ନୂଆଦିଲ୍ଲୀ,୧୫/୦୨; ଟିଟ୍ୱେଣ୍ଟି ବିଶ୍ୱକପ୍‌ରେ ଇଂଲଣ୍ଡ ଦ୍ୱିତୀୟ ବିଜୟ ସହ ସୁପର-୮ ରାଉଣ୍ଡ ଆଶା ଉଜ୍ଜୀବିତ ରଖିଛି । ଶନିବାର ଇଡେନ ଗାର୍ଡେନ୍ସରେ ଅନୁଷ୍ଠିତ ଗ୍ରୁପ୍ ସି’ର ଏକ ମ୍ୟାଚରେ ଦଳ ୫ ୱିକେଟ୍‌ରେ ସ୍କଟଲାଣ୍ଡକୁ ପରାସ୍ତ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ ୧୯.୪ ଓଭରରେ ୧୫୨ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଜବାବରେ ଇଂଲଣ୍ଡ ୧୮.୨ ଓଭରରେ ୫ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରିଥିଲା । ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ଟମ ବାଣ୍ଟନ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ସ୍କଟଲାଣ୍ଡ ୧୮ରନ୍‌ରେ ୨ଟି ୱିକେଟ୍ ହରାଇଥିଲା । ଜର୍ଜ ମୁନସୀ ୪ ରନ କରିଥିବାବେଳେ ବ୍ରାଣ୍ଡନ ମ୍ୟାକମୁଲେନ ଖାତା ଖୋଲି ପାରିନଥିଲେ । ଅନ୍ୟ ଓପନର ମାଇକେଲ ଜୋନ୍ସ ୩୩ ରନ କରିବାରୁ ଦଳୀୟ ସ୍କୋର ୪୩ରେ ପହଞ୍ଚିଥିଲା । ଅଧିନାୟକ ରିଚି ବେରିଂଟନ ଲଢୁଆ ବ୍ୟାଟିଂ କରି ୪୯ ରନ୍ କରିବାରୁ ଦଳୀୟ ସ୍କୋର ୧୫୨ରେ ପହଞ୍ଚିଥିଲା । ଅନ୍ୟମାନଙ୍କ ମଧ୍ୟରେ ଟମ ବ୍ରୁସ ୨୪ ଓ ଓଲିଭର ଡେଭିଡ୍ସନ ୨୦ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ଆଦିଲ ରସିଦ ୩ଟି ୱିକେଟ୍ ନେଇଥିଲେ ।

ଏହା ବି ପଢନ୍ତୁ...ସେଦିନ ବି ଥିଲା ଜାଗର...୨୩ ବର୍ଷ ତଳେ ଭାରତ ମହାତାଣ୍ଡବରେ ଧୂଳିଚାଟିଥିଲା ପାକିସ୍ତାନ, ଏଥର ବି କୃପା କରିବା କି ମହାଦେବ ?

ଜବାବରେ ଇଂଲଣ୍ଡ ୧୩ ରନ୍‌ରେ ଉଭୟ ଓପନରଙ୍କୁ ହରାଇଥିଲା । ମାତ୍ର ଏହାପରେ ଜାକବ ବେଥେଲ ଓ ବାଣ୍ଟନ ଲଢୁଆ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ । ଉଭୟ ୬୬ ରନ ଯୋଗ କରିବା ଫଳରେ ଦଳୀୟ ସ୍କୋର ୭୯ରେ ପହଞ୍ଚିଥିଲା । ବେଥେଲ ୩୨ ରନ କରି ଆଉଟ୍ ହୋଇଥିଲେ । ଏହାପରେ ଦଳ ଆଉ ୨ଟି ୱିକେଟ୍ ହରାଇଥିଲା । ବାଣ୍ଟନ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ସେ ୪୧ଟି ବଲ୍‌ରେ ୪ ଚୌକା ଓ ୩ ଛକା ବଳରେ ୬୩ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ କୁରାନ ୨୮ ଓ ୱିଲ ଜ୍ୟାକ୍ସ ଅପରାଜିତ ୧୬ ରନ କରିଥିଲେ ।