ପୁରୀ, ୧୩/୦୫: ଇସ୍କନ ଠାରୁ ଦେଖି ଏବେ ଅନ୍ୟ ସ୍ଥାନରେ ଜଗନ୍ନାଥ ମନ୍ଦିର କରିଥିବା ବିଭିନ୍ନ ସଂସ୍ଥା ମଧ୍ୟ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ପାଳନ ଆରମ୍ଭ କରିଛନ୍ତି । ଉତ୍ତରପ୍ରଦେଶର ହାପୁରରେ ହେବ ଅଦିନିଆ ରଥଯାତ୍ରା । ଏହାକୁ ଇସ୍କନ ନୁହେଁ ବରଂ ଉତ୍ତରପ୍ରଦେଶର ଏକ ସଂସ୍ଥା ଆୟୋଜନ କରୁଛି । ୩୧ ମେ’ରେ ନୌକା ବିହାର, ୧୩ ଜୁନ୍‌ରେ ନେତ୍ରୋତ୍ସବ, ୧୪ ଜୁନ୍‌ରୁ ରଥଯାତ୍ରା ମହୋତ୍ସବ ଆୟୋଜନ ନେଇ ଇନ୍‌ଷ୍ଟା ଆକାଉଣ୍ଟରେ ସମ୍ପୃକ୍ତ ସଂସ୍ଥା ପୋଷ୍ଟ୍ କରିଛି । ହାପୁରରେ ଥିବା ଜଗନ୍ନାଥ ରଥଯାତ୍ରା ସେବା ସମିତି ଏହି ଉତ୍ସବ ଆୟୋଜନ କରୁଥିବା ସୂଚନା ଦେଇଛି । ଏହା ଜଣାପଡ଼ିବା ପରେ ଭକ୍ତ, ସେବାୟତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏନେଇ ବରିଷ୍ଠ ସେବାୟତ ସୁନୀଲ ପୂଜାପଣ୍ଡା କହିଛନ୍ତି, କେଉଁ ତିଥିରେ ସ୍ନାନଯାତ୍ରା ଓ ରଥଯାତ୍ରା ପାଳନ ହେବ ସେନେଇ ସ୍ୱୟଂ ଶ୍ରୀଜଗନ୍ନାଥ ନିର୍ଦ୍ଦେଶ ଦେଇଛନ୍ତି । ଏହା ସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡରେ ବର୍ଣ୍ଣିତ । ଜଗନ୍ନାଥ ମନ୍ଦିର କରିଥିବା ଲୋକେ ଓ ସଂସ୍ଥା ଏହା ଜାଣିବା ଜରୁରି । ବ୍ୟାବସାୟିକ ମନୋବୃତ୍ତି ରଖି ତଥା ମନଇଛା ପର୍ବ ପାଳନ କରିବା ଉଚିତ୍ ନୁହେଁ । ଅଦିନରେ ମହାପ୍ରଭୁଙ୍କ ପର୍ବପାଳନ ସଂସ୍କୃତିକୁ ନଷ୍ଟ କରୁଛି । ତେଣୁ ଶ୍ରୀମନ୍ଦିର ଭଳି ନିର୍ଦ୍ଧାରିତ ଦିନରେ ସମସ୍ତ ଯାନିଯାତ୍ରା ପାଳନ କରିବା ବିଧେୟ । ଏହାକୁ ଇସ୍କନ ଓ ଅନ୍ୟସଂସ୍ଥା ମାନିବା ଉଚିତ୍ ବୋଲି ଶ୍ରୀ ପୂଜାପଣ୍ଡା କହିଛନ୍ତ।