ତେଲ୍‌ଅଭିଭ୍‌/ବେରୁଟ୍‌,୨୮/୧୧:  ପ୍ରାୟ ୧୩ ମାସ ଧରି ଲେବାନନ୍‌ରେ ଇରାନ  ସମର୍ଥିତ ହିଜ୍‌ବୁଲ୍ଲା ଆତଙ୍କୀ ଗୋଷ୍ଠୀ ଏବଂ  ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ  ବିରାମ ଲାଗିଛି । ଆମେରିକା ରାଷ୍ଟ୍ରପତି ଜୋ  ବାଇଡେନ୍‌ ଯୁଦ୍ଧବିରତି ନେଇ ଘୋଷଣା  କରିଛନ୍ତି । ଫ୍ରାନ୍ସ ମଧ୍ୟ ଆମେରିକା ସହ  ମିଶି ଯୁଦ୍ଧବିରତି ବାବଦରେ ସଂଯୁକ୍ତ ବୟାନ  ଜାରି କରିଥିଲା । ୬୦ ଦିନର ଯୁଦ୍ଧବିରତିକୁ  ମଙ୍ଗଳବାର ବିଳମ୍ବିତ ରାତିରେ ଇସ୍ରାଏଲ ୱାର  କ୍ୟାବିନେଟ ମଧ୍ୟ ମଞ୍ଜୁରି ଦେଇଥିଲା । ଏହାର  କିଛି ସମୟ ପରେ ଉତ୍ତର ଲେବାନନ୍‌ରୁ  ପଳାୟନ କରିଥିବା ଲେବାନନ୍‌ବାସୀ ନିଜ  ଘର ମୁହାଁ ହୋଇଛନ୍ତି । 

ଗତ ସେପ୍ଟେମ୍ବର  ୨୩ରେ ଇସ୍ରାଏଲର ଘାତକ ମିସାଇଲ ମାଡ଼  ପରେ ହଜାର ହଜାର ସଂଖ୍ୟାରେ ପରିବାର  ଘର ଛାଡ଼ି ଦକ୍ଷିଣ ଲେବାନନ୍‌କୁ ଶରଣ  ନେବାକୁ ପଳାୟନ କରିଥିଲେ । ବୁଧବାର  ସକାଳୁ ସକାଳୁ ସେମାନେ ବାଇକ୍‌ ଏବଂ ଅନ୍ୟ  ଗାଡ଼ିରେ ଜିନିଷପତ୍ର ଧରି ନିଜ ନିଜ ସହରକୁ  ଫେରିଛନ୍ତି । ସେମାନଙ୍କ ହାତରେ ହିଜ୍‌ବୁଲ୍ଲା  ପତାକା ଏବଂ ନିପାତ ହିଜ୍‌ବୁଲ୍ଲା ନେତା  ନସରଲ୍ଲାହ ଫଟୋ ଥିବା ଦେଖିବାକୁ ମିଳିଛି ।  ଅନେକଙ୍କ ଘର ମିସାଇଲ ମାଡ଼ରେ ଧ୍ୱଂସସ୍ତୂପ  ପାଲଟିଥିବାବେଳେ ସେମାନେ ସେଠାରେ ନିଜ  ନିଜ ଜିନିଷ ପତ୍ର ଖୋଜିବାରେ ଲାଗିଛନ୍ତି । 

ଯୁଦ୍ଧବିରତି ସର୍ତ୍ତ ଅନୁସାରେ, ଇସ୍ରାଏଲ  ଏବଂ ହିଜ୍‌ବୁଲ୍ଲା ମଧ୍ୟରେ ସ୍ଥାୟୀ ଭାବେ ଏହି  ଯୁଦ୍ଧବିରତି ହୋଇଛି । ଏହା ଅନୁସାରେ ୬୦  ଦିନ ଭିତରେ ହିଜବୁଲ୍ଲା ନିଜ ଲଢ଼ୁଆ ଏବଂ  ଅସ୍ତ୍ରଶସ୍ତ୍ରକୁ ବ୍ଲୁ ଲାଇନ୍‌ ମଧ୍ୟରୁ ହଟାଇବ । ବ୍ଲୁ  ଲାଇନ ହେଉଛି ଇସ୍ରାଏଲ ଏବଂ ଲେବାନନ୍‌  ଭିତରେ ଥିବା ଅନୌପଚାରିକ ସୀମା । ଏହି  ଅଞ୍ଚଳରେ ହିଜ୍‌ବୁଲ୍ଲା ବଦଳରେ ଲେବାନନ  ସୈନିକ ମୁତୟନ ହେବେ । ହିଜ୍‌ବୁଲ୍ଲା  ଯେପରି ସେଠାରେ କୌଣସି ପ୍ରକାର  ଢାଞ୍ଚା ବା ଭିତ୍ତିଭୂମି ନିର୍ମାଣ କରି ନ ପାରେ  ତାହା ଲେବାନନ୍‌ ସେନା ସୁନିଶ୍ଚିତ କରିବ  ଏବଂ ସେଠାରୁ ହିଜ୍‌ବୁଲ୍ଲାର ସମସ୍ତ ଢାଞ୍ଚାକୁ  ହଟାଯିବ । 

