ନୂଆଦିଲ୍ଲୀ,୧୦/୦୫; ଆମେରିକା ଭେନେଜୁଏଲାରୁ ୧୩.୫ କିଲୋ ଅତି ସମୃଦ୍ଧ ୟୁରାନିୟମ ହଟାଇଛି । ଏହି ୟୁରାନିୟମ ଦୀର୍ଘ ବର୍ଷ ଧରି ସେଠାରେ ଏକ ପୁରୁଣା ଗବେଷଣା ରିଆକ୍ଟରରେ ରଖାଯାଇଥିଲା । ଏ ସଂପର୍କରେ ଆମେରିକା କହିଛି ଯେ, ୟୁରାନିୟମକୁ କାରାକାସ ନିକଟରେ ଥିବା ସାଇଟରୁ ହଟାଯାଇଛି । ଏହାପରେ ସୁରକ୍ଷିତ ଭାବେ ଆମେରିକା ପଠାଯାଇଛି । ତାକୁ ଏବେ ସାଉଥ କାରୋଲିନାର ସଭାନା ରିଭର ଆଣବିକ ସାଇଟରେ ପ୍ରୋସେସିଂ କରାଯିବ । ଆମେରିକା, ଭେନେଜୁଏଲା, ବ୍ରିଟେନ ଏବଂ ଆଇଏଇଏ(ଇଣ୍ଟରନ୍ୟାସନାଲ ଆଟମିକ ଏନର୍ଜି ଏଜେନ୍ସି) ମିଶି ଏହି ଅପରେସନ୍ କରିଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ...Uranium Processing : ପରମାଣୁ ରିଆକ୍ଟର ଇନ୍ଧନ ଭାବେ ବ୍ୟବହାର ହୁଏ ୟୁରାନିୟମ୍, ସମୃଦ୍ଧିକରଣ ପାଇଁ ଲାଗେ କେତେ ସମୟ ? ଜାଣନ୍ତୁ...

ଆମେରିକୀୟ ଏଜେନ୍ସି ନ୍ୟାସନାଲ ନ୍ୟୁକ୍ଲିଅର ସିକ୍ୟୁରିଟି ଆଡମିନିଷ୍ଟ୍ରେସନ (ଏନ୍ଏନ୍ଏସ୍ଏ) ଅନୁସାରେ, ଏହି ଅପରେସନ୍ ତାଙ୍କ ଦେଶର ସୁରକ୍ଷା ଲାଗି ଅତି ଗୁରୁତ୍ୱପୂର୍ଣ୍ଣ । ଭେନେଜୁଏଲାର ଆରଭି-୧ ରିସର୍ଚ୍ଚ ରିଆକ୍ଟର ଅନେକ ଦଶନ୍ଧି ଧରି ଆଣବିକ ଗବେଷଣା ଲାଗି ବ୍ୟବହାର ହେଉଥିଲା । ୧୯୯୧ରେ ଗବେଷଣା ବନ୍ଦ ହୋଇଯିବା ପରେ ବି ସେଠାରେ ଅତି ସମୃଦ୍ଧ ୟୁରାନିୟମ ରଖାଯାଇଥିଲା । ଭେନେଜୁଏଲାରୁ ସମୃଦ୍ଧ ୟୁରାନିୟମକୁ ହଟାଇବା ଏକ ବଡ଼ ବାର୍ତ୍ତା । ଟ୍ରମ୍ପ ପ୍ରଶାସନ ଏହି ମିସନକୁ ମାତ୍ର କିଛି ମାସରେ ପୂରା କରିଛନ୍ତି । ମିସନ୍ ଲାଗି ୟୁରାନିୟମକୁ ସ୍ୱତନ୍ତ୍ର କଣ୍ଟେନରରେ ପ୍ୟାକ୍ କରାଯାଇଥିଲା । ଏହାପରେ ସଡ଼କପଥରେ ପ୍ରାୟ ୧୦୦ ମାଇଲ୍ ରାସ୍ତା ଅତିକ୍ରମ କରି ତାକୁ ବନ୍ଦର ଯାଏ ନିଆଯାଇଥିଲା । ସେଠାରେ ବ୍ରିଟେନର ନ୍ୟୁକ୍ଲିୟର ଟ୍ରାନ୍ସପୋର୍ଟ ସଲ୍ୟୁସନ୍ସ କମ୍ପାନିର ଜାହାଜ ଦ୍ୱାରା ଆମେରିକା ପଠାଯାଇଥିଲା । ଏନ୍ଏନ୍ଏସଏର ଡେପୁଟି ଆଡମିନିଷ୍ଟ୍ରେଟର ମିସନର ଅନୁଧ୍ୟାନ ଲାଗି ଭେନେଜୁଏଲା ପହଞ୍ଚିଥିଲେ । ଇତିମଧ୍ୟରେ ଆଇଏଇଏ ଏହାକୁ ଏକ ଅତି ଜଟିଳ ଏବଂ ସମ୍ବେଦନଶୀଳ ମିସନ୍ ଭାବେ ବର୍ଣ୍ଣନା କରିଛି ।

