ତେହେରାନ, ୦୭/୦୩ : ଆମେରିକା ଓ ଇସ୍ରାଏଲର ଆକ୍ରମଣରୁ ନିଜର ମିସାଇଲକୁ ସୁରକ୍ଷିତ ରଖିବା ଲାଗି ଇରାନ ଗତ କିଛିବର୍ଷ ହେଲା ଭୂତଳ ବଙ୍କର ନିର୍ମାଣ କରିଛି । ପାହାଡ, ପଡିଆ ଓ ବିସ୍ତୀର୍ଣ୍ଣ ଖାଲି ସ୍ଥାନର ଭୂତଳରେ ଏହି ନଗରୀ ପ୍ରତିଷ୍ଠା କରାଯାଇଛି । ଯାହାର ଟେର୍ ଆମେରିକା କିମ୍ବା ଇସ୍ରାଏଲକୁ ମିଳିନାହିଁ । ବର୍ତ୍ତମାନ ଇରାନ ସେହି ନଗରୀରେ ଗଚ୍ଛିତ ରଖିଥିବା ତାର ମିସାଇଲକୁ ବାହାର କରି ଇସ୍ରାଏଲ ଓ ପଡୋଶୀ ଉପସାଗର ଦେଶରେ ଥିବା ଆମେରିକାର ସେନାଘାଟିକୁ ଟାର୍ଗେଟ କରୁଛି । ଯାହା ଉଭୟ ଆମେରିକା, ଇସ୍ରାଏଲ ଓ ଆରବ ଦେଶ ପାଇଁ ଚିନ୍ତାର କାରଣ ହୋଇଛି ।
ବର୍ତ୍ତମାନ ଇରାନର ଏହି ଭୂତଳ ମିସାଇଲ ନଗରୀ କଥା ଜଣାପଡିବା ପରେ ଆମେରିକା ଓ ଇସ୍ରାଏଲ ଏବେ ତାକୁ ଧ୍ୱଂସ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ସେମାନେ ଇରାନର ବିଭିନ୍ନ ସ୍ଥାନରେ ଡ୍ରୋନ ମାଧ୍ୟମରେ ନଜର ରଖିବା ଆରମ୍ଭ କରିଛନ୍ତି । ଯେଉଁଠାରେ ମିସାଇଲ ଲଞ୍ଚର ଆକ୍ରମଣ ଲାଗି ପ୍ରସ୍ତୁତ ହେଉଥିବାର ଚିତ୍ର ସାମ୍ନାକୁ ଆସୁଛି ସେଠାରେ କାଳବିଳମ୍ବ ନକରି ସେମାନେ ଆକ୍ରମଣ କରୁଛନ୍ତି । କେତେକ ଭୂତଳ ଅଞ୍ଚଳକୁ ଟାର୍ଗେଟ କରି ଆମେରିକା ଓ ଇସ୍ରାଏଲ ମଧ୍ୟ ବୋମାମାଡ଼ କରିଛନ୍ତି । ମିସାଇଲ ନଗରୀର ପ୍ରବେଶ ପଥରୁ ବାହାରୁଥିବା ଅନେକ ମିସାଇଲ ଲଞ୍ଚରକୁ ଆମେରିକା ସେନା ଧ୍ୱଂସ କରିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଇରାନର ଦକ୍ଷିଣାଞ୍ଚଳ ସହର ଶିରାଜ, କେନ୍ଦ୍ରୀୟ ସହର ଇସ୍ଫାହନ, ପଶ୍ଚିମାଞ୍ଚଳ କେରମାନଶାହ ଓ ଉତ୍ତର- ପଶ୍ଚିମାଞ୍ଚଳ ତାବରିଜ ସହରରେ ଏହି ଭୂତଳ ନଗରୀ ରହିଛି ।
