ନୂଆଦିଲ୍ଲୀ, ୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତିନି ଦିନିଆ ଇଣ୍ଡୋନେସିଆ ଗସ୍ତକୁ ନେଇ ରାଜନୀତି ସରଗରମ ହୋଇଛି । ଇଣ୍ଡୋନେସିଆ ସଂସଦର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟି ସ୍ପିକର 'ପୁଆନ୍ ମହାରାଣୀ'ଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏକ ଫଟୋକୁ ନେଇ କଂଗ୍ରେସ ପକ୍ଷରୁ କରାଯାଇଥିବା ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହୋଇଛି । କଂଗ୍ରେସର ଏହି ଆଭିମୁଖ୍ୟକୁ ନେଇ ଦଳର ମେଣ୍ଟ ସହଯୋଗୀ ଶିବସେନା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ କଡ଼ା ସମାଲୋଚନା କରିଛନ୍ତି । ମହାରାଷ୍ଟ୍ର କଂଗ୍ରେସର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇଣ୍ଡୋନେସିଆର ସ୍ପିକର ପୁଆନ୍ ମହାରାଣୀଙ୍କର ଏକ ଫଟୋ ପୋଷ୍ଟ କରାଯାଇଛି ।
ଇଣ୍ଡୋନେସିଆ ସଂସଦ ଭବନର ଏହି ଫଟୋର ଗୋଟିଏ ପାର୍ଶ୍ୱରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଭୋ ସୁବିଆନ୍ତୋ ଏବଂ ଉପରାଷ୍ଟ୍ରପତି ଜିବ୍ରାନ୍ ରାକାବୁମିଙ୍ଗ୍ ରାକା ମଧ୍ୟ ବସିଥିଲେ । ମାତ୍ର କଂଗ୍ରେସ ପକ୍ଷରୁ ସେୟାର କରାଯାଇଥିବା କ୍ରପ୍ଡ ଫଟୋରେ କେବଳ ପୁଆନ୍ ମହାରାଣୀ ଏବଂ ପିଏମ ମୋଦୀ ଦୃଶ୍ୟମାନ ହେଉଛନ୍ତି । ଏହି ଫଟୋର କ୍ୟାପସନରେ କଂଗ୍ରେସ 'କଣ୍ଟ୍ରୋଲ୍ ଉଦୟ କଣ୍ଟ୍ରୋଲ୍' ବୋଲି ଲେଖି ଏକ କଟାକ୍ଷ କରିଛି, ଯାହାକୁ ନେଇ ପ୍ରିୟଙ୍କା ଚତୁର୍ବେଦୀ କ୍ଷୋଭ ପ୍ରକାଶ କରିବା ସହ "ଏଭଳି ମନ୍ତବ୍ୟ ଦେଶର ସର୍ବପୁରାତନ ଦଳକୁ ଶୋଭା ପାଏନାହିଁ" ବୋଲି କହିଛନ୍ତି ।
ଏହା ବି ପଢ଼ନ୍ତୁ... Dharmendra Pradhan: ଇଣ୍ଡୋନେସିଆରେ ଓଡ଼ିଶାର ଗୌରବ ବଢ଼ାଇଲେ ପିଏମ୍ ମୋଦି, ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀ ଜାକାର୍ତ୍ତାସ୍ଥିତ ଇଣ୍ଡୋନେସିଆ ସଂସଦରେ ପହଞ୍ଚିଥିଲେ । ସଂସଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପ୍ରବୋଭୋ ସୁବିଆନ୍ତୋ, ଉପରାଷ୍ଟ୍ରପତି ଜିବ୍ରାନ୍ ରାକାବୁମିଙ୍ଗ୍, ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ସ୍ପିକର ପୁଆନ୍ ମହାରାଣୀ ଏବଂ ପିପୁଲ୍ସ କନସଲଟେଟିଭ୍ ଆସେମ୍ବଲିର ସ୍ପିକର ଅହମ୍ମଦ ମୁଜାନୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସଂସଦ ପରିସରରେ ସ୍ୱାଗତ କରିବା ଅବସରରେ ସ୍ପିକର ପୁଆନ୍ ମହାରାଣୀ ଭାରତ ଓ ଇଣ୍ଡୋନେସିଆର ଐତିହାସିକ ସମ୍ପର୍କକୁ ମନେ ପକାଇଥିଲେ । ସେ କହିଛନ୍ତି, "ଇଣ୍ଡୋନେସିଆ ଏବଂ ଭାରତ ମଧ୍ୟରେ ଅତି ପୁରାତନ ଏବଂ ବିଶେଷ ସାଂସ୍କୃତିକ ତଥା ଐତିହାସିକ ସମ୍ପର୍କ ରହିଛି । ଦୁଇ ଦେଶର କୂଟନୈତିକ ସମ୍ପର୍କର ଗଭୀରତାକୁ ଏଥିରୁ ଅନୁମାନ କରାଯାଇପାରେ ଯେ, ମୋ ଜେଜେବାପା ତଥା ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋ ୧୯୫୦ ମସିହାରେ ଭାରତର ପ୍ରଥମ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।"
ଶିବସେନା ଦଳର ପୂର୍ବତନ ସାଂସଦ ପ୍ରିୟଙ୍କା ଚତୁର୍ବେଦୀଙ୍କ ଏହି ପ୍ରତିକ୍ରିୟା ଏପରି ଏକ ସମୟରେ ଆସିଛି, ଯେତେବେଳେ ମହାରାଷ୍ଟ୍ରରେ ଏମଭିଏ ଏବଂ ଜାତୀୟ ସ୍ତରରେ ଇଣ୍ଡି ମେଣ୍ଟ ମଧ୍ୟରେ ସବୁକିଛି ଠିକ୍ ଚାଲିନଥିବା ଚର୍ଚ୍ଚା ହେଉଛି । ମେଣ୍ଟ ସହଯୋଗୀ ହୋଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବୈଦେଶିକ ଗସ୍ତ ସମୟରେ କଂଗ୍ରେସର ଏଭଳି ପୋଷ୍ଟକୁ ପ୍ରିୟଙ୍କା ସର୍ବସାଧାରଣରେ ବିରୋଧ କରିବା ରାଜନୈତିକ ମହଲରେ ଏକ ନୂଆ ବିତର୍କ ସୃଷ୍ଟି କରିଛି ।