ନୂଆଦିଲ୍ଲୀ,୧୦/୦୫; ହୋର୍ମୁଜ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଫଳରେ ଶାନ୍ତି ଆଲୋଚନା ନେଇ ଏବେ ବି ଦ୍ୱନ୍ଦ୍ୱ ରହିଛି । ଏମିତି କି ଆମେରିକାକୁ ଏହି ପ୍ରସଙ୍ଗରେ ଚେତାବନୀ ଦେଇଛି ଇରାନ । ହୋର୍ମୁଜ ମାମଲାରେ ଦଖଲ ଦେଲେ ପୁଣି ଯୁଦ୍ଧ ଆରମ୍ଭ ହେବା ନେଇ କହିଛି । ଇରାନ କହିଛି, ହୋର୍ମୁଜ ପ୍ରଣାଳୀ ଆମ କ୍ଷେତ୍ରାଧିକାରରେ ରହିଛି । ଏଠାରେ ବାହ୍ୟ ଶକ୍ତିର ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ । ଆମେରିକା ଯଦି ବାରମ୍ବାର ଏଥିରେ ହସ୍ତକ୍ଷେପ କରେ, ତେବେ କଡ଼ା ଜବାବ ଦିଆଯିବ ।
ଇରାନର ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଇସମାଇଲ ବଘାଇ କହିଛନ୍ତି, ଆମେରିକା ଦେଇଥିବା ପ୍ରସ୍ତାବଗୁଡ଼ିକୁ ଆମେ ସମୀକ୍ଷା କରୁଛୁ । ଉଚିତ ସମୟ ଆସିଲେ ଏହାର ଜବାବ ଦିଆଯିବ । ଆମେରିକା ଯେଉଁ ସମୟସୀମା ଦେଇଛି, ଆମେ ତାହାକୁ ସ୍ୱୀକାର କରୁନାହୁଁ । ଇରାନ ନିଜ କାମ ନିଜ ତରିକାରେ କରିବ । ଅନ୍ୟପକ୍ଷରେ ବଘାଇଙ୍କ ଏହି ବୟାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଧକ୍କା ସଦୃଶ ହୋଇଛି । ଏହା ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ୍ କହିଥିଲେ, ଇରାନ ପଟୁ ସକାରାତ୍ମକ ଜବାବ ଆଶା କରୁଛୁ । ଆମେରିକାର ପ୍ରସ୍ତାବ ଉପରେ ଇରାନ ଶନିବାର ସୁଦ୍ଧା ଜବାବ ଦେବା ନେଇ ଟ୍ରମ୍ପ୍ ଆଶା ରଖିଥିଲେ । କିନ୍ତୁ ଏବେ ତାହା ହେବାର ନାହିଁ । ଅଲ୍ ଜଜିରା ରିପୋର୍ଟ ଅନୁସାରେ, ଚିଠା ପ୍ରସ୍ତାବ ବେଶ୍ ଜଟିଳ ଥିବାରୁ ଇରାନର ଜବାବ ବିଳମ୍ବିତ ହେଉଛି । ଏଥିରେ ବିଭିନ୍ନ ବୈଷୟିକ ପ୍ରସଙ୍ଗ ବି ରହିଛି । ତେଣୁ ଏହାର ସମୀକ୍ଷାରେ ଆହୁରି ଅଧିକ ସମୟ ଲାଗିବ । ପ୍ରସ୍ତାବର ସମୀକ୍ଷା ପ୍ରକ୍ରିୟାରେ ଇରାନୀ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବଫଙ୍କ ନେତୃତ୍ୱାଧୀନ ଟିମ୍, ଆଇଆରଜିସି ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ କାର୍ଯ୍ୟ କରୁଛନ୍ତି । ସେମାନେ ଆଉ କିଛି ଦିନ ଭିତରେ ନିଜ ରିପୋର୍ଟ ପ୍ରଦାନ କରିବେ । ଏହାପରେ ଇରାନର ସୁପ୍ରିମ ଲିଡରଙ୍କ ଅନୁମୋଦନ ଆବଶ୍ୟକ ପଡ଼ିବ । ଏହାପରେ ଯାଇ ଆମେରିକା ଦେଇଥିବା ପ୍ରସ୍ତାବର ଜବାବ ମିଳିପାରିବ ।
