ନୂଆଦିଲ୍ଲୀ, ୮।୬: ବିଶ୍ୱ ଏବେ ଆଉ ଏକ ମହାଯୁଦ୍ଧର ଦ୍ୱାରଦେଶରେ ଠିଆ ହୋଇଛି । ଦୀର୍ଘ ଦିନର ସିଜଫାୟାର୍ ପରେ ମଧ୍ୟ-ପ୍ରାଚ୍ୟ ପୁଣି ଥରେ ରକ୍ତରଞ୍ଜିତ ହେବାକୁ ଯାଉଛି । ସିଜଫାୟାର୍‌କୁ ବେଖାତିର କରି ଇରାନ ଏବଂ ଇସ୍ରାଏଲ୍ ପରସ୍ପର ଉପରେ ପ୍ରତିଶୋଧମୂଳକ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି, ଯାହା ସମଗ୍ର ଅଞ୍ଚଳରେ ଯୁଦ୍ଧର ନିଆଁକୁ ଆହୁରି ଜଳାଇ ଦେଇଛି । ଆମେରିକାର ସମସ୍ତ ଚେଷ୍ଟା ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାରଣ ସତ୍ତ୍ୱେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଇରାନ ଉପରେ ଆକ୍ରମଣ କରିବାକୁ ପଛାଇ ନାହାନ୍ତି । ଏହି ସଂଘର୍ଷ ଏବେ ଏଭଳି ସ୍ଥିତିରେ ପହଞ୍ଚିଛି ଯେଉଁଠି ଉପସାଗରୀୟ ଅଞ୍ଚଳରେ ଥିବା ଆମେରିକାର ସାମରିକ ଘାଟିଗୁଡ଼ିକ ମଧ୍ୟ ବିପଦରେ ପଡ଼ିଯାଇଛନ୍ତି ।

ଏହି ସମଗ୍ର ବିବାଦ ଏବଂ ଆଗାମୀ ଭୟଙ୍କର ପରିସ୍ଥିତିକୁ ବୁଝିବା ପାଇଁ ୫ଟି ପ୍ରମୁଖ ପ୍ରଶ୍ନ ଓ ତାର ଉତ୍ତର:

୧. ଯେକୌଣସି ପରିସ୍ଥିତିରେ ବି ନେତନ୍ୟାହୁ ଯୁଦ୍ଧ କାହିଁକି ଚାହୁଁଛନ୍ତି ?

ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫେବୃଆରୀ ମାସ ଶେଷରେ ଆମେରିକା ଏବଂ ଇସ୍ରାଏଲ୍ ମିଳିତ ଭାବେ ଇରାନ ଉପରେ ଏକ ବଡ଼ ଆକ୍ରମଣ କରିଥିଲେ । ସେତେବେଳେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ଏହି ଆକ୍ରମଣ ପରେ ଇରାନରେ ସୈନ୍ୟ ବିଦ୍ରୋହ ହେବ । ଏହି ଆଶ୍ୱାସନା ଆଧାରରେ ଟ୍ରମ୍ପ ଆକ୍ରମଣ ପାଇଁ ଅନୁମତି ଦେଇଥିଲେ । ମାତ୍ର ଏତେ ବଡ଼ ରଣନୀତି ପରେ ବି ଇରାନରେ କୌଣସି ସୈନ୍ୟ ବିଦ୍ରୋହ ହେଲାନାହିଁ । ପରିଣାମ ସ୍ୱରୂପ, ଆମେରିକା ପୁଣି ଥରେ ଇରାନ ସହ କୂଟନୀତିକ ଆଲୋଚନା ଆରମ୍ଭ କଲା । ବର୍ତ୍ତମାନ ଆମେରିକା ଓ ଇରାନ ମଧ୍ୟରେ ଯେଉଁ ଚୁକ୍ତି ପାଇଁ ଆଲୋଚନା ଚାଲିଛି, ସେଥିରେ ଇସ୍ରାଏଲ୍‌ର ସ୍ୱାର୍ଥ ସୁରକ୍ଷିତ ଥିବା ଭଳି ମନେହେଉନାହିଁ । ଇସ୍ରାଏଲ୍ ଚାହୁଁଛି ଯେ ଇରାନ ସହ ଚୁକ୍ତିରେ ଏହି ୩ଟି ସର୍ତ୍ତ ରହୁ । ଇରାନ କେବେହେଲେ ଦୂରଗାମୀ କ୍ଷେପଣାସ୍ତ୍ର ନିର୍ମାଣ କରିବ ନାହିଁ । ଯଦି କରେ, ତେବେ ତାକୁ କଠୋର ଦଣ୍ଡ ଦିଆଯିବ । ଇରାନ ତାର ‘ଆକ୍ସିସ୍ ଅଫ୍ ରେଜିଷ୍ଟାନ୍ସ’ ଅର୍ଥାତ୍ ତାର ପ୍ରକ୍ସି ସଂଗଠନ ଯେପରିକି ହିଜବୁଲ୍ଲା, ହମାସ ଏବଂ ହୁତି ବିଦ୍ରୋହୀଙ୍କୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରୁ । ଇରାନ ସ୍ପଷ୍ଟ ଘୋଷଣା କରୁ ଯେ ସେ କଦାପି ପରମାଣୁ ଅସ୍ତ୍ର ତିଆରି କରିବ ନାହିଁ ଏବଂ ୟୁରେନିୟମ ସମୃଦ୍ଧିକରଣ  ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଉ ।

