ତେହେରାନ/ତେଲ୍‌ ଆଭିଭ୍‌, ୦୯/୦୩ : ତେଜୁଛି ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ। ଇସ୍ରାଏଲ ରବିବାର ତେହେରାନ ଓ ଅନ୍ୟ କେତେକ ସହର ଉପରେ ପ୍ରଚଣ୍ଡ ବୋମା ବର୍ଷିଛି । ବିଶେଷ କରି ଇରାନର ତୈଳ ଡିପୋ ଓ ରିଫାଇନାରୀକୁ ଟାର୍ଗେଟ କରି ଇସ୍ରାଏଲ ଆକ୍ରମଣ କରିଛି । ଫଳରେ ତେହେରାନରେ କଳା ବର୍ଷା ହେବା ସହ ସାରା ସହର ତେଲରେ ଭାସିଛି । ଅନ୍ୟପକ୍ଷରେ ଇରାନ ମଧ୍ୟ ଏହାର ଜବାବୀ ଆକ୍ରମଣ କରିଛି । ପଡୋଶୀ ବାହାରିନ, କୁଏତ ଓ ୟୁଏଇରେ ଥିବା ଆମେରିକା ଘାଟିକୁ ଟାର୍ଗେଟ କରି ଡ୍ରୋନ ଓ ମସାଇଲ ମାଡ଼ କରିଛି । ଇସ୍ରାଏଲ ଓ ଆମେରିକା ବାୟୁସେନା ମିଳିତ ଭାବେ ତେହେରାନରେ ଥିବା ୪ଟି ତୈଳ ଡିପୋ ଓ ରିଫାଇନାରୀକୁ ଟାର୍ଗେଟ କରି ବୋମା ମାଡ଼ କରିଛନ୍ତି । ଏହି ଡିପୋରୁ ଇରାନର ସାମରିକ ବାହିନୀ ଓ ପ୍ରତିଷ୍ଠାନକୁ ତୈଳ ଯୋଗାଯାଉଥିବାରୁ ତାକୁ ଟାର୍ଗେଟ କରି ଧ୍ୱଂସ କରିଦିଆଯାଇଛି । ତେହେରାନର ଶହରାନରେ ଥିବା ତୈଳ ରିଫାଇନାରୀ, ଉତ୍ତର-ପୂର୍ବରେ ଥିବା ଅଘଧାଶେ ତୈଳ ଭଣ୍ଡାର, ଦକ୍ଷିଣରେ ଥିବା ତେହେରାନ ରିଫାଇନାରୀ ଓ କରଜ ସହରରେ ଥିବା ତୈଳ ଭଣ୍ଡାରକୁ ଟାର୍ଗେଟ କରି ବିମାନ ଆକ୍ରମଣ କରାଯାଇଛି । 

ଶହରାନ ତୈଳ ରିଫାଇନାରୀରେ ପ୍ରଚଣ୍ଡ ବିସ୍ଫୋରଣ ହେବା ଯୋଗୁଁ ନିଆଁ ଲାଗି ଯାଇଥିଲା । ବହୁଦୂର ପର୍ଯ୍ୟନ୍ତ ନିଆଁ ଓ ଧୂଆଁ ଉଠିଥିଲା । ଆକ୍ରମଣ ପରେ ସମଗ୍ର ସହରରେ କଳା ବାଦଲର ଆସ୍ତରଣ ଦେଖାଯିବା ସହ କଳା ବର୍ଷା ମଧ୍ୟ ହୋଇଥିଲା । ଯାହାକୁ ଏସିଡ୍‌ ବର୍ଷା ବୋଲି କୁହାଯାଉଛି । କାରଣ ତୈଳ ରିଫାଇନାରୀରେ ବିସ୍ଫୋରଣ ଯୋଗୁ ବିଷାକ୍ତ ହାଇଡ୍ରୋକାର୍ବନ କମ୍ପାଉଣ୍ଡ, ସଲଫର ଓ ନାଇଟ୍ରୋଜେନ ଅକ୍ସାଇଡ୍‌ ନିର୍ଗତ ହୋଇ ବାୟୁରେ ମିଶିଯାଇଥିଲା । ଏଭଳି ବର୍ଷାକୁ ନେଇ ଲୋକମାନେ ଭୟଭୀତ ହୋଇପଡିଥିଲେ । ଇରାନ ସରକାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ସହ ଘର ଭିତରେ ରହିବାକୁ ପରାମର୍ଶ ଦେଇଛନ୍ତି । ଏହି ରିଫାଇନାରୀ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଆକ୍ରମଣ ପରେ ଏହି ରିଫାଇନାରୀରୁ ତୈଳ ଲିକ୍‌ ହୋଇ ସହର ସାରା ମାଡିଯାଇଥିଲା । ଏପରିକି ରାସ୍ତା କଡରେ ଥିବା ନାଳରେ ତେଲ ବୋହିବା ସହ ସେଥିରେ ନିଆଁ ମଧ୍ୟ ଲାଗିଯାଇଥିଲା । ସେହିଭଳି ଇରାନର ନଜଫାବାଦ ସହରରେ ଆମେରିକା ଓ ଇସ୍ରାଏଲର ଡବଲ ମିସାଇଲ ମାଡ଼ ହୋଇଛି । ଏଥିରେ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୫୦ରୁ ଅଧିକ ଆହତ ହୋଇଛନ୍ତି । 

ସୂଚନା ଅନୁସାରେ ପ୍ରଥମେ ଗୋଟିଏ ମିସାଇଲ ଏକ ଆବାସିକ ଅଟ୍ଟାଳିକାରେ ପଡିଥିଲା । ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଭାଙ୍ଗି ଯାଇଥିବା କୋଠାରୁ ମୃତାହତଙ୍କୁ ବାହାର କରୁଥିବା ବେଳେ ସେହି ସମୟରେ ଆଉ ଏକ ମିସାଇଲ ମାଡ଼ ହୋଇଥିଲା । ଦ୍ୱିତୀୟ ମିସାଇଲ ଯୋଗୁ ଅଧିକ ଲୋକ ମୃତାହତ ହୋଇଛନ୍ତି । ଇରାନ ଯୁଦ୍ଧ ଯୋଗୁ ଏପର୍ଯ୍ୟନ୍ତ ମୋଟ ୧୭୦୧ ଜଣଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ କେବଳ ଇରାନରେ ୧୩୩୨ ଜଣ ଅଛନ୍ତି । ଇରାନର ମୋଟ ୬୬୬୮ ବେସାମରିକ ଅଞ୍ଚଳକୁ ଟାର୍ଗେଟ କରାଯାଇଛି । ଆକ୍ରମଣରେ ୫,୫୦୦ରୁ ଅଧିକ ଘର ଓ ୧ ହଜାରରୁ ଅଧିକ ଦୋକାନ ନଷ୍ଟ ହୋଇଛି । ସେହିଭଳି ୧୪ ହସ୍ପିଟାଲ ଏବଂ ୬୫ଟି ସ୍କୁଲକୁ ଟାର୍ଗେଟ କରି ଆମେରିକା ଓ ଇସ୍ରାଏଲ ସେନା ଆକ୍ରମଣ କରିଛନ୍ତି । ଅନ୍ୟପକ୍ଷରେ ଇରାନ ଆଜି ବାହାରିନ୍‌ ଉପରେ ଡ୍ରୋନ୍‌ ଆକ୍ରମଣ କରିଛି । ସେଠାରେ ଥିବା ଆମେରିକାର ସାମରିକ ଘାଟିକୁ ଟାର୍ଗେଟ କରିଛି । ତେବେ ବାହାରିନ ଅଭିଯୋଗ ଆଣିଛି ଯେ, ଇରାନ ଡ୍ରୋନ୍‌ ଜରିଆରେ ଦେଶର ଏକ ଜଳ ବିଶୋଧନାଗାରକୁ ଟାର୍ଗେଟ କରିଛି । ଏଥିଯୋଗୁ ଉକ୍ତ ଜଳ କାରଖାନା କ୍ଷତିଗ୍ରସ୍ତ ହୋଇଛି । ଇରାନ ଆଖିବୁଜା ସାଧାରଣ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଅନୁଷ୍ଠାନ, ଭିତ୍ତିଭୂମିକୁ ଆକ୍ରମଣ କରୁଥିବା ବାହାରିନ କହିଛି । 

