ଭୁବନେଶ୍ବର,୨୩।୭ : ସାଧାରଣ ଲୋକଙ୍କ ରୋଷେଇ ଘରେ ପୁଣି ବାଜିଛି ମହଙ୍ଗା ମାଡ଼ । ଏବେ ଚିନି ଦରରେ ଲାଗିଛି ନିଆଁ । କିଛି ଦିନ ମଧ୍ୟରେ କିଲୋପ୍ରତି ଚିନି ଦର ୫ ରୁ ୮ ଟଙ୍କା ବୃଦ୍ଧି ପାଇବା ପରେ ଗ୍ରାହକଙ୍କ ପକେଟ୍ରେ ବଡ଼ ପ୍ରଭାବ ପଡ଼ିଛି । ଚା' କପ୍ରୁ ଆରମ୍ଭ କରି ଦୈନନ୍ଦିନ ଖାଦ୍ୟପେୟ ପର୍ଯ୍ୟନ୍ତ, ସବୁଠି ଏବେ ଚିନିର ତାତି । ।

ପୁଣି ବିଗିଡ଼ିଲା ସାଧାରଣ ଓ ଗରିବ ଲୋକଙ୍କ ଖାଉଟି ବଜେଟ୍, ପୁଣି ଚିନ୍ତାରେ ସାଧାରଣ ଖାଉଟି । ଆବଶ୍ୟକ ସାମଗ୍ରୀ ତାଲିକାରେ ଥିବା ଚିନି ଏବେ ସାଧାରଣ ଲୋକଙ୍କ ପାଇଁ ହୋଇଗଲାଣି ମହଙ୍ଗା । ବଜାରରେ ହଠାତ୍ ଚିନି କିଲୋପ୍ରତି ୪୦ ରୁ ୪୨ ଟଙ୍କାରୁ ବୃଦ୍ଧି ପାଇ ୫୨ ରୁ ୫୩ ଟଙ୍କାରେ ପହଞ୍ଚିଛି । ଖୁଚୁରା ବଜାରରେ କେତେକ ସ୍ଥାନରେ ଏହା ୫୫ ଟଙ୍କା ଛୁଇଁବାକୁ ବସିଲାଣି । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କେବଳ ଘରୋଇ ଗ୍ରାହକ ନୁହଁନ୍ତି, ଚିନି ଦର ବୃଦ୍ଧି ଯୋଗୁଁ ଚା' ଦୋକାନୀ ଓ ମିଠା ବ୍ୟବସାୟୀ ମଧ୍ୟ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପାଇକାରୀ ବଜାରରୁ ହିଁ ଦର ବଢ଼ି ଆସୁଥିବା କହିଛନ୍ତି ଦୋକାନୀ । ବ୍ୟବସାୟୀ କହିଛନ୍ତି ଆମେ ପାଇକାରୀ ମାଲ୍ ଆଣିଲା ବେଳକୁ ହିଁ ବସ୍ତା ପ୍ରତି ଦର ବଢ଼ିଯାଇଛି । ଆମେ ନିଜ ଆଡ଼ୁ ଦାମ୍ ବଢ଼ାଉନାହୁଁ । ଦର ବଢ଼ିବା ଯୋଗୁଁ ଗ୍ରାହକମାନେ କମ୍ ପରିମାଣର ଜିନିଷ ନେଉଛନ୍ତି, ଯାହାଦ୍ୱାରା ଆମ ବ୍ୟବସାୟ ବି ପ୍ରଭାବିତ ହେଉଛି । ଆଉ ଗ୍ରାହକଙ୍କ ମନରେ ଦର ବଢ଼ିବାକୁ ନେଇ ନାହିଁ ନଥିବା ଅସନ୍ତୋଷ । କେଜି ପିଛା ୮ ରୁ ୧୦ ଟଙ୍କା ବଢ଼ିଲେ କେମିତି ଚଳିବୁ ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଲୋକେ ।

ଗୋଟିଏ ପଟେ ପନିପରିବା ଦର ନିୟନ୍ତ୍ରଣ ବାହାରେ ଥିବା ବେଳେ, ଅନ୍ୟପଟେ ଚିନି ଦର ବୃଦ୍ଧି ସାଧାରଣ ଲୋକଙ୍କ କାନ୍ଧରେ ଅତିରିକ୍ତ ବୋଝ ଲଦିଦେଇଛି । ଯଦି ଶୀଘ୍ର ଚିନି କଳ ଓ ପାଇକାରୀ ବଜାରରେ କଳାବଜାରୀ ଉପରେ ରୋକ୍ ନଲଗାଯାଏ, ତେବେ ଆଗାମୀ ଦିନରେ ଦର ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ବ୍ୟବସାୟୀ ସଂଘ ସଭାପତି ସୁଧାକର ପଣ୍ଡାଙ୍କ କହିବା କଥା ଚିନି ଦର ବଢ଼ିବାର ଦୁଇଟି ମୁଖ୍ୟ କାରଣ ହେଉଛି ଇଥାନଲ ମିଶ୍ରିତ ପେଟ୍ରୋଲ, ଯେଉଁଥିରେ ପରିବହନ ବାଧାପ୍ରାପ୍ତ ହୋଇଛି । ଯାହା ପାଇଁ ଦର ଦାମ୍ ବଢ଼ିଛି । ଏବଂ ଅନ୍ୟପଟେ ଏ ବର୍ଷ ଏଲନିନୋ ଆକଳନ ଯାହା ଦ୍ୱାରା କମ ବର୍ଷା ହେବାର ସମ୍ଭାବନା ରହିଛି ଆଉ ଯେଉଁଥିପାଇଁ ଆଖୁ ଉତ୍ପାଦନ କମ ହୋଇପାରେ । ତେଣୁ ଚିନିର ଦର ବଢ଼ିବା ସ୍ୱାଭାବିକ। ଓଡ଼ିଶା ମୁଖ୍ୟତଃ କର୍ଣ୍ଣାଟକ ଓ ମହାରାଷ୍ଟ୍ର ରୁ ଚିନି ଆମଦାନୀ କରିଥାଏ । ଓଡ଼ିଶା ୯୯ ଭାଗ ବାହାର ରାଜ୍ୟ ଉପରେ ନିର୍ଭର କରେ ଚିନି ପାଇଁ । ଆମ ପାଖରେ ଆବଶ୍ୟକ ଅନୁଯାୟୀ ଚିନି ପହଞ୍ଚି ପାରୁନାହିଁ ବୋଲି ଏମିତି ସ୍ଥିତି ଦେଖା ଦେଉଛି ବୋଲି କହିଛନ୍ତି ବ୍ୟବସାୟୀ ସଂଘ ସଭାପତି ସୁଧାକର ପଣ୍ଡା ।

ଆହୁରି ପଢନ୍ତୁ : ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନୂତନ ପଦବୀକୁ ମଞ୍ଜୁରୀ, ନିଯୁକ୍ତ ହେବେ ପ୍ରଫେସର, ଆସୋସିଏଟ ପ୍ରଫେସର