ତେହେରାନ,୧୨।୩: ଭାରତୀୟ ଜାହାଜକୁ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ଦେଇ ଯିବାକୁ ଅନୁମତି ଦେବା ରିପୋର୍ଟକୁ ଇରାନ ଅସ୍ୱୀକାର କରିଛି। ଇରାନୀ ସୂତ୍ରରୁ ରଏଟର୍ସ ଦାବି କରିଛି ଯେ, ଭାରତୀୟ ପତାକା ଥିବା ତୈଳ ଟ୍ୟାଙ୍କରଗୁଡ଼ିକୁ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ଦେଇ ଯିବା ପାଇଁ କୌଣସି ଅନୁମତି ଦିଆଯାଇ ନାହିଁ। ପୂର୍ବରୁ, ଭାରତୀୟ ସୂତ୍ର ଦାବି କରିଥିଲା ଯେ, ଭାରତୀୟ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଏବଂ ତାଙ୍କ ଇରାନୀ ପ୍ରତିପକ୍ଷ ଆବାସ ଆରାଘଚିଙ୍କ ମଧ୍ୟରେ ଆଲୋଚନା ପରେ, ଇରାନ ଭାରତୀୟ ପତାକାଯୁକ୍ତ ଟ୍ୟାଙ୍କରଗୁଡ଼ିକୁ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଅନୁମତି ଦେଇଛି। ଏହାର ଉଦ୍ଦେଶ୍ୟ ଥିଲା ଅଶୋଧିତ ତୈଳ ପରିବହନକୁ ସହଜ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ସମୁଦ୍ର ମାର୍ଗ ଖୋଲା ରଖିବା। ଏବେ ତେହରାନ ଏହାକୁ ସିଧାସଳଖ ଖଣ୍ଡନ କରିଛି। ଏବେ କେବଳ ଚୀନ୍ର ତେଲ ଟ୍ୟାଙ୍କର ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ଦେଇ ଯିବାକୁ ମଞ୍ଜୁରୀ ଦିଆଯାଇଛି। ଇରାନ ଚୀନ୍କୁ ତୈଳ ବିକ୍ରି କରି ଟଙ୍କା ଆୟ କରୁଛି।
ଇରାନ ସର୍ତ୍ତ ରଖିଛି ଯେ ଇସ୍ରାଏଲୀ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରୁଥିବା ଦେଶକୁ କେବଳ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ଦେଇ ଯିବାକୁ ଅନୁମତି ଦିଆଯିବ। ଭାରତୀୟ ସୂତ୍ର ଇରାନର ସଦ୍ୟତମ ବିବୃତ୍ତି ଉପରେ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ପୂର୍ବରୁ, ଏହି ବିଷୟ ସହିତ ପରିଚିତ ଭାରତୀୟ ସୂତ୍ରଗୁଡ଼ିକ ଦାବି କରିଥିଲେ ଯେ ଭାରତୀୟ ଟ୍ୟାଙ୍କର୍ ‘ପୁଷ୍ପକ’ ଏବଂ ‘ପରିମାଲ’ ସୁରକ୍ଷିତ ଭାବରେ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ଦେଇ ପରିବହନ କରୁଛନ୍ତି। ଯଦିଓ ଆମେରିକା, ୟୁରୋପ ଏବଂ ଇସ୍ରାଏଲର ଜାହାଜଗୁଡ଼ିକ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥରେ ପ୍ରତିବନ୍ଧକର ସମ୍ମୁଖୀନ ହୁଅନ୍ତି। ଭାରତ ଏବଂ ଇରାନର ନେତାମାନେ ପଶ୍ଚିମ ଏସିଆରେ ଶାନ୍ତି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ରୁ ସାମୁଦ୍ରିକ ଗତିବିଧି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଥିଲା। ଇରାନ ଯୁଦ୍ଧ ଆରମ୍ଭ ହେବା ପରେ ତାଙ୍କର ତୃତୀୟ ଥର ଆଲୋଚନା ଥିଲା।'
ଏଭଳି ଭାବରେ ଆଉ ଏକ ମାମଲାରେ, ସାଉଦି ଆରବର ଅଶୋଧିକ ତୈଳ ନେଇ ଯାଉଥିବା ଏକ ଲାଇବେରିଆ ପତାକା ଥିବା ଟ୍ୟାଙ୍କର ମଧ୍ୟ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ କୁ ସଫଳତାର ସହ ପାର କରି ମୁମ୍ବାଇ ପୋର୍ଟରେ ଅଟକି ଯାଇଥିଲା। ଏହି ଜାହାଜର କ୍ୟାପଟେନ୍ ଜଣେ ଭାରତୀୟ ଥିଲେ। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରେ ଏଭଳି ଅଞ୍ଚଳରେ ମାମୁଦ୍ରିକ ଟ୍ରାଫିକ୍ ବହୁତ ଅଧିକ ଧିମା ହୋଇଯାଇଥିଲା। ଏଭଳି ସ୍ଥିତିରେ ଏହି ଜାହାଜ ଭାରତ ଯାଉଥିବା ପ୍ରଥମ ଟ୍ୟାଙ୍କର ପାଲଟି ଯାଇଥିଲା। ଟ୍ୟାଙ୍କର୍ 'ସେନଲଙ୍ଗ ସୁଏଜମାକ୍ସ' ୧ ମାର୍ଚ୍ଚରେ ସାଉଦି ପୋର୍ଟ ରାସ୍ ତନୁରାରୁ ଅଶୋଧିତ ତୈଳ ଲୋଡ୍ କରିଥିଲା ଓ ଦୁଇ ଦିନ ପରେ ଯାତ୍ରା କରିଥିଲା।
ଲଏଡ୍ସ ଲିଷ୍ଟ ଇଣ୍ଟେଲିଜେନ୍ସ ଏବଂ ଟ୍ୟାଙ୍କର ଟ୍ୟାକର୍ସର ସାମୁଦ୍ରିକ ଟ୍ରାକିଂ ତଥ୍ୟ ଅନୁଯାୟୀ, ଭାରତୀୟ ଜଳସୀମାରେ ପହଞ୍ଚିବା ପୂର୍ବରୁ ଜାହାଜର ଶେଷ ରେକର୍ଡ ହୋଇଥିବା ସ୍ଥାନ ମାର୍ଚ୍ଚ ୮ ତାରିଖରେ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ଭିତରେ ଥିଲା। ଟ୍ୟାଙ୍କର୍ ସଫଳତାର ସହ ଭାରତରେ ଶକ୍ତି ଯୋଗାଣରେ ସମ୍ଭାବ୍ୟ ବାଧା ବିଷୟରେ ବଢ଼ୁଥିବା ଚିନ୍ତାକୁ ହ୍ରାସ କରିବ ବୋଲି ଆଶା କରାଯାଉଛି। ଭାରତ ଏସିଆର ତୃତୀୟ ବୃହତ୍ତମ ଅର୍ଥନୀତି ହେବା ଦିଗରେ ବଢ଼ୁଛି। ଏଥିପାଇଁ ଭାରତ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ଉପରେ ଅତ୍ୟନ୍ତ ନିର୍ଭରଶୀଳ, ଏହାର ଅର୍ଦ୍ଧାଧିକ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ ଆମଦାନୀ ଏହି ସଂକୀର୍ଣ୍ଣ ସମୁଦ୍ର କରିଡର ଦେଇ ଆସୁଛି।
କିଛି ଜାହାଜର ସୁରକ୍ଷିତ ପରିବହନ ସତ୍ତ୍ୱେ, ଅନେକ ଭାରତୀୟ ଜାହାଜ ଏହି ସମ୍ବେଦନଶୀଳ ପଥ ମଧ୍ୟରେ କିମ୍ବା ନିକଟରେ ରହିଛି। ଜାହାଜ ଚଳାଚଳ ନିର୍ଦ୍ଦେଶାଳୟ ଜେନେରାଲଙ୍କ ଅନୁଯାୟୀ, ଏହି ଅଞ୍ଚଳରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅତି କମରେ ୨୮ଟି ଭାରତୀୟ ପତାକା ଥିବା ଜାହାଜ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ କିମ୍ବା ନିକଟରେ କାର୍ଯ୍ୟ କରୁଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଯୁଦ୍ଧ ଆରମ୍ଭ ହେବା ସମୟରେ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ପୂର୍ବ ଦିଗରେ ଥିବା ଆଠଟି ଭାରତୀୟ ପତାକା ଜାହାଜ ଏବେ ସୁରକ୍ଷିତ ଚାଲିଯାଇଛି। ଜାହାଜ ଚଳାଚଳ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଗତ କିଛି ଦିନ ମଧ୍ୟରେ ଏହି ଜାହାଜଗୁଡ଼ିକ ମଧ୍ୟରୁ ସାତଟି – ‘ଦେଶ ମହିମା’, ’ଦେଶ ଅଭିମାନ’, ’ସ୍ୱର୍ଣ୍ଣ କମଲ’, ‘ବିଶ୍ୱ ପ୍ରେରଣା’, ‘ଜଗ ବିରାଟ’, ଜଗ ଲୋକେଶ ଏବଂ ‘ଏଲଏନଜିସି ଅସୀମ’ - ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ଦେଇ ଆରବ ସାଗରରେ ପ୍ରବେଶ କରିଛନ୍ତି। ଆଉ ଏକ ଜାହାଜ ‘ଜଗ ଲକ୍ଷ୍ୟ’ ଆଙ୍ଗୋଲା ଅଭିମୁଖେ ମୁହାଁଇଛି। ଏହି ସମୟରେ, ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି।
ଆହୁରି ପଢନ୍ତୁ : ଭାରତର କୂଟନୈତିକ ବିଜୟ: ହୋର୍ମୁଜରେ ଅଟକିବନି ଭାରତୀୟ ଜାହାଜ, ବାଟ ଛାଡ଼ିବାକୁ ଇରାନର ସହମତି