ନୂଆଦିଲ୍ଲୀ, ୦୭|୦୬: ଇରାନ ଯୁଦ୍ଧ ସମ୍ପୂର୍ଣ୍ଣ ବନ୍ଦ ହେବା ନେଇ ଆଶା ଉଜ୍ଜୀବିତ ହୋଇଛି । ହୋର୍ମୁଜ ପ୍ରଣାଳୀ ଖୋଲିବା ଓ ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରାଯିବା ସଂକ୍ରାନ୍ତରେ ଇରାନ ୪୮ ଘଣ୍ଟା ମଧ୍ୟରେ ସହମତି ଦେଇପାରେ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ଆମେରିକା ମଧ୍ୟ ଯୁଦ୍ଧ ବନ୍ଦ ପାଇଁ ସକାରାତ୍ମକ ଭାବେ ବିଚାର କରୁଛି । ହୋର୍ମୁଜ ଅବରୋଧକୁ ନେଇ ଏହା ବି ନରମ ପଡ଼ିଛି । ଏଥିସହିତ ଇରାନର କେତେକ ସର୍ତ୍ତ ରଖିବା ଲାଗି ଏହା ପ୍ରସ୍ତୁତ ଥିବା ଜଣାପଡ଼ିଛି । ଆମେରିକୀୟ ୱେବସାଇଟ ଏକ୍ସିଓସ୍ର ରିପୋର୍ଟ ଅନୁସାରେ, ଆମେରିକା ଓ ଇରାନ ମଧ୍ୟରେ ୧୪ ସୂତ୍ରୀ ଏମ୍ଓୟୁ ପ୍ରସ୍ତୁତ ହୋଇଛି । ପାକିସ୍ତାନର ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି ।
ବୁଝାମଣାରେ ଥିବା ସର୍ତ୍ତ ଅନୁସାରେ, ସର୍ବପ୍ରଥମେ ଯୁଦ୍ଧ ବନ୍ଦ ଲାଗି ଘୋଷଣା ହେବ । ୩୦ ଦିନ ପର୍ଯ୍ୟନ୍ତ ଉଭୟ ଦେଶ ମଧ୍ୟରେ ବିସ୍ତୃତ ଆଲୋଚନା ଚାଲିବ । ଏଥିରେ ହୋର୍ମୁଜ, ପରମାଣୁ କାର୍ଯ୍ୟକ୍ରମ, ଆମେରିକୀୟ କଟକଣାକୁ କୋହଳ କରାଯିବା ଭଳି ପ୍ରସଙ୍ଗ ଅନ୍ତର୍ଭୁକ୍ତ । ଇସଲାମାବାଦ କିମ୍ବା ଜେନେଭା ଭଳି ସହରରେ ଆଲୋଚନା ଜାରି ରଖିବା ନେଇ ବିଚାର କରାଯିବ । ଚିଠା ପ୍ରସ୍ତାବ ଅନୁସାରେ, ଇରାନ ଏହାର ପରମାଣୁ କାର୍ଯ୍ୟକ୍ରମକୁ କିଛି ସମୟ ପାଇଁ ରୋକିଦେବ । ଏହା ବଦଳରେ ଆମେରିକା ଧୀରେ ଧୀରେ କଟକଣାକୁ କମ୍ କରିବ ଏବଂ ଇରାନର ଜବତ ହୋଇଥିବା କୋଟି କୋଟି ଡଲାରର ସମ୍ପତ୍ତିକୁ ଫେରାଇଦେବ । ଏଥିସହିତ ହୋର୍ମୁଜରେ ଉଭୟ ପକ୍ଷ ଦ୍ୱାରା ଲାଗୁ ହୋଇଥିବା କଟକଣାକୁ କୋହଳ କରାଯିବ । ପରମାଣୁ କାର୍ଯ୍ୟକ୍ରମ ରୋକିବାର ଅବଧିକୁ ନେଇ ଏବେ ସାମାନ୍ୟ ମତପାର୍ଥକ୍ୟ ରହିଛି । ଇରାନ ୫ ବର୍ଷ ପର୍ଯ୍ୟନ୍ତ ୟୁରାନିୟମ ସମୃଦ୍ଧିକରଣ ରୋକିବାକୁ ପ୍ରସ୍ତାବ ଦେଇଛି । କିନ୍ତୁ ଆମେରିକା ୨୦ ବର୍ଷ ପର୍ଯ୍ୟନ୍ତ ଚାହୁଁଛି । ତେଣୁ ଏହି ଅବଧିକୁ ନେଇ ସମାଧାନ ବାହାର କରିବା ଲାଗି ଆଲୋଚନା କରିବାକୁ ଉଭୟ ପକ୍ଷ ରାଜି ହେବାର ଅଛି । ଏଥିପାଇଁ ଉଦ୍ୟମ ଚାଲିଛି । ସମ୍ଭବତଃ ୧୨ରୁ ୧୫ ବର୍ଷ ପର୍ଯ୍ୟନ୍ତର ଅବଧିକୁ ନେଇ ସହମତି ନିମନ୍ତେ ଆଲୋଚନା ଚାଲିଛି ।
ଏକ୍ସିଓସ୍ ରିପୋର୍ଟ ଅନୁସାରେ, ଇରାନ ସହ ସମ୍ଭାବ୍ୟ ବୁଝାମଣା ନେଇ ଆମେରିକା ବେଶ୍ ନିକଟତର ହୋଇଛି । ୧ ପୃଷ୍ଠାର ଏମ୍ଓୟୁ ସ୍ୱାକ୍ଷରିତ ହୋଇପାରେ । ଏହାର ଉଦ୍ଦେଶ୍ୟ ହେଉଛି ଯୁଦ୍ଧ ବନ୍ଦ କରିବା ଏବଂ ପରମାଣୁ ଆଲୋଚନା ନିମନ୍ତେ ବିସ୍ତୃତ ଢାଞ୍ଚା ପ୍ରସ୍ତୁତ କରିବା । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଇରାନ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ସହମତି ଦେବା ନେଇ ହ୍ୱାଇଟ୍ହାଉସ୍ ଆଶା ରଖିଛି । କିନ୍ତୁ ଅଦ୍ୟାବଧି ଚୂଡ଼ାନ୍ତ ବୁଝାମଣା ହୋଇନାହିଁ । ସେପଟେ ହୋର୍ମୁଜରେ ଜାହାଜଗୁଡ଼ିକର ଚଳାଚଳ ସକାଶେ ଆମେରିକା ତରଫରୁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି) ରେ ନୂଆ ପ୍ରସ୍ତାବ ଉପସ୍ଥାପନ ହୋଇଛି । ଏଥିରେ ଇରାନ ଉପରେ ଆକ୍ରମଣ, ମାଇନ୍ସ ବିଛାଇବା ଏବଂ ଟୋଲ୍ ଆଦାୟ ତୁରନ୍ତ ରୋକିବା ନେଇ କୁହାଯାଇଛି । ଯୁଦ୍ଧ ରୋକିବା ନେଇ ଦୁଇଦେଶ ମଧ୍ୟରେ ଶୀଘ୍ର ସହମତିର ଆଶା ବଢ଼ିବା ପରେ ଅଶୋଧିତ ତୈଳ ଦର ୬% ହ୍ରାସ ପାଇଛି । ବ୍ରେଣ୍ଟ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୦୩ ଡଲାରକୁ ଖସିଥିବା ବେଳେ ଆମେରିକୀୟ ଅଶୋଧିତ ତୈଳ ଦର ପ୍ରାୟ ୭% ଖସି ବ୍ୟାରେଲ୍ ପିଛା ୯୫ ଡଲାର ହୋଇଯାଇଛି ।
ଅଧିକ ପଢଡୁ- Pakistan Navy : ଆରବ ସାଗରରେ ଫସି ରହିଥିବା ଭାରତୀୟ ଜାହାଜକୁ ସହାୟତାର ହାତ ବଢାଇଲା ପାକିସ୍ତାନ, ୭ ଜଣଙ୍କ ବଞ୍ଚାଇଲା ଜୀବନ