ଭୁବନେଶ୍ୱର,୫/୧୨: ଇନ୍ଫର୍ମେଶନ ଟେକ୍ନୋଲୋଜି ଆସୋସିଏସନ ଅଫ୍ ଓଡ଼ିଶା (ଇଟାଓ) ପକ୍ଷରୁ ୨ ଦିନିଆ ବାର୍ଷିକ ସମ୍ମିଳନୀ "ମନ୍ଥନ' ଥାଇଲାଣ୍ଡର ଫୁକେତ୍ଠାରେ ଅନୁଷ୍ଠିତ ହୋଇଛି । ଇଟାଓ ସଭାପତି ଅବିନାଶ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଆଇଟି କ୍ଷେତ୍ରରେ କ୍ଷୁଦ୍ର ବ୍ୟବସାୟୀ ଏବଂ ଭିନ୍ନକ୍ଷମ ଓ ସାମାଜିକ ବିକାଶ ପାଇଁ କାର୍ଯ୍ୟକୁ ବ୍ୟାପକ କରିବା ଦିଗରେ ବର୍ଷ ୨୦୨୬କୁ ଉତ୍ସର୍ଗ କରିଛି ।
ଇଟାଓ ପ୍ରତିବର୍ଷ ଏହାର ଅଂଶୀଦାରଙ୍କୁ ନେଇ ଦେଶ ବାହାରେ ବାର୍ଷିକ ସମ୍ମିଳନୀ ଆୟୋଜନ କରୁଛି । ଚଳିତ ବର୍ଷ ମନ୍ଥନର ଏହା ଥିଲା ସପ୍ତମ ସଂସ୍କରଣ । ଏଠାରେ ସଂଘର ଦୃଢ଼ୀକରଣ ସହ ଶିଳ୍ପ କ୍ଷେତ୍ରର ସମ୍ଭାବନା, ଆହ୍ୱାନ ଏବଂ ଅଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଚର୍ଚ୍ଚା କରାଯାଇଥିଲା । ସେହିଭଳି ଏଆଇ ଯୋଗୁ ଆଇଟି କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ମଧ୍ୟ ଅଂଶୀଦାରମାନେ ବୈଠକରେ ବ୍ୟାପକ ଚର୍ଚ୍ଚା କରିଥିଲେ । ଏ ଅବସରରେ ଦିବ୍ୟାଙ୍ଗଙ୍କ ଉନ୍ନତି ପାଇଁ କାର୍ଯ୍ୟରତ ରାଜାମଣି ଏନ୍ଜିଓକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଆଇଟି କ୍ଷୁଦ୍ର ଡିଲର, ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କ ଏବଂ ସାମାଜିକ ମଙ୍ଗଳ ଦିଗରେ ୨୦୨୬ରୁ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ଅନୁଷ୍ଠାନ ଲକ୍ଷ୍ୟ ରଖିଥିବା ଇଟାଓର ସଭାପତି ଅବିନାଶ ପଟ୍ଟନାୟକ କହିଛନ୍ତି ।
କାର୍ଯ୍ୟକ୍ରମରେ ଉପସଭାପତି ରଞ୍ଜିତ ପଣ୍ଡା, ସମ୍ପାଦକ ଦେବାଶିଷ ତ୍ରିପାଠୀ, ଯୁଗ୍ମ ସମ୍ପାଦକ ଭବାନି ଶଙ୍କର ଦେବତା, କୋଷାଧ୍ୟକ୍ଷ ରାଧାକାନ୍ତ ଭଟ୍ଟରାଏ, ସହ-କୋଷାଧ୍ୟକ୍ଷ ଶଶିକାନ୍ତ ମୁଦୁଲି, ବରିଷ୍ଠ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ ସ୍ୱାଇଁ, ରାଜେଶ ନନ୍ଦ, ଅରୁଣ ଦେ, ସିପି ପ୍ଲସ ଡିଜିଏମ୍ ରଣବିଜୟ ତିୱାରି, ସଲିଟାୟାର୍ର ସିଇଓ ରମ୍ୟା ଚାଟାର୍ଜୀ, ୱାର୍ଡୱିଜର ପ୍ରଡକ୍ଟ ମ୍ୟାନେଜର ସଞ୍ଜୟ ଘିଲାନି ଏବଂ ଗିଗାବାଇଟର ରଷଭ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।