ନୂଆଦିଲ୍ଲୀ,୨୬।୧: ଭାରତୀୟ କ୍ରିକେଟ ପ୍ରଶାସକ ଏବଂ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଇନ୍ଦ୍ରଜିତ ସିଂହ ବିନ୍ଦ୍ରାଙ୍କ ପରଲୋକ। ରବିବାର ୮୪ବର୍ଷରେ ତାଙ୍କର ଦେହାନ୍ତ ହୋଇଛି। ବିନ୍ଦ୍ରାଙ୍କ ପରଲୋକ କ୍ରିକେଟ ଜଗତରେ ଶୋକର ଲହରୀ ଖେଳାଇ ଦେଇଛି। ତାଙ୍କୁ ଆଧୁନିକ ଭାରତୀୟ କ୍ରିକେଟର ବାସ୍ତୁକାରଙ୍କ ଭିତରେ ଅନ୍ୟତମ ଭାବରେ ଜଣାଯାଏ। ସେ ନା କେବଳ ଘରୋଇ କ୍ରିକେଟକୁ ମଜବୁତ କରିଥିଲେ,ବଂର ବିଶ୍ବ ସ୍ତରରେ ଭାରତର ଦବଦବା କାୟମ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଆଇଏସ୍ ବିନ୍ଦ୍ରାଙ୍କ କ୍ରିକେଟ ପ୍ରଶାସନରେ ଯୋଗଦାନ ଅତୁଳନୀୟ। ସେ ୧୯୯୩ ରୁ ୧୯୯୬ ଭିତରେ ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡର ଅଧ୍ୟକ୍ଷ ଭାବରେ ନିଜର ସେବା ଦେଇଛନ୍ତି। ବିସିସିଆଇ ଅଧ୍ୟକ୍ଷ ହେବା ପୂର୍ବରୁ ଓ ପରେ ମଧ୍ୟ ତାଙ୍କର ପଞ୍ଜାବ କ୍ରିକେଟ ସହ ଭଲ ସମ୍ପର୍କ ରହିଥିଲା। ସେ ୧୯୭୮ ରୁ ୨୦୧୪ ପର୍ଯ୍ୟନ୍ତ ,ଅର୍ଥାତ ୩୬ ବର୍ଷ ପର୍ଯ୍ୟନ୍ତ ପଞ୍ଜାବ କ୍ରିକେଟ ଆସୋସିଏସନ୍ର ଅଧ୍ୟକ୍ଷ ଥିଲେ। ୨୦୧୪ରେ ସେ କ୍ରିକେଟ ପ୍ରଶାସନରୁ ସନ୍ୟାସ ନେଇଥିଲେ। ତାଙ୍କର କାର୍ଯ୍ୟକାଳ ବେଳେ ପଞ୍ଜାବ କ୍ରିକେଟ ଅଦ୍ଭୁତ ପ୍ରଗତି ହାସଲ କରିଥିଲା।
ବ୍ରିନ୍ଦାଙ୍କ କ୍ୟାରିୟରର ସବୁଠାରୁ ବଡ ଉପଲବ୍ଧି ଥିଲା ୧୯୮୭ କ୍ରିକେଟ୍ ବିଶ୍ବକପ୍ର ଆୟୋଜନ ଭାରତ ଓ ପାକିସ୍ତାନରେ କରାଯିବା। ଏହା ପ୍ରଥମ ଥର ଥିଳା ଯେତେବେଳେ କ୍ରିକେଟର ମହାକୁମ୍ଭ ୟୁକେର ବାହାରେ ଆୟୋଜିତ କରାଯାଇଥିଲା। ସେ ଏନ୍କେପି ସାଲଭେ ଓ ଜଗମୋହନ ଡାଲମିୟାଙ୍କ ସହ ମିଶି ଇଂଲଣ୍ଡ ଓ ଅଷ୍ଟ୍ରେଲିଆକୁ ଚ୍ୟାଲେଞ୍ଜ ଦେଇଥିଲେ ଓ କ୍ରିକେଟର ଶକ୍ତିକେନ୍ଦ୍ରକୁ ଏସିଆକୁ ଆଣିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହାପରେ ୧୯୯୬ ରେ ପାକିସ୍ତାନରେ ବିଶ୍ବକପ୍ ଆୟୋଜନ କରିବାରେ ସ୍ବତନ୍ତ୍ର ଭୂମିକା ଗ୍ରହଣ କରିଥିଲେ।
କ୍ରିକେଟ ପ୍ରସାରଣ ଦୁନିଆରେ କ୍ରାନ୍ତି