ଅନ୍ୟପକ୍ଷରେ ହୋର୍ମୁଜ ପ୍ରଣାଳୀରେ ଆମେରିକା ୭୦ରୁ ଅଧିକ ଜାହାଜକୁ ରୋକିଥିବା ଦାବି କରିଛି । ଏହି ଜାହାଜଗୁଡ଼ିକ ଇରାନର ବନ୍ଦରରେ ପ୍ରବେଶ ଅଥବା ବନ୍ଦରରୁ ବାହାରିଥିଲେ । ସୋସିଆଲ ମିଡିଆରେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକମ୍) କହିଛି, ଏହି ଜାହାଜଗୁଡ଼ିକ ୧୬୬ ମିଲିୟନ ବ୍ୟାରେଲରୁ ଅଧିକ ଇରାନୀ ତୈଳ ବୋହିନେବାର କ୍ଷମତା ରଖିଛନ୍ତି । ଏହାଛଡ଼ା ୫୦ରୁ ଅଧିକ ଜାହାଜକୁ ଅନ୍ୟତ୍ର ପଠାଇ ଦିଆଯାଇଛି । ଇରାନରୁ ଏବଂ ଇରାନକୁ ତୈଳ ପରିବହନ ରୋକିବା ପାଇଁ ଜାରି ରହିଥିବା ‘ଅବରୋଧ’ର ଅଂଶବିଶେଷ ଏହି ପଦକ୍ଷେପ ନିଆଯାଇଛି । ୱାଶିଂଟନ ସହିତ ବୁଝାମଣା ଲାଗି ଇରାନକୁ ବାଧ୍ୟ କରିବା ସକାଶେ ଏହି ପଦକ୍ଷେପ ନିଆଯାଉଛି ।
ଏହା ବି ପଢନ୍ତୁ...Uranium Transport: ଏହି ଦେଶଠୁ ୧୩.୫ କିଲୋ ୟୁରାନିୟମ ଛଡାଇ ନେଇଗଲେ ରାଷ୍ଟ୍ରପତି ଟ୍ରମ୍ପ, ଏବେ ଇରାନ ପାଳି !
ଆରମ୍ଭ ହେବ 'ପ୍ରୋଜେକ୍ଟ ଫ୍ରିଡମ ପ୍ଲସ୍'- ଇରାନକୁ ବି ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ । ସମ୍ଭାବ୍ୟ ଶାନ୍ତି ବୁଝାମଣା ପୂର୍ବରୁ ଆମେରିକା ଓ ଇରାନ ମଧ୍ୟରେ ମୁହାଁମୁହିଁ ଜାରି ରହିଛି । ଦୁଇ ଦେଶର ନେତା ପରସ୍ପର ବିରୋଧରେ ବୟାନବାଜି କରୁଛନ୍ତି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଯଦି ଇରାନ ବୁଝାମଣା ନ କରେ ତେବେ ହୋର୍ମୁଜ ପ୍ରଣାଳୀରେ ଫସି ରହିଥିବା ବାଣିଜ୍ୟିକ ଜାହାଜଗୁଡିକୁ ସୁରକ୍ଷିତ ବାହାର କରିବା ସକାଶେ ପୁଣି 'ପ୍ରୋଜେକ୍ଟ ଫ୍ରିଡମ ପ୍ଲସ୍' ଆରମ୍ଭ ହେବ । ଯଦି ସବୁ କିଛି ଧାର୍ଯ୍ୟ ଅନୁସାରେ ନ ହୁଏ ଏବଂ ବୁଝାମଣା ଉପରେ ଦସ୍ତଖତ ନହୁ, ତେବେ ଆମେରିକା ବିକଳ୍ପ ରାସ୍ତା ଆପଣାଇବ । ଏହା ଇରାନ ପାଇଁ ବହୁ ମହଙ୍ଗା ପଡିବ ।