ନୂଆଦିଲ୍ଲୀ : ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଇରାନ ବଡ଼ ଦାବି କରିଛି। ଇରାନର ସରକାରୀ ମିଡ଼ିଆ ମୁତାବିକ, ତାର ସେନା ଆଉ ଏକ ଆମେରିକୀୟ ଫାଇଟର ଜେଟ୍‌କୁ ଆକ୍ରମଣ କରି ଖସାଇ ଦେଇଛନ୍ତି। କୁହାଯାଉଛି, ଏହା ଆମେରିକାର ଆଧୁନିକ ଏଫ-୩୫ ଫାଇଟର ବିମାନ ଥିଲା, ଯାହାକୁ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କାପର୍ସ (ଆଇଆରଜିସି) ନିଜର ଏୟାର ଡିଫେନ୍ସ ସିଷ୍ଟମରେ ଟାର୍ଗେଟ୍ କରିଥିଲେ। ଇରାନ ଏହା ମଧ୍ୟ କହିଛି ଯେ, ସେ ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଆମେରିକୀୟ ବ୍ଲାକ୍ ହକ୍ ହେଲିକପ୍ଟରକୁ ମାଡ଼ କରି ଖସାଇ ଦେଇଛି। କିଛି ଲିକ୍ ଫଟୋ ଆଧାରରେ କୁହାଯାଇଛି ଯେ, ଆମେରିକା ଏକ ସି-୧୩୦ ବିମାନ ଓ ଚାରୋଟି ବ୍ଲାକ୍ ହକ୍ ହେଲିକପ୍ଟର ଇରାନ ଭିତରକୁ ପଠାଇ ଥିଲା। ଇରାନର ସେନା ସେଗୁଡ଼ିକୁ ଅନୁପ୍ରବେଶ କହି କାର୍ଯ୍ୟାନୁଷ୍ଠାନ ନେଇଥିଲା।

ତସନିମ୍ ନ୍ୟୁଜ୍ ଏଜେନ୍ସିର ଜଣେ ରିପୋର୍ଟର କହିଛନ୍ତି ଯେ , ଏଫ୍-୩୫ ଜେଟ୍‌କୁ ଖସାଇବା ପରେ ପାଇଲଟ ଇଜେକ୍ଚ କରି ଥିଲେ ଏବଂ ସେ ଇରାନର ମାଟିରେ ଓହ୍ଲାଇ ଥିଲେ। ଏହାପରେ ପାଇଲଟଙ୍କ ସ୍ଥିତିକୁ ନେଇ ଭିନ୍ନ ଭିନ୍ନ ଦାବି କରାଯାଉଛି। କିଛି ରିପୋର୍ଟ ଅନୁସାରେ, ପାଇଲଟଙ୍କୁ ଇରାନୀ ସେନା ଧରି ନେଇଛନ୍ତି, ଅନ୍ୟ ରିପୋର୍ଟ ମୁତାବିକ , ଜେଟ୍ ଖସିବା ବେଳେ ଖୁବ୍ ବିସ୍ଫୋରଣରେ ପାଇଲଟଙ୍କ ବଞ୍ଚିବା ସମ୍ଭାବନା ବହୁତ କମ୍। ଇରାନର ସରକାରୀ ମିଡ଼ିଆ ପ୍ରେସ୍ ଟିଭି ଓ ଆଇଆରଆଇବି ମଧ୍ୟ କହିଛି ଯେ, ବହୁତ ବଡ଼ ଧମାକା ହୋଇଥିଲା, ଯେଉଁଥିରେ ପାଇଲଟଙ୍କ ବଞ୍ଚିବା ଆଶା ବହୁତ କମ୍ ହୋଇଯାଏ।

ଇରାନର ଖତମ ଅଲ୍-ଅମ୍ୱିଆ ମିଲିଟ୍ରି ହେଡକ୍ୱାର୍ଟରର ଜଣେ ପ୍ରବକ୍ତା କହିଛନ୍ତି ଯେ, ଏହା ଦ୍ୱିତୀୟ ଏଫ-୩୫ ଜେଟ୍ ,ଯାହାକୁ ମଧ୍ୟ ଇରାନ ଉପରେ ମାଡ଼ କରି ଖସାଇ ଦିଆ ଯାଇଛି। ସେ କହିଛନ୍ତି ଯେ, ଏହି କାର୍ଯ୍ୟାନୁଷ୍ଠାନ ଆଇଆରଜିସିର ନୂଆ ଓ ଆଧୁନିକ ଏୟାର ଡିଫେନ୍ସ ସିଷ୍ଟମରେ କରାଯାଇଛି। ହେଲେ ଆମେରିକା ଏବେ ସୁଦ୍ଧା ଏହି ସବୁ ଦାବି ଉପରେ କୌଣସି ସରକାରୀ ପ୍ରତିକ୍ରିୟା ଦେଇ ନାହିଁ।