ମାତ୍ର ଆମେରିକା କେବଳ ପରମାଣୁ ଅସ୍ତ୍ର ଏବଂ ୟୁରେନିୟମ ଉପରେ ହିଁ ଆଲୋଚନା କରୁଛି । ଏହି ଆଲୋଚନାରୁ ଇସ୍ରାଏଲକୁ ଦୂରେଇ ରଖାଯାଇଥିବାରୁ ନେତନ୍ୟାହୁ ନିଜକୁ ଦୁର୍ବଳ ମନେ କରୁଛନ୍ତି । ଏହା ସହିତ ଇସ୍ରାଏଲରେ ଚଳିତ ବର୍ଷ ଶେଷ ଆଡ଼କୁ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଗାଜା ଏବଂ ଲେବାନନ୍ ମୋର୍ଚ୍ଚାରେ ଆଶାନୁରୂପ ସଫଳତା ନମିଳିବା ଯୋଗୁଁ ନେତନ୍ୟାହୁ ପୂର୍ବରୁ ହିଁ ବ୍ୟାକଫୁଟରେ ଅଛନ୍ତି । ସେଥିପାଇଁ ସେ ଭାବୁଛନ୍ତି ଯେ ଇରାନ ସହ ସିଧାସଳଖ ଯୁଦ୍ଧ ହେଲେ ଦେଶରେ ତାଙ୍କର ରାଜନୈତିକ ସ୍ଥିତି ପୁଣି ମଜଭୁତ ହୋଇପାରିବ ।

୨. ଆମେରିକା ଚାହିଁ ମଧ୍ୟ ଇସ୍ରାଏଲକୁ କାହିଁକି ରୋକିପାରୁନାହିଁ ?

ଅନ୍ତରାର୍ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ, "ମୁଁ ଯାହା କହିବି, ଇସ୍ରାଏଲ୍ ତାହା ହିଁ କରିବ । ମୁଁ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ଇରାନ ଉପରେ ଆକ୍ରମଣ ନ କରିବାକୁ ସ୍ପଷ୍ଟ ଭାବେ କହିଛି ।" ଟ୍ରମ୍ପଙ୍କ ଏହି କଡ଼ା ଚେତାବନୀ ସତ୍ତ୍ୱେ ଇସ୍ରାଏଲ୍ ଭୂମଧ୍ୟସାଗର ମାର୍ଗ ଦେଇ ଇରାନ ଉପରେ ବଡ଼ ଧରଣର ଏୟାରଷ୍ଟ୍ରାଇକ କରିଛି । ଏଠାରେ ପ୍ରଶ୍ନ ଉଠୁଛି ଯେ ସୁପରପାୱାର ଆମେରିକାର କଥାକୁ ଇସ୍ରାଏଲ୍ କାହିଁକି ଏଡ଼ାଇ ଦେଲା ? ପ୍ରକୃତ କଥା ହେଉଛି, ଇସ୍ରାଏଲ୍ ବର୍ତ୍ତମାନ ଲେବାନନ୍ ସୀମାରେ ଘେରି ରହିଛି । ସେଠାରେ ଇରାନ ସମର୍ଥିତ ହିଜବୁଲ୍ଲା ସଂଗଠନ କ୍ରମାଗତ ଭାବେ ଇସ୍ରାଏଲ ଉପରେ ରକେଟ୍ ମାଡ଼ କରୁଛି । ଯଦି ନେତନ୍ୟାହୁ ଏହି ଆକ୍ରମଣର ଜବାବ ନଦେବେ, ତେବେ ଦେଶ ଭିତରେ ତାଙ୍କର ରାଜନୈତିକ କ୍ୟାରିୟର ଶେଷ ହୋଇଯିବାର ଭୟ ରହିଛି । ନିଜର ସ୍ଥିତି ବଞ୍ଚାଇବା ପାଇଁ ସେ ଆମେରିକାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଯୁଦ୍ଧକୁ ଆହୁରି ବଢ଼ାଇ ଚାଲିଛନ୍ତି ।