ଆଇଏସ୍ ବିନ୍ଦ୍ରାଙ୍କୁ କ୍ରିକେଟର ବ୍ୟବସାୟୀକରଣ ଓ ପ୍ରସାରଣରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବା ପାଇଁ ସର୍ବଦା ମନେ ରଖାଯିବ। ୧୯୯୪ ମସିହାରେ, ସେ କ୍ରିକେଟ ପ୍ରସାରଣରେ ଦୂରଦର୍ଶନର ଏକାଧିକାରକୁ ସମାପ୍ତ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ଏହି ଐତିହାସିକ କୋର୍ଟ ନିଷ୍ପତ୍ତି ଗ୍ଲୋବାଲ ବ୍ରଡକାଷ୍ଟରଙ୍କ ପାଇଁ ଦ୍ୱାର ଖୋଲି ଦେଇଥିଲା, ଭାରତୀୟ କ୍ରିକେଟକୁ ବିଶ୍ୱର ସର୍ବବୃହତ ଟେଲିଭିଜନ ବଜାର କରିଥିଲା ଏବଂ ବୋର୍ଡର ରାଜସ୍ୱକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଥିଲା।
ମୋହାଲି ଷ୍ଟାଡିୟମ ଜୀବନ୍ତ ଉଦାହରଣ
ପଞ୍ଜାବ କ୍ରିକେଟ ଆସୋସିଏସନର ସଭାପତି ଭାବରେ, ବିନ୍ଦ୍ରା ମୋହାଲିରେ ଏକ ବିଶ୍ୱସ୍ତରୀୟ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବାର ସ୍ୱପ୍ନ ଦେଖିଥିଲେ ଏବଂ ଏହାକୁ ସାକାର କରିଥିଲେ। ମୋହାଲିର ପିସିଏ ଷ୍ଟାଡିୟମ, ପରେ ତାଙ୍କ ନାମରେ ନାମିତ, ଆଜି ବିଶ୍ୱର ସର୍ବୋତ୍ତମ କ୍ରିକେଟ ପଡ଼ିଆ ମଧ୍ୟରୁ ଗୋଟିଏ। ଏହା ପଡିଆରେ ୨୦୧୧ ବିଶ୍ୱକପର ଭାରତ-ପାକିସ୍ତାନ ସେମିଫାଇନାଲ ଏବଂ ୨୦୧୬ ଟି୨୦ ବିଶ୍ୱକପରେ ବିରାଟ କୋହଲିଙ୍କ ଐତିହାସିକ ଇନିଂସ ସମେତ ଅନେକ ସ୍ମରଣୀୟ ମ୍ୟାଚ୍ ଆୟୋଜନ କରିଥିଲେ।
କ୍ରିକେଟ କୂଟନୀତି ଏବଂ ଅନ୍ତର୍ଜାତୀୟ ପ୍ରଭାବ
ବିନ୍ଦ୍ରା କେବଳ ଜଣେ ପ୍ରଶାସକ ନଥିଲେ ବରଂ ଜଣେ ଦକ୍ଷ କୂଟନୀତିଜ୍ଞ ମଧ୍ୟ ଥିଲେ। ୧୯୮୦ ଦଶକରେ, ଯେତେବେଳେ ବିଶ୍ୱକପ୍ ସୁରକ୍ଷା ଚିନ୍ତାର ଶିକାର ହୋଇ ବିପଦରେ ପଡ଼ିଥିଲା, ସେ ଜେନେରାଲ୍ ଜିଆ-ଉଲ୍-ହକ୍ଙ୍କୁ ଭାରତକୁ ନିମନ୍ତ୍ରଣ କରିବାକୁ ପରାମର୍ଶ ଦେଇଥିଲେ, ଯାହା ଉତ୍ତେଜନାକୁ କମ୍ କରିଥିଲା ଏବଂ ଟୁର୍ଣ୍ଣାମେଣ୍ଟ ପାଇଁ ପଥ ପ୍ରଶସ୍ତ କରିଥିଲା। ପରବର୍ତ୍ତୀ ବର୍ଷଗୁଡ଼ିକରେ, ସେ ଆଇସିସି ସଭାପତି ଶରଦ ପାୱାରଙ୍କ ଜଣେ ପ୍ରମୁଖ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ, ପିସିଏ ଏବଂ ବିସିସିଆଇ ବାହାରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପର୍ଯ୍ୟନ୍ତ ତାଙ୍କର ପ୍ରଭାବ ବିସ୍ତାର କରିଥିଲେ।
ଆହୁରି ପଢନ୍ତୁ :ଗଣତନ୍ତ୍ର ଦିବସ ଭବ୍ୟତାକୁ ଉର୍ସୁଲା ଭନ୍ ଡେର୍ ଲେୟେନଙ୍କ ପ୍ରଶଂସା, କହିଲେ- ‘ଜୀବନ ସାରାର ସମ୍ମାନ’...