ଭୁବନେଶ୍ୱର, ୦୪/୦୭(ଅମନ ଆୟୁଷ୍ମାନ ଦାସ): ପଣସ ଚାଷୀଙ୍କ ପାଇଁ ଖୁସି ଖବର । ଥରେ ନୁହେଁ ବର୍ଷକୁ ଦୁଇ ଥର ଫଳିବ । ଦେଶୀ ପଣସଠୁ ବି ବଡ଼ । ଏ ପଣସ ହେଉଛି ପାଲୁର ପଣସ (ପାଲୁର ୧) । ଏବେ ଓଡ଼ିଶାରେ ଏହି ଉନ୍ନତ ତଥା ଅଧିକ ଅମଳକ୍ଷମ ପଣସ ବିହନ ଆସିଛି । ଦକ୍ଷିଣ ଭାରତରେ ଏହି ପଣସ ଲୋକପ୍ରିୟ ହେବା ପରେ ଏବେ ଓଡ଼ିଶା ଚାଷୀଙ୍କ ପସନ୍ଦ ପାଲଟିବାକୁ ଯାଉଛି । ଆସନ୍ତାକାଲି ପଣସ ଦିବସ ପାଳନ ହେଉଥିବାବେଳେ ଏହି ପାଲୁର ପଣସ ଚର୍ଚ୍ଚାର ବିଷୟ ହୋଇଛି ।

ପାଲୁର ପଣସ ପ୍ରଥମେ ଏପ୍ରିଲ ଜୁନ୍ (ଖରାଦିନ) ଓ ପରେ ନଭେମ୍ବର ଡିସେମ୍ବର(ଶୀତଦିନ)ରେ ଅମଳ ହେବ । ବର୍ଷକୁ ୬୦ରୁ ୮୦ଟି ଫଳ ଆସିବ । ସର୍ବାଧିକ ୧୨ କେଜି ପର୍ଯ୍ୟନ୍ତ ଓଜନର ପଣସ ଉତ୍ପାଦନ ହେବ । ଏହା ମିଠା ଓ ଖଜା ଭଳି ଲାଗିବ । ତାମିଲନାଡ଼ୁରେ ଏହି ପଣସ ଗଛକୁ ବିକଶିତ କରାଯାଇଥିଲା ।

ଭୁବନେଶ୍ୱର ଉପକଣ୍ଠ ଡେରାସ ସ୍ଥିତ ଉଦ୍ୟାନ କୃଷି କେନ୍ଦ୍ର(ସେଣ୍ଟର ଅଫ୍ ଏକ୍ସଲେନ୍ସ)ରେ ୧୫୦୦ ପାଲୁର-୧ ପଣସ ଗଛ ଲଗାଯାଇଛି । ୨ ବର୍ଷ ତଳେ ଗଛ ଚାରା ରୋପଣ ହୋଇଥିବା ବେଳେ ଏବେ ଫଳ ଧରିଲାଣି । ଏହି ପଣସର ଦର ମଧ୍ୟ ସାଧାରଣ ପଣସ ତୁଳନାରେ ଅଧିକ । ସେଥିପାଇଁ ଏହା ଲାଭଜନକ ପଣସ । ଖୁବଶୀଘ୍ର ଏହାର ଚାରାକୁ ବଜାରୀକରଣ କରାଯିବ ବୋଲି ଉଦ୍ୟାନକୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ପଣସରୁ ଅଟା, ଚୁନା, ଆଚାର, ପାମ୍ପଡ ଭଳି ୧୦୦ ପ୍ରକାର ଖାଦ୍ୟ ପ୍ରସ୍ତୁତ ହୋଇପାରିବ ।

