ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ରାଷ୍ଟ୍ରକୁ ସମ୍ବୋଧିତ କରିବା ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡା ଜବାବ ଦେଇଛନ୍ତି। ତାଙ୍କ ଭାଷଣ ପରେ ତୁରନ୍ତ ଇସ୍ରାଏଲୀ ବାୟୁସେନା ତେହେରାନର ଲଭିଜାନ ଅଞ୍ଚଳରେ ବିମାନ ଆକ୍ରମଣ କରିଥିଲା। ତେବେ ଲଭିଜାନକୁ ଖାମେନିଙ୍କ ଗୁପ୍ତ ଆଡ୍ଡା ବୋଲି ବିବେଚନା କରାଯାଏ।
ଟାଇମ୍ସ ଅଫ୍ ଇସ୍ରାଏଲ ରିପୋର୍ଟ ଅନୁସାରେ, ଇସ୍ରାଏଲୀ ସେନା ତେହେରାନର ନାବାନ୍ୟାଦ ସ୍କୋୟାରକୁ ଟାର୍ଗେଟ କରିଥିଲା, ଯେଉଁ ଠାରେ ଇରାନ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖ୍ୟାଳୟ ଏବଂ ଅନେକ କାରଖାନା ଅବସ୍ଥିତ। ଇସ୍ରାଏଲୀ ସେନା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଏବଂ କହିଛି ଯେ, ଲଭିଜାନ ଅଞ୍ଚଳରେ ବୋମା ମାଡ଼ ହେବା ସମୟରେ ଏହା ତେହେରାନର ସାମରିକ ଘାଟି ଉପରେ ଆକ୍ରମଣ କରୁଥିଲା।
ଇସ୍ରାଏଲ ସେନା କହିଛି ଯେ ସାଧାରଣ ସୁରକ୍ଷା ନିର୍ଦ୍ଦେଶାବଳୀରେ ସ୍କୁଲ ବନ୍ଦ ଏବଂ ଅନ୍ୟାନ୍ୟ କଟକଣା ବାଧ୍ୟତାମୂଳକ କରାଯାଇଛି। ଏହି ପରିବର୍ତ୍ତନ ଗୁଡ଼ିକ ଜୁନ୍ ୨୦ ରାତି ୮ ଟା ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିବ। ଇସ୍ରାଏଲ ଅନୁଯାୟୀ,IDF ଇରାନୀ ଆଭ୍ୟନ୍ତରୀଣ ସୁରକ୍ଷା ଏଜେନ୍ସି ମୁଖ୍ୟାଳୟକୁ ନଷ୍ଟ କରିଦେଇଛି।
ଖାମେନିଙ୍କ ଆଡ୍ଡା ଉପରେ ଇସ୍ରାଏଲୀ ପ୍ରତିରକ୍ଷା ବାହିନୀର ଏହି ଆକ୍ରମଣ ଏପରି ସମୟରେ ହୋଇଛି ଯେତେବେଳେ କିଛି ସମୟ ପୂର୍ବରୁ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରି କହିଥିଲେ ଯେ ଇରାନ ଆତ୍ମସମର୍ପଣ କରିବ ନାହିଁ। ଇରାନର ସର୍ବୋଚ୍ଚ ନେତା ଖାମେନି ଆମେରିକାକୁ ଚେତାବନୀ ଦେଇଥିଲେ ଯେ ଯଦି ଆମେରିକୀୟ ସେନା ଇସ୍ରାଏଲୀ ଆକ୍ରମଣରେ ଯୋଗ ଦିଏ, ତେବେ ଆମେ ସେମାନଙ୍କୁ ଏପରି କ୍ଷତି ପହଞ୍ଚାଇବୁ ଯାହା ସେମାନେ କଳ୍ପନା ମଧ୍ୟ କରିପାରିବେ ନାହିଁ।