ଯୁଦ୍ଧ ଭିତରେ ଆମେରିକା ଓ ଇସ୍ରାଏଲ ଯେଉଁସବୁ ମିସାଇଲ କେନ୍ଦ୍ର ଉପରେ ଆକ୍ରମଣ କରିଛନ୍ତି ତାହା ଭୂତଳ କେନ୍ଦ୍ର । ଉପରକୁ ମଧ୍ୟ ଘର ରହିଛି । କିନ୍ତୁ ଉପଗ୍ରହ ଫଟୋରୁ ଏହାର ପ୍ରବେଶ ଓ ପ୍ରସ୍ଥାନ ବାଟ ସମ୍ପର୍କରେ କିଛି ବି ଜଣାପଡୁନାହିଁ । ସେସବୁ କେନ୍ଦ୍ରକୁ ନଷ୍ଟ କରିବାକୁ ହେଲେ ବଙ୍କର ବଷ୍ଟର ବୋମା ଦରକାର । କିନ୍ତୁ ଇରାନର ଏସବୁ ଭୂତଳ କେନ୍ଦ୍ରକୁ ନଷ୍ଟ କରିବାକୁ ଆମେରିକା ପାଖରେ ଏତେ ବଙ୍କର ବଷ୍ଟର ବୋମା ନାହିଁ । ୨୦୨୫ ମାର୍ଚ୍ଚରେ ଇରାନ ଦେଶର ସବୁଠାରୁ ବଡ ଭୂତଳ ମିସାଇଲ କେନ୍ଦ୍ରର ଭିଡିଓ ଫୁଟେଜ ଜାରି କରିଥିଲା । କିନ୍ତୁ ଏହା କେଉଁଠାରେ ରହିଛି ତାହା ଜଣାଇନଥିଲା । ସେଥିରେ ଦେଖିବାକୁ ମିଳିଥିଲା ଯେ ମିସାଇଲ ଧରି ଧାଡିରେ ଏକାଧିକ ଟ୍ରକ ରହିଥିଲା ବେଳେ ବରିଷ୍ଠ ସେନା କମାଣ୍ଡରମାନେ ତା ନିକଟରେ ଠିଆ ହୋଇଥିଲେ । ସେହିଭଳି କେତେକ ଭୂତଳ କେନ୍ଦ୍ର ରହିଛି ଯେଉଁଠାରୁ ଇରାନ ମିସାଇଲ ଆକ୍ରମଣ ମଧ୍ୟ କରିପାରିବ । ଏଭଳି ଏକ କେନ୍ଦ୍ର ରହିଛି ଇରାନର ଦକ୍ଷିଣାଞ୍ଚଳ ଖୋରମୁଜ ସହରରେ ।
ସେହିଭଳି ପାହାଡରେ ମଧ୍ୟ ସୁଡ଼ଙ୍ଗ କରାଯାଇ ସେଠାରେ ମିସାଇଲ ଲଞ୍ଚରର ବ୍ୟବସ୍ଥା କରାଯାଇଛି । ଯାହାକୁ କେହି ସହଜରେ ଜାଣିପାରିବେ ନାହିଁ । କିନ୍ତୁ ଇରାନ ଏହି ଭୂତଳ କେନ୍ଦ୍ରରୁ ମିସାଇଲ ବ୍ୟବହାର କରିବାକୁ ଉଚିତ ମଣୁନାହିଁ । ସେଠାରୁ ମିସାଇଲକୁ ଟ୍ରକ କିମ୍ବା ଲଞ୍ଚର ମାଧ୍ୟମରେ ବାହାରକୁ ଆଣିବା ପରେ ତାକୁ ଫାୟାର କରାଯାଉଛି । କିନ୍ତୁ ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରେ ଇରାନର ୩୦୦ରୁ ଅଧିକ ମିସାଇଲ ଲଞ୍ଚର ନଷ୍ଟ ହୋଇଥିବା ବେଳେ ଏହାର ମିସାଇଲ ଆକ୍ରମଣ କ୍ଷମତା ହ୍ରାସ ପାଇଛି । କିଛି ଇସ୍ରାଏଲ ବିଶେଷଜ୍ଞଙ୍କ କହିବାନୁଯାୟୀ ଇରାନ ପାଖରେ ୨୫୦୦ ମିସାଇଲ ରହିଛି । ଆଉ କିଛି ବିଶେଷଜ୍ଞ ଏହାକୁ ୬ ହଜାର ବୋଲି କହୁଛନ୍ତି ।
ଏହି ଖବରଟିକୁ ପଢନ୍ତୁ- ଇରାନରେ ଇସ୍ରାଏଲର ଜୋରଦାର ଆକ୍ରମଣ : ୫୦ଟି ଯୁଦ୍ଧ ବିମାନ ଓ ମୋସାଦ୍ ସହାୟତାରେ ତେହେରାନର ବଙ୍କର ଧ୍ୱଂସ