ସେହିଭଳି ଇରାନ ପୁଣି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଉପରେ ମିସାଇଲ ଏବଂ ଡ୍ରୋନ୍‌ ଯୋଗେ ଆକ୍ରମଣ କରିଛି । ୟୁଏଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିବା ଅନୁସାରେ, ଇରାନ ପଟୁ ଆସିଥିବା ମିସାଇଲ ଏବଂ ଡ୍ରୋନଗୁଡ଼ିକୁ ଆକାଶରେ ହିଁ ନଷ୍ଟ କରାଯାଇଛି । ଅନେକ ସ୍ଥାନରେ ଶୁଣିବାକୁ ମିଳିଥିବା ବିସ୍ଫୋରଣ ଭଳି ଶବ୍ଦ ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ମିସାଇଲ ଏବଂ ଡ୍ରୋନ୍‌ ଇଣ୍ଟରସେପ୍ଟ ଯୋଗୁ ବାହାରୁଛି ।   ସେହିପରି ଇସ୍ରାଏଲର ତେଲଆଭିଭ୍‌ ଏବଂ ବେର୍ଶବା ସହରରେ ଥିବା ସୈନ୍ୟ ଠିକଣାକୁ ଇରାନ ମିସାଇଲ ଦ୍ୱାରା ଟାର୍ଗେଟ କରିଥିବା କହିଛି । ଏଥିସହ ଜୋର୍ଡାନରେ ଏକ ଆମେରିକୀୟ ଏୟାରବେସ୍‌ ଉପରେ ବି ଏକାଧିକ ବାର ଆକ୍ରମଣ କରାଯାଇଥିବା ଇରାନର ଇସ୍‌ଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍‌ (ଆଇଆର୍‌ଜିସି) ଦାବି କରିଛି । ଏଥିସହ ଇରାନ ପୁଣି ସାଉଦି ଆରବ, କାତାର, କୁଏତରେ ମଧ୍ୟ ଆକ୍ରମଣ କରିଛି । କୁଏତ ଉପରେ ଗତ ୨୪ ଘଣ୍ଟାରେ ଇରାନ ୨୩୪ ମିସାଇଲ ଓ ୪୨୨ ଡ୍ରୋନ ଆକ୍ରମଣ କରିଛି । ଏଥିରେ ଗୋଟିଏ ସରକାରୀ ଟାୱାର ଓ ଆନ୍ତର୍ଜାତିକ ବିମାନବନ୍ଦରରେ ନିଆଁ ଲାଗିଯାଇଛି । ଫଳରେ ଉକ୍ତ ଟାୱାର ଓ ବିମାନବନ୍ଦର କ୍ଷତିଗ୍ରସ୍ତ ହୋଇଛି । ନିଆଁକୁ ଆୟତ୍ତ କରାଯାଇଛି । ଏହି ଆକ୍ରମଣରେ କୁଏତରେ ୫ ଜଣଙ୍କର ମୃତ୍ୟୁ ହୋଇଛି ।

ଏହି ଖବରଟିକୁ ପଢନ୍ତୁ- UAE ଉପରେ ୧୬ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ୧୧୭ ରୁ ଅଧିକ ଡ୍ରୋନ୍ ନିକ୍ଷେପ କଲା ଇରାନ, ଆମେରିକାର ଘାଟି ଉପରେ ଆକ୍ରମଣ କରିବାକୁ ଦେଲା ଧମକ...