ଏହା ବି ପଢନ୍ତୁ...​​​​​​​Uranium Supply World : ୫ଟି ଦେଶରେ ଅଛି ୟୁରାନିୟମ୍ ଭଣ୍ଡାର, ଏହି ଦେଶ ରଖିଛନ୍ତି ଅଣୁ ଅସ୍ତ୍ର... ଜାଣନ୍ତୁ ସବୁଠୁ ଅଧିକ କିଏ ରଖିଛି ପରମାଣୁ ବୋମା ?   

ୟୁରାନିୟମ ହେଉଛି ଏକ ଭାରୀ ଧାତୁ ଯାହାକୁ ଆଣବିକ ରିଆକ୍ଟର ଏବଂ ଅସ୍ତ୍ରଶସ୍ତ୍ରରେ ଇନ୍ଧନ ଭାବେ ବ୍ୟବହାର କରାଯାଏ । ପ୍ରାକୃତିକ ଭାବେ ଏହା ରେଡିଓଆକ୍ଟିଭ୍‌ ହୋଇଥାଏ ଏବଂ ସାଧାରଣତଃ ପାହାଡ଼ ଓ ମାଟି ସମେତ ସାମୁଦ୍ରିକ ଜଳରେ ବି ସ୍ୱଳ୍ପ ମାତ୍ରାରେ ମିଳିଥାଏ । ବିଶ୍ୱର ପ୍ରାୟ ୯୦% ୟୁରାନିୟମ କେବଳ ୫ଟି ଦେଶରେ ଉତ୍ପନ୍ନ ହୋଇଥାଏ ଯଥା କାଜାଖସ୍ତାନ, କାନାଡା, ନାମ୍ବିଆ, ଅଷ୍ଟ୍ରେଲିଆ ଏବଂ ଉଜବେକିସ୍ତାନ । ଅନ୍ୟ କେତେକ ଦେଶରେ ବି ୟୁରାନିୟମର ଭଣ୍ଡାର ମିଳିଥିବା କୁହାଯାଉଛି । ନ୍ୟୁକ୍ଲିୟର ଏନର୍ଜି ଏଜେନ୍ସି ରିପୋର୍ଟ ଅନୁସାରେ, ୟୁରାନିୟମ ଭଣ୍ଡାରଣରେ ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନରେ ରହିଛି । ଏହା ପାଖରେ ୩୬ ଲକ୍ଷ ଟନ୍‌ ୟୁରାନିୟମ ରହିଛି । ଏହା ପଛକୁ ଦ୍ୱିତୀୟ ସ୍ଥାନରେ ଥିବା କାଜାଖସ୍ତାନ ପାଖରେ ୨୯ ଲକ୍ଷ ଟନ୍‌, କାନାଡାରେ ୧୭ ଲକ୍ଷ ଟନ, ରୁଷରେ ୧୨ ଲକ୍ଷ ଟନ ୟୁରାନିୟମ ରହିଛି ।