ କରେ, ତେବେ ତାକୁ ମଧ୍ୟ ଜବାବୀ ଆକ୍ରମଣର ସାମ୍ନା କରିବାକୁ ପଡ଼ିବ । ପ୍ରତିଶ୍ରୁତି ଭଙ୍ଗ କରିବାର ମୂଲ୍ୟ ଆମେରିକାକୁ ଭୋଗିବାକୁ ହେବ ।" ଏହା ସହିତ ସେ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ମାର୍ଗ ହୋର୍ମୁଜକୁ ନେଇ ମଧ୍ୟ ଚେତାବନୀ ଦେଇଛନ୍ତି । ଗାଲିବାଫ୍ କହିଛନ୍ତି ଯେ, ଏହି ରାସ୍ତା କେବଳ ଇରାନର ନିୟମ ଓ ବ୍ୟବସ୍ଥା ଅନୁଯାୟୀ ଖୋଲିବ, ଆମେରିକାର କୌଣସି ଧମକ ଚଳିବ ନାହିଁ ।