୩. ପରମାଣୁ ଚୁକ୍ତି ଆଲୋଚନା ଏବେ କେଉଁ ସ୍ଥିତିରେ ଅଛି ?

ଇରାନର ଏକ ନ୍ୟୁଜ୍ ଏଜେନ୍ସି ମୁତାବକ, ଆମେରିକା ଦ୍ୱାରା ଦିଆଯାଇଥିବା ଏକ ପରମାଣୁ ଚୁକ୍ତି ପ୍ରସ୍ତାବ ଏବେ ଇରାନ ସରକାରଙ୍କ ବିଚାରାଧୀନ ଅଛି । କେଉଁ ସର୍ତ୍ତରେ ଏହି ଚୁକ୍ତି ସ୍ୱାକ୍ଷର ହେବ, ସେନେଇ ଇରାନକୁ ନିଷ୍ପତ୍ତି ନେବାକୁ ପଡ଼ିବ । ଆଶ୍ଚର୍ଯ୍ୟର କଥା ହେଉଛି, ଆମେରିକା ସିଧାସଳଖ ନୁହେଁ, ବରଂ ପାକିସ୍ତାନ ଜରିଆରେ ନିଜର ଗୁପ୍ତ ପ୍ରସ୍ତାବ ଇରାନ ପାଖକୁ ପଠାଇଛି । ଏହି କୂଟନୀତିକ ପ୍ରକ୍ରିୟା ଅଧୀନରେ ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭୀ ତେହେରାନ ଗସ୍ତ କରିଛନ୍ତି । ସେ ସେଠାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ଏକ ସ୍ୱତନ୍ତ୍ର ଚିଠି ଇରାନ ସରକାରଙ୍କୁ ହସ୍ତାନ୍ତର କରିଛନ୍ତି । ବର୍ତ୍ତମାନ ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଆଲୋଚନାରେ ପାକିସ୍ତାନ ଏକ ସରକାରୀ ମଧ୍ୟସ୍ଥି ବା ଦୂତ ସାଜିଛି ।

୪. ଉଭୟ ଦେଶଙ୍କ ଚୁକ୍ତି ମଧ୍ୟରେ କେଉଁ ସବୁ ବିବାଦୀୟ ପ୍ରସଙ୍ଗ ରହିଛି ?

ଆମେରିକା ଓ ଇରାନ ମଧ୍ୟରେ ହେବାକୁ ଥିବା ଚୁକ୍ତିରେ କେତେକ ଜଟିଳ ପ୍ରସଙ୍ଗ ଫସି ରହିଛି ।

ସମ୍ପୂର୍ଣ୍ଣ ଅଞ୍ଚଳରେ ସିଜ୍‌ଫାୟାର୍: ଇରାନର କହିବା କଥା ହେଉଛି ଯେ ଯଦି ପରମାଣୁ ଚୁକ୍ତି ହେବ, ତେବେ ତାହା କେବଳ ଇରାନ ପାଇଁ ନୁହେଁ, ବରଂ ସମଗ୍ର ‘ଆକ୍ସିସ ଅଫ୍ ରେଜିଟାନ୍ସ’ ଲେବାନନ୍, ୟେମେନ ଏବଂ ଗାଜା ପାଇଁ ଲାଗୁ ହେବା ଦରକାର । ଅର୍ଥାତ୍ ଏହି ସମସ୍ତ ସ୍ଥାନରେ ଯୁଦ୍ଧ ବନ୍ଦ ହେବା ଉଚିତ୍ ।