ସେହିପରି ୬୦ ଦିନ ଭିତରେ  ଇସ୍ରାଏଲ ଧୀରେ ଧୀରେ ସେଠାରୁ ସେନା  ପ୍ରତ୍ୟାହାର କରିବ । ସାଧାରଣ ଲୋକେ  ଯେପରି ସେମାନଙ୍କ ଘରକୁ ସୁରକ୍ଷିତ ଭାବେ  ଫେରନ୍ତି ତାହା ଉଭୟ ପକ୍ଷ ସୁନିଶ୍ଚିତ କରିବେ  ବୋଲି ବାଇଡେନ୍‌ କହିଛନ୍ତି । ଲେବାନନ୍‌  ସେନା ଦକ୍ଷିଣରେ ୫ ହଜାର ସୈନିକ  ମୁତୟନ କରିବ । ତେବେ ଯୁଦ୍ଧବିରତି  ପରେ ଏହି ସୈନିକଙ୍କ ଭୂମିକା କ’ଣ ରହିବ  ତାହା ଜଣାଯାଇନାହିଁ । ଆବଶ୍ୟକ ପଡ଼ିଲେ  ଲେବାନନ୍‌ ସୈନ୍ୟ ହିଜ୍‌ବୁଲ୍ଲା ଲଢ଼ୁଆଙ୍କ ସହ  ଲଢ଼ିବେ କି ନା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।  ଅପରପକ୍ଷେ ହିଜ୍‌ବୁଲ୍ଲା ଏବଂ ଇସ୍ରାଏଲ  ମଧ୍ୟରେ ଯୁଦ୍ଧବିରତିକୁ ଭାରତ ସ୍ୱାଗତ  କରିଛି । ଉତ୍ତେଜନା ଏବଂ ସଂଘର୍ଷ ହ୍ରାସ  କରିବା, ସଂଯମତା ବଜାୟ ରଖି କୂଟନୈତିକ  ଉପାୟରେ ସମସ୍ୟା ସମାଧାନ କରିବା  ସପକ୍ଷରେ ଭାରତ ସର୍ବଦା ରହିଛି । 

ଯୁଦ୍ଧବିରତି  ଦ୍ୱାରା ସେହି ଅଞ୍ଚଳରେ ଏବେ ଶାନ୍ତି ଫେରିବା  ଆଶା ଥିବା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ  କୁହାଯାଇଛି । ତେବେ ଇରାନ୍‌ ଉପରେ ଧ୍ୟାନ  କେନ୍ଦ୍ରୀଭୂତ କରିବା, ଥକ୍କି ଯାଇଥିବା ସୈନିକଙ୍କୁ  ବିଶ୍ରାମ ଦେବା ଏବଂ ହମାସ୍‌କୁ ଏକଘରକିଆ  କରିବା ଉଦ୍ଦେଶ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ  ବେଞ୍ଜାମିନ୍‌ ନେତନ୍ୟାହୁ ଯୁଦ୍ଧବିରତିକୁ ମଞ୍ଜୁରି  ଦେଇଥିବା କୁହାଯାଇଛି । 

ପ୍ରକାଶଥାଉ କି,  ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ  ହମାସ୍‌ ଆକ୍ରମଣ କରିବା ପରେ ଇସ୍ରାଏଲ  ଗାଜାରେ ପାଲଟା ଆକ୍ରମଣ ଆରମ୍ଭ କରିଥିଲା ।  ହମାସ୍‌ ସପକ୍ଷରେ ବାହାରି ହିଜ୍‌ବୁଲ୍ଲା  ଇସ୍ରାଏଲ ଉପରକୁ ଲେବାନନ୍‌ ପଟୁ ଘନ ଘନ  ଆକ୍ରମଣ କରିଥିଲା । ତେଣୁ ଇସ୍ରାଏଲ ମଧ୍ୟ  ଏହାର ଜବାବ ଦେଇଥିଲା । ଲେବାନନ୍‌ରେ  ଇସ୍ରାଏଲ ଆକ୍ରମଣରେ ଅଦ୍ୟାବଧି ୩,୭୬୮  ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୯ ଲକ୍ଷ ଲୋକ  ଘରଦ୍ୱାର ଛାଡ଼ି ପଳାୟନ କରିଥିଲେ ।