ନୂଆଦିଲ୍ଲୀ,୨୩/୦୪; ଇରାନ ରାସ୍ତାରେ 'ଅବରୋଧ' କଣ୍ଟା । ଆମେରିକା ଓ ଇରାନମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଶାନ୍ତି ଆଲୋଚନାକୁ ନେଇ ଅନିଶ୍ଚିତତା ଜାରି ରହିଛି । ବୁଝାମଣା ହୋଇପାରୁନି ବିବାଦ ବଢୁଛି । ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ବୁଧବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଆମେରିକା ସହିତ ଆଲୋଚନା କାହିଁକି ବିଫଳ ହେଉଛି ତାହା ବ୍ୟାଖ୍ୟା କରିଛନ୍ତି । ସେ କହିଛନ୍ତି ଯେ, ଆମେରିକା ନୌସେନାର ଇରାନ ବନ୍ଦରଗୁଡ଼ିକରେ ଜାରି ରହିଥିବା ଅବରୋଧ ହେଉଛି ଆଲୋଚନା ଆଗକୁ ନ ବଢ଼ିବାର ଏକ ପ୍ରମୁଖ କାରଣ ।

ପେଜେଶକିୟାନ୍ ଆଲୋଚନାରେ ଅଚଳାବସ୍ଥାର ତିନୋଟି ପ୍ରମୁଖ କାରଣ ସ୍ପଷ୍ଟ ଭାବରେ ତାଲିକାଭୁକ୍ତ କରିଛନ୍ତି: ଆମେରିକାର ପ୍ରତିଶ୍ରୁତି ଉଲ୍ଲଂଘନ, ଇରାନ ବନ୍ଦରଗୁଡ଼ିକର ଜାରି ଅବରୋଧ ଏବଂ ବାରମ୍ବାର ଧମକ। ସେ କଠୋର ଭାବରେ କହିଛନ୍ତି, "ବିଶ୍ୱ ଏବେ ତୁମର କପଟପୂର୍ଣ୍ଣ ବକ୍ତବ୍ୟ ଏବଂ ତୁମର ଦାବି ଏବଂ ପ୍ରକୃତ କାର୍ଯ୍ୟ ମଧ୍ୟରେ ସ୍ପଷ୍ଟ ବିରୋଧାଭାସ ଦେଖୁଛି । ଇରାନ କେବେବି ଆଲୋଚନା ଏବଂ ଚୁକ୍ତିନାମା ବିରୁଦ୍ଧରେ ନୁହେଁ, କିନ୍ତୁ ବର୍ତ୍ତମାନର ପରିସ୍ଥିତି ସକାରାତ୍ମକ ଅଗ୍ରଗତିକୁ କଷ୍ଟକର କରୁଛି । ''

ପାକିସ୍ତାନ ଆଲୋଚନା ସ୍ଥଗିତ- ପାକିସ୍ତାନରେ ଏହି ସପ୍ତାହରେ ହେବାକୁ ଥିବା ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନାକୁ ସ୍ଥଗିତ ରଖାଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଶେଷ ହେଉଥିବା ଅସ୍ତ୍ରବିରତିକୁ ବୃଦ୍ଧି କରିବା ଘୋଷଣା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।  ଟ୍ରମ୍ପ କହିଛନ୍ତି ଯେ ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ପାକିସ୍ତାନର ଅନୁରୋଧରେ ସେ ଇରାନକୁ ଏକ ମିଳିତ ପ୍ରସ୍ତାବ ପ୍ରସ୍ତୁତ କରିବା ପାଇଁ ସମୟ ଦେଇଛନ୍ତି ।

​​​​​​​ଯୁଦ୍ଧବିରତି ସତ୍ତ୍ୱେ ଉତ୍ତେଜନା ଜାରି- ଯୁଦ୍ଧବିରତି ବୃଦ୍ଧି ପରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମିନାହିଁ । ଇରାନ ତିନୋଟି ଜାହାଜକୁ ଜବତ କରିଛି । ଏମସିଏସ  ଫ୍ରାନ୍ସେସ୍କା, ଏପାମିନୋଣ୍ଡାସ୍ ଏବଂ ୟୁଫୋରିଆ । ଏହି ସମୟରେ, ଆମେରିକା ଇରାନ ବନ୍ଦରଗୁଡ଼ିକର ନୌସେନା ଅବରୋଧ ଜାରି ରଖିଛି, ଯାହା ପରିସ୍ଥିତିକୁ ଆହୁରି ଜଟିଳ କରିଛି ।

ଏହା ବି ପଢନ୍ତୁ...କାନ ଫୁଲ ପିନ୍ଧି ଫଟୋ ସେୟାର କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି, କ୍ୟାପସନରେ ଲେଖିଲେ…  

ଅବରୋଧ ବିବାଦର ସବୁଠାରୁ ବଡ଼ ପ୍ରସଙ୍ଗ - ଇରାନ ଏବଂ ଆମେରିକା ମଧ୍ୟରେ ସବୁଠାରୁ ବଡ଼ ବିବାଦ ହେଉଛି ଇରାନ ବନ୍ଦରଗୁଡ଼ିକର ନୌସେନା ଅବରୋଧ। ଯୁଦ୍ଧବିରତି ବୃଦ୍ଧି କରିବା ସତ୍ତ୍ୱେ, ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ହୋର୍ମୁଜ୍ ପ୍ରଣାଳୀ ନିକଟରେ ଅବରୋଧ ଜାରି ରହିବ । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ କହିଛନ୍ତି, "ମୁଁ ମୋର ସେନାକୁ ଅବରୋଧ ଜାରି ରଖିବାକୁ ଏବଂ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି । ୭୨ ଘଣ୍ଟା ମଧ୍ୟରେ ଶାନ୍ତି ବୈଠକ ହେବ ବୋଲି କହିଛନ୍ତି ଟ୍ରମ୍ପ । "

ଅବରୋଧ ପ୍ରତ୍ୟାହାର ହେଲେ ଆଲୋଚନା ଆଗକୁ ବଢ଼ିପାରେ- ଜାତିସଂଘରେ ଇରାନର ରାଷ୍ଟ୍ରଦୂତ, ଆମିର-ସଇଦ ଇରାଭାନି, ସୂଚିତ କରିଛନ୍ତି ଯେ ଆମେରିକା ଅବରୋଧ ଉଠାଇବାକୁ ଇଚ୍ଛୁକ ହୋଇପାରେ। ଇରାନର ଅର୍ଦ୍ଧ-ସରକାରୀ ତସନିମ କହିଛନ୍ତି, "ଏହି ଅବରୋଧ ହଟିବା ମାତ୍ରେ, ମୁଁ ଭାବୁଛି ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଇସଲାମାବାଦରେ ଆରମ୍ଭ ହେବ। "