ୟୁରେନିୟମ ହସ୍ତାନ୍ତର: ଇରାନ ତାର କଷ୍ଟଲବ୍ଧ ସମୃଦ୍ଧ ୟୁରେନିୟମ ଆମେରିକାକୁ ହସ୍ତାନ୍ତର କରିବାକୁ ସେତିକି ସହଜରେ ରାଜି ହେଉନାହିଁ ।

ଜବତ ଅର୍ଥ ଫେରସ୍ତ: ଇରାନ ଦାବି କରିଛି ଯେ ଆମେରିକା ପୂର୍ବରୁ ଜବତ କରି ରଖିଥିବା ଇରାନର କୋଟି କୋଟି ଟଙ୍କାର ସମ୍ପତ୍ତି ଓ ପାଣ୍ଠିକୁ ପ୍ରଥମେ ମୁକ୍ତ କରୁ । କିନ୍ତୁ, ଆମେରିକାର ସର୍ତ୍ତ ହେଉଛି ଯେ ଚୁକ୍ତିନାମାରେ ସ୍ୱାକ୍ଷର ହେବା ପରେ ହିଁ ଏହି ସବୁ ଟଙ୍କା ଫେରସ୍ତ କରାଯିବ ।

୫. ଯଦି ପୁଣି ଥରେ ଯୁଦ୍ଧ ଆରମ୍ଭ ହୁଏ, ତେବେ ପରିଣାମ କ’ଣ ହେବ ?

ଯଦି ଏହି ସଂଘର୍ଷ ମହାଯୁଦ୍ଧର ରୂପ ନିଏ, ତେବେ ଏହାର ପରିଣାମ ସମଗ୍ର ବିଶ୍ୱକୁ ଭୋଗିବାକୁ ପଡ଼ିବ । ଯୁଦ୍ଧ ଆରମ୍ଭ ହେଲେ ଇରାନ ସର୍ବପ୍ରଥମେ ‘ବାବ୍ ଅଲ୍-ମାଣ୍ଡେବ୍’ ସାମୁଦ୍ରିକ ପଥକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚେଷ୍ଟା କରିବ । ରେଡ୍ ସିରୁ ଓମାନ ଗଲ୍ଫକୁ ସଂଯୋଗ କରୁଥିବା ଏହି ବାଣିଜ୍ୟିକ ମାର୍ଗ ବିଶ୍ୱ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମଗ୍ର ବିଶ୍ୱର ପ୍ରାୟ ୧୫% ବାଣିଜ୍ୟ ଏହି ରାସ୍ତା ଦେଇ ହୋଇଥାଏ । ଏହା ସହିତ ଇରାନ ‘ହୋର୍ମୁଜ ପ୍ରଣାଳୀ’ କୁ ମଧ୍ୟ ଘେରାବନ୍ଦୀ କରିବ । ଏହା ଦ୍ୱାରା ଏସିଆ, ୟୁରୋପ ଏବଂ ଆଫ୍ରିକା ମହାଦେଶରେ ଅଶୋଧିତ ତେଲ ଓ ଗ୍ୟାସର ଭୟଙ୍କର ସଙ୍କଟ ଦେଖାଦେବ । ବିଶ୍ୱ ବଜାରରେ ତେଲ ଦର ଆକାଶଛୁଆଁ ହେବ ଏବଂ ଅର୍ଥନୀତି ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିବ । ମୋଟାମୋଟି ଭାବେ କହିବାକୁ ଗଲେ, ନେତନ୍ୟାହୁଙ୍କ ରାଜନୈତିକ ଜିଦ୍ ଏବଂ ଇରାନର ପ୍ରତିଶୋଧ ପରାୟଣତା ମଧ୍ୟ-ପ୍ରାଚ୍ୟକୁ ଏକ ଏଭଳି ବିପଜ୍ଜନକ ମୋଡ଼କୁ ନେଇଯାଇଛି, ଯାହାକୁ ସମ୍ଭାଳିବା ଆମେରିକା ପାଇଁ ମଧ୍ୟ ଅସମ୍ଭବ ହୋଇପଡ଼ିଛି ।

ଆହୁରି ପଢ଼ନ୍ତୁ... Breaking News: ରନୱେରେ ପିଟି ହେଲା ବିମାନ, ଚାହୁଁଚାହୁଁ ପାଲଟିଲା ନିଆଁ ପିଣ୍ଡୁଳା; କ୍ରାସରେ ୨ ପାଇଲଟଙ୍କ ମୃତ୍ୟୁ, ଦେଖନ୍ତୁ ଭିଡିଓ !