ତେହରାନ, ୦୭/୦୩ : ଇସ୍ରାଏଲ୍- ଆମେରିକା ଏବଂ ଇରାନ୍ ମଧ୍ୟରେ ଯୁଦ୍ଧକୁ ଅଷ୍ଟମ ଦିନ । ଇତିମଧ୍ୟରେ ଇରାନ୍ର ଶସ୍ତା ଡ୍ରୋନ୍ ଆମେରିକା-ଇସ୍ରାଏଲ୍ ଲାଗି ସମସ୍ୟା ପାଲଟିଛି । ଭାରତୀୟ ମୁଦ୍ରାରେ ପ୍ରାୟ ୧୮ରୁ ୪୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଇରାନ୍ର ଡ୍ରୋନ୍କୁ ଖସାଇବାକୁ ଆମେରିକାକୁ ପ୍ରାୟ ୨୭ କୋଟିର କ୍ଷେପଣାସ୍ତ୍ର ମାଡ଼ କରିବାକୁ ପଡୁଛି । ଯୁଦ୍ଧର ୫ ଦିନ ମଧ୍ୟରେ ଇସ୍ରାଏଲ ଏବଂ ଅନ୍ୟ ମଧ୍ୟପ୍ରାଚ୍ୟ ଦେଶ ଉପରେ ଇରାନ୍ ପ୍ରାୟ ୫୦୦ ମିସାଇଲ୍ ଏବଂ ୨୦୦୦ରୁ ଅଧିକ ଡ୍ରୋନ୍ ମାଡ଼ କରିଛି । ସେଥିମଧ୍ୟରୁ ଅଧିକାଂଶ ହେଉଛି ଆତ୍ମଘାତୀ ଡ୍ରୋନ୍ । ଅର୍ଥାତ୍ ସେଗୁଡ଼ିକ କେବଳ ସର୍ଭିଲାନ୍ସ କରି ଫେରନ୍ତି ନାହିଁ ବରଂ ଟାର୍ଗେଟ୍ ନିକଟରେ ପହଞ୍ଚିବା ପରେ ବିସ୍ଫୋରଣ ହୋଇ ଟାର୍ଗେଟ୍କୁ ଧ୍ୱଂସ କରିଥାନ୍ତି ।
ଇରାନ୍ର ଶାହିଦ୍-୧୩୬ ଭଳି ଡ୍ରୋନ୍ ଏତେ ଛୋଟ ଯେ ସେଗୁଡ଼ିକୁ ଟ୍ରକ୍ ପଛରୁ ମଧ୍ୟ ଲଞ୍ଚ କରିହେବ । ଶାହିଦ୍ ଡ୍ରୋନ୍ ବିଭିନ୍ନ ପ୍ରକାରର ରହିଛି । ତାର ମୂଲ୍ୟ ୧୮-୪୫ ଲକ୍ଷ ମଧ୍ୟରେ ହୋଇଥାଏ । ଇରାନ୍ ନିକଟରେ ହଜାର ହଜାର ଶାହିଦ୍ ଡ୍ରୋନ୍ ରହିଥିବା କୁହାଯାଉଛି । ଇସ୍ରାଏଲ୍- ଆମେରିକା ବିରୋଧରେ ଇରାନ୍ ଏହି ଡ୍ରୋନ୍କୁ ସର୍ବାଧିକ ବ୍ୟବହାର କରୁଛି । ଅନ୍ୟପଟେ ଇରାନ୍ ଆକ୍ରମଣର ଜବାବ ଦେବାକୁ ଆମେରିକା ମଧ୍ୟପ୍ରାଚ୍ୟରେ ପାଟ୍ରିଅଟ୍ ଏୟାର ଡିଫେନ୍ସ ଏବଂ କାଉଣ୍ଟର ଡ୍ରୋନ୍ ସିଷ୍ଟମ ମୁତୟନ କରିଛି । ପାଟ୍ରିଅଟ୍ ସିଷ୍ଟମରୁ ଗୋଟିଏ ଥର ଫାୟାର କରିବାକୁ ପ୍ରାୟ ୨୭ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ଆମେରିକା ନିକଟରେ ଏହାର ଶସ୍ତା ବିକଳ୍ପ ମଧ୍ୟ ରହିଛି । ତାହା ହେଲା ରେଥିଅନ୍ କୋୟୋଟେ ସିଷ୍ଟମ । ଏହା ଡ୍ରୋନ୍କୁ ଇଣ୍ଟରସେପ୍ଟ କରିପାରେ । ପ୍ରତି ଇଣ୍ଟରସେପସନ୍ ଲାଗି ପ୍ରାୟ ୧.୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ଏହି ଖର୍ଚ୍ଚ ପାଟ୍ରିଅଟ୍ ସିଷ୍ଟମଠାରୁ କମ୍ ହୋଇଥିଲେ ମଧ୍ୟ ଶାହିଦ୍ ଡ୍ରୋନ୍ ତୁଳନାରେ ବହୁ ଅଧିକ । ଏହାଛଡା ଡ୍ରୋନ୍ଗୁଡ଼ିକୁ ନିୟନ୍ତ୍ରଣ କରୁଥିବା ରେଡିଓ ଫ୍ରିକ୍ୱେନ୍ସିକୁ ଜାମ୍ କରିବା କିମ୍ବା ସେଗୁଡିକୁ ଅକ୍ଷମ କରିବା ଭଳି କମ୍ ମୂଲ୍ୟର ବିକଳ୍ପ ମଧ୍ୟ ରହିଛି । କିନ୍ତୁ ଏହି ଉପାୟ ସଫଳତା ନେଇ ଗ୍ୟାରେଣ୍ଟି ଦେଇନଥାଏ ।
ଆମେରିକାର ଏକ ଡ୍ରୋନ୍ ନିର୍ମାଣକାରୀ କମ୍ପାନିର ସହ ପ୍ରତିଷ୍ଠାତା ଆର୍ଥୁର ଏରିକସନ୍ କହିଛନ୍ତି, ଡ୍ରୋନ୍କୁ ଖସାଇବା ତାକୁ ଉଡ଼ାଇବା ତୁଳନାରେ ଅଧିକ ବ୍ୟୟବହୁଳ ହୋଇଥାଏ । ଡ୍ରୋନ୍କୁ ଖସାଇବା ଲାଗି ତାର ନିର୍ମାଣ ମୂଲ୍ୟଠାରୁ ୧୦ ଗୁଣା ଅଧିକ ଅର୍ଥ ଖର୍ଚ୍ଚ ହୋଇଥାଏ । ଇରାନ୍-ଆମେରିକା କ୍ଷେତ୍ରରେ ଏହି ଅନୁପାତ ୬୦-୭୦ ଗୁଣା ହେଉଛି । ଅନ୍ୟପଟେ ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ଶାହିଦ୍-୧୩୬ ଡ୍ରୋନ୍ର ସଫଳତାକୁ ଦେଖିବା ପରେ ଆମେରିକା ମଧ୍ୟ ସମାନ ଧରଣର ଆକ୍ରମଣକାରୀ ଡ୍ରୋନ୍ ଲୁକାସ୍ର ନିର୍ମାଣ ଆରମ୍ଭ କରିଛି । ଗୋଟିଏ ଲୁକାସ୍ ଡ୍ରୋନ୍ ପାଇଁ ପ୍ରାୟ ୩୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ନିକଟରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଧରିବାକୁ ହୋଇଥିବା ଅପରେସନ୍ରେ ଏହି ଡ୍ରୋନ୍ ବ୍ୟବହାର କରାଯାଇଥିଲା । ତେବେ ଶାହିଦ୍-୧୩୬ ଡ୍ରୋନ୍ ୨୫୦୦ କିମି ଯାଏ ଯାଇପାରୁଥିବାବେଳ ଲୁକାସ୍ ଡ୍ରୋନ୍ର ରେଞ୍ଜ ମାତ୍ର ୬୫୦ କିମି ରହିଛି । ଆମେରିକାର ଏହି ଦୁର୍ବଳତାକୁ ଲକ୍ଷ୍ୟ କରି ଇରାନ୍ ତାର ମିସାଇଲ୍କୁ ସଞ୍ଚୟ କରି ଡ୍ରୋନ୍ ଦ୍ୱାରା ଆକ୍ରମଣ ଜାରି ରଖିଛି । ଇରାନ୍ର ଆକଳନ ଅନୁସାରେ, ଆମେରିକାର ଇଣ୍ଟରସେପ୍ଟର ସରିଯିବ ଏବଂ ଉପସାଗରୀୟ ଦେଶଗୁଡିକର ରାଜନୈତିକ ଇଚ୍ଛାଶକ୍ତି ଭାଙ୍ଗିଯିବ । ଏହାଦ୍ୱାରା ଇରାନ୍ର ଅସ୍ତ୍ରଶସ୍ତ୍ର ସରିବା ପୂର୍ବରୁ ଆମେରିକା ଉପରେ ଯୁଦ୍ଧ ଶେଷ କରିବାକୁ ଚାପ ପଡିବ ।
ଏହି ଖବରଟିକୁ ପଢନ୍ତୁ- ଇରାନର ଭୂତଳ ମିସାଇଲ ନଗରୀ : ପାହାଡ ଓ ପଡିଆରୁ ବାହାରୁଛି ଲଞ୍ଚର, ଖୋଜିବାକୁ ଡ୍ରୋନ୍ ମୁତୟନ କଲା ଆମେରିକା