ରାଜ୍ୟରେ ପଣସକୁ ଲାଭଜନକ ବ୍ୟବସାୟରେ ପରିଣତ କରିବା ପାଇଁ ସରକାର ପଣସ ମିଶନ ଗଢ଼ିଛନ୍ତି । ଏହି ମିଶନରେ ପ୍ରଥମେ ୯ଟି ଜିଲ୍ଲାକୁ ସାମିଲ କରାଯାଇଥିବା ବେଳେ ଏବର୍ଷ ଆଉ ଦୁଇ ଜିଲ୍ଲାକୁ ସାମିଲ କରାଯାଇଛି । ଏସବୁ ଜିଲ୍ଲା ହେଲେ ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, କନ୍ଧମାଳ, ଗଜପତି, ସୁନ୍ଦରଗଡ଼, ଅନୁଗୁଳ, ବଲାଙ୍ଗିର ଓ ବରଗଡ଼ । ଏହି ୧୧ ଜିଲ୍ଲାର ୫୯ଟି ବ୍ଲକରେ ଯୋଜନା ଲାଗୁ ହୋଇଛି । ଯୋଜନା ପରେ ବି ବିଦେଶୀ ଦଲାଲଙ୍କ ଆଖି ଦେଶୀ ପଣସ ଉପରେ ପଡ଼ୁଛି । ନିଜ ମାଟିରେ ପଣସ ବିକି ନପାରି ଚାଷୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ରାୟପୁର ଆଦି ସ୍ଥାନରେ ବିକ୍ରି କରୁଛନ୍ତି । ତାହା ପୁଣି ଶାଗମାଛ ଦରରେ । ଯଦି ନିଜ ରାଜ୍ୟରେ ବଜାରିକରଣ ପାଇଁ ସୁବିଧା ରୁହନ୍ତା ତେବେ ସେମାନେ ଆଉ କ୍ଷତି ସହନ୍ତେନି ବୋଲି ମତ ପ୍ରକାଶ ପାଇଛି । ସରକାର ମଧ୍ୟ ଚାଷୀଙ୍କ ଦୁଃଖ କେତେକାଂଶରେ ବୁଝିଛନ୍ତି । ଓଡ଼ିଶାର ଦେଶୀ ପଣସକୁ ପରିଚୟ ଦେବା ପାଇଁ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଅନ୍ତର୍ଗତ ଆରଆରଟିଟିଏସ୍, ଜି-ଉଦୟଗିରି ଶାଖାକୁ ଦାୟିତ୍ୱ ଦିଆଯାଇଛି ।

ଅଧିକ ପଢ଼ନ୍ତୁ :- SIR ପାଇଁ ୧୦ବରିଷ୍ଠ IAS ଅଧିକାରୀ 'ଭୋଟର ତାଲିକା ପର୍ଯ୍ୟବେକ୍ଷକ' ଭାବେ ନିଯୁକ୍ତ​​​​​​​

ଏହି ଶାଖାର ଇନଚାର୍ଜ ପ୍ରଫେସର ଜ୍ଞାନାଲୋକ ଦାସଙ୍କ ନେତୃତ୍ୱରେ ଦେଶୀ ପଣସକୁ ନେଇ ଗଂଜାମ, କନ୍ଧମାଳ, ଗଜପତି ଓ ରାୟଗଡ଼ାରେ ସର୍ଭେ ଚାଲିଛି । ଏହି ସର୍ଭେରେ ଦେଶୀ ପଣସରୁ ପ୍ରସ୍ତୁତ ଖାଦ୍ୟ ପ୍ରଣାଳୀ ବିଷୟରେ ଲୋକଙ୍କୁ ଅବଗତ କରାଯିବ । ପଣସରୁ ଚିପ୍ସ, ପକୁଡ଼ି, ମଂଚୁରିଆନ, ଖଜା, ଆଚାର, ପାମ୍ପଡ, ଟୀକା, କବାବ ଭଳି ୧୦୦ଟି ଖାଦ୍ୟ ପ୍ରସ୍ତୁତ କରାଯିବ । ଉକ୍ତ କେନ୍ଦ୍ର ପକ୍ଷରୁ ଏକ୍ ଫୁଡ୍ ଭ୍ୟାନ ଚାଲିବ । ଚାଷୀଙ୍କୁ ତାଲିମ ଦିଆଯିବ । ୫ବର୍ଷ ମଧ୍ୟରେ ଓଡ଼ିଶାରୁ ୫ଟି ପଣସ ପ୍ରଜାତି ଚିହ୍ନଟ ହେବ । ପ୍ରଫେସର ଦାସ କହିଛନ୍ତି, ଘୁ-ଉଦୟଗିରିରେ ଏଭଳି କିଛି ପଣସ ପ୍ରଜାତି ଅଛି ଯାହା ବାରମାସୀ ପଣସ ଦିଅନ୍ତି । ସେହି ଗଛକୁ ଚିହ୍ନଟ କରାଯିବ । ଓୟୁଏଟି ପକ୍ଷରୁ ତାର ବ୍ରାଣ୍ଡିଂ କରାଯିବ । ରାଜ୍ୟ ଉଦ୍ୟାନ ବିଭାଗ ସୂଚନା ଅନୁସାରେ, କୋରାପୁଟ, କେନ୍ଦୁଝର, କନ୍ଧମାଳରେ ତିନିଟି ଟେକ୍ନୋ ଇନକ୍ୟୁବେସନ ସେଣ୍ଟର ପ୍ରତିଷ୍ଠା ହୋଇଛି । ଏହା ଜରିଆରେ ତାଲିମ ପ୍ରଦାନ, ବେପାର, ମୂଲ୍ୟ ନିର୍ଦ୍ଧାରଣ ସହ ଅନ୍ୟାନ୍ୟ ସୁବିଧା ମିଳୁଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ସୁଭଦ୍ରା ଶକ୍ତି ମଧ୍ୟ ପଣସ ଜାତ ଖାଦ୍ୟଦ୍ରବ୍ୟର ପ୍ରଚାର, ପ୍ରସାର କରୁଛନ